ପୁରୀ : ଗର୍ଭଗୃହରେ ବାୟୁ ସଞ୍ଚାଳନ ଏବଂ ଜଗମୋହନରେ ଭକ୍ତଙ୍କୁ ଥଣ୍ଡା ପବନ ଦେବା ଲାଗି ଶ୍ରୀମନ୍ଦିରରେ ଲାଗିଥିଲା ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି)। ସେବାୟତଙ୍କ ବିରୋଧ ସତ୍ତ୍ବେ ଲାଗିଥିବା ଏହି ଏସିକୁ ବାତ୍ୟା ‘ଫନି’ ଉପାଡ଼ି ଦେଇଛି। ଆଉ ୩ ଦିନ ପରେ ‘ଫନି’କୁ ମାସେ ପୂରିବ। ହେଲେ ଏପର୍ଯ୍ୟନ୍ତ ଅଚଳ ଏସି ପୁନଃ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଏମିତିକି ଏହାକୁ ଚଳତ୍କ୍ଷମ କରିବା ନେଇ କେହି ମନ ମଧ୍ୟ ବଳଉନାହାନ୍ତି।
ପ୍ରବଳ ଗରମ ଯୋଗୁ ଶ୍ରୀମନ୍ଦିର ଗର୍ଭଗୃହରେ ବାୟୁ ସଞ୍ଚାଳନ ଠିକ୍ ଭାବେ ହୋଇ ପାରିଲା ନାହିଁ। ସେବକମାନଙ୍କୁ ଅଣନିଃଶ୍ବାସୀ ଲାଗିଲା, ଭକ୍ତମାନେ ବି ଜଗମୋହନରେ କଷ୍ଟ ପାଇଲେ। ସବୁ ସ୍ଥିତିକୁ ଦେଖି ଏଏସ୍ଆଇ ବୈଷୟିକ କମିଟିର ପରାମର୍ଶ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ଜଗମୋହନ ନିକଟରେ ଲଗାଇଥିଲା ଦୁଇଟି ଏସି। ସେହି ଏସିର ଆଉଟ୍ଡୋର୍ ୟୁନିଟ୍ ଝୁଲଣ ମଣ୍ଡପ ଉପରେ ରହିଥିବା ବେଳେ ଇନ୍ଡୋର ୟୁନିଟ୍ ଥିଲା ଜଗମୋହନରେ। ମେ ୩ ତାରିଖ ‘ଫନି’ ମାଡ଼ରେ ଆଉଟ୍ଡୋର୍ ୟୁନିଟ୍ ମୋଡ଼ି ହୋଇ ପଡ଼ିଥିବା ବେଳେ ଏୟାର ଭେଣ୍ଟିଲେସନ ପାଇପ୍ ସବୁ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଛି। ସେହିଦିନଠାରୁ ଏସି ଦୁଇଟି କାମ କରୁନି। ମାସେ ପୂରିବାକୁ ବସିଥିଲେ ବି ଏସି ପୁନଃ କାର୍ଯ୍ୟକ୍ଷମ ନେଇ କିଛି ଯୋଜନା ହୋଇନାହିଁ। କେବଳ ଉପୁଡ଼ି ଯାଇଥିବା ଆଉଟ୍ଡୋର୍ ୟୁନିଟ୍କୁ ଉଠାଇ ରଖାଯାଇଛି। ସମସ୍ତେ ଏସି କଥା ଭୁଲି ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/srimandir-2.jpg)