ସହଜ ହେବ ଜଗନ୍ନାଥ ଜମି ମାମଲା ଫଇସଲା

ଶ୍ରୀଜଗନ୍ନାଥ ମନ୍ଦିର ଆଇନ ସଂଶୋଧନ ହେବ, ଆଉ ସରକାରଙ୍କ ଅନୁମତି ଦରକାର ନାହିଁ

ଭୁବନେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ସମ୍ପର୍କିତ ମାମଲାର ତୁରନ୍ତ ଫଇସଲା ପାଇଁ ବାଟ ଫିଟିଛି। ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୪ରେ ସଂଶୋଧନ କରାଯିବ। ଏହି ସଂଶୋଧନକୁ ତୁରନ୍ତ ଲାଗୁ କରିବାକୁ ସରକାର ଅଧ୍ୟାଦେଶ ଆଣିବେ। ଏହି ଅଧ୍ୟାଦେଶକୁ ବୁଧବାର ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଫଳରେ ଶ୍ରୀଜଗନ୍ନାଥଙ୍କ ସ୍ଥାବର ସମ୍ପତ୍ତିକୁ ବିକ୍ରି, ଲିଜ୍‌ ଓ ବନ୍ଧକ ରଖିବାକୁ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡ଼ିବନି। ତଳ ସ୍ତରରେ ତାହାର ସମାଧାନ ହୋଇପାରିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ୨୦୨୨ ମସିହାର ପ୍ରଥମ କ୍ୟାବିନେଟ୍‌ ବୈଠକ ବସିଥିଲା। ଏଥିରେ ଏକମାତ୍ର ପ୍ରସ୍ତାବ ଭାବେ ଶ୍ରୀଜଗନ୍ନାଥ ମନ୍ଦିର ଆଇନର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିଲା। ବୈଠକ ପରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ଯେ ଏହା ଏକ ଐତିହାସିକ ନିଷ୍ପତ୍ତି। ଶ୍ରୀଜଗନ୍ନାଥଙ୍କ ଜମିରେ ଯେଉଁମାନେ ବହୁ ବର୍ଷ ଧରି ବସବାସ କରୁଛନ୍ତି, ସେହି ଜମି ସଂକ୍ରାନ୍ତୀୟ କୌଣସି ନିଷ୍ପତ୍ତି ଦୀର୍ଘ ଦିନ ଧରି ହୋଇପାରୁ ନ ଥିଲା। ଯେଉଁମାନେ ଶ୍ରୀମନ୍ଦିର ଜମି ଅଧିକାର କରି ରହୁଥିଲେ, ସେମାନେ ନିଜ ନାମରେ ଜମି ପଟା କରିବାକୁ ଚାହୁଁଥିଲେ। କିନ୍ତୁ ପୂର୍ବରୁ ଯେଉଁସବୁ ନିୟମ ଥିଲା, ସେମାନେ ଜମି ସମ୍ପୂର୍ଣ୍ଣ ଅଧିକାର କରିବା ସମ୍ଭବପର ହେଉ ନ ଥିଲା। ଏ ସଂକ୍ରାନ୍ତୀୟ ସମସ୍ତ ପ୍ରସ୍ତାବ ଆଇନ ବିଭାଗକୁ ଆସୁଥିଲା। ଫଳରେ କମ୍ ସମୟ ମଧ୍ୟରେ ଅନୁମତି ଦେବା ସହଜ ହେଉ ନ ଥିଲା। ଏସବୁ ବ୍ୟବସ୍ଥାରକୁ ସରଳୀକରଣ ପାଇଁ ଆଇନ ସଂଶୋଧନ ହୋଇଛି। ଯେଉଁମାନେ ଜମି ବିକ୍ରି, ଲିଜ୍‌, ବନ୍ଧକ ପାଇଁ ଆବେଦନ କରୁଥିଲେ, ସେମାନେ ଏଣିକି ଶ୍ରୀମନ୍ଦିର ପରିଚାଳନା କମିଟି, ମନ୍ଦିର ପ୍ରଶାସନ, ଜିଲ୍ଲାପାଳ ପାଖରେ ଆବେଦନ କରିପାରିବେ। କୌଣସି ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ସବୁ ନିଷ୍ପତ୍ତି ନେବାକୁ କ୍ଷମତା ଦିଆଯିବ ନାହିଁ। ବିଭିନ୍ନ ସ୍ତରରେ ଥିବା ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ବ ଦିଆଯିବ। ସରକାରଙ୍କ ବିନା ଅନୁମୋଦନରେ ଅଧିକାରୀମାନେ ହସ୍ତାନ୍ତରୀକରଣ କାର୍ଯ୍ୟ କରିପାରିବେ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ, ଯେଉଁମାନେ ଶ୍ରୀଜଗନ୍ନାଥ ମନ୍ଦିର ଜମିରେ ବହୁ ବର୍ଷ ଧରି ଘର କରି ରହୁଛନ୍ତି, ସେମାନେ ଆବଶ୍ୟକ ଦେୟ ଦାଖଲ କରି ନିଜ ନାମରେ ଜମିକୁ ପଞ୍ଜୀକରଣ କରାଇବା ପାଇଁ ସରକାର ନୀତି ପ୍ରଣୟନ କରିଥିଲେ। କିନ୍ତୁ ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଏହା ଏକ ଲମ୍ବା ପ୍ରକ୍ରିୟା ହେଉଥିଲା। ଏବେ ଏହି ପ୍ରକ୍ରିୟା ବିକେନ୍ଦ୍ରୀକରଣ କରାଯିବ। ମନ୍ଦିର ପରିଚାଳନା କମିଟିକୁ ଦାୟିତ୍ୱ ଦିଆଯିବ। ବିଭିନ୍ନ ସ୍ତରରେ ବିଭିନ୍ନ ପ୍ରକାର ଜମିକୁ ସେଟଲ୍ କରାଯାଇପାରିବ। ମହାପ୍ରଭୁଙ୍କ ଜମିରେ ଯେଉଁମାନେ ୪୦ରୁ ୫୦ ବର୍ଷ ହେବ ବସବାସ କରୁଛନ୍ତି, ସେମାନଙ୍କର ବହୁ ଦିନର ସମସ୍ୟା ସମାଧାନ ହୋଇପାରିବ। ମନ୍ଦିର ପ୍ରଶାସନ ସେହି ଜମିରୁ ଏବେ କୌଣସି ଅର୍ଥ ପାଉନାହିଁ। ଏଣିକି ସେହି ଜମିଗୁଡ଼ିକ ବିକ୍ରି କରାଯିବା ଦ୍ବାରା ମନ୍ଦିରର ଆୟ ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର