୧୦ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକ: ସୀମିତ ସେବାୟତରେ ସ୍ନାନଯାତ୍ରା ଯୋଜନା

୨୫ ସୁଦ୍ଧା ତାଲିକା ଚୂଡ଼ାନ୍ତ, ସେବକଙ୍କୁ ମିଳିବ ପରିଚୟପତ୍ର, ପୁଲିସ ଦାୟିତ୍ବ ତୁଲାଇବେ ପ୍ରତିହାରୀ ସେବକ

ପୁରୀ: ସୀମିତ ସଂଖ୍ୟକ ସେବାୟତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। କେଉଁ ବାଡ଼ରୁ କେତେ ଜଣ ସେବକ ରହିବେ, ତାହାର ତାଲିକା ପ୍ରସ୍ତୁତ ହେବ। ନୀତି ସମ୍ପୃକ୍ତ ନିଯୋଗ ଏହି ତାଲିକା ଦେବେ। ଛତିଶାନିଯୋଗ, ପରିଚାଳନା କମିଟିରେ ଆଲୋଚନା ପରେ ସେବକଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହେବ। ସେହି ଅନୁଯାୟୀ ତାଲିକାରେ ଥିବା ସେବକଙ୍କୁ ସ୍ନାନଯାତ୍ରା ନୀତି ପାଇଁ ଅନୁମତି ମିଳିବ ଓ ପରିଚୟପତ୍ର ଦେବାର ବ୍ୟବସ୍ଥା କରାଯିବ। ନୀତି‌ ସହ ସମ୍ପୃକ୍ତ ସେବକମାନେ ସଙ୍ଗରୋଧରେ ରହିବେ କି ନାହିଁ ସେ ସମ୍ପର୍କରେ ପରିଚାଳନା କମିଟି ବୈଠକ‌ରେ ନିଷ୍ପତ୍ତି ନିଆଯିବ। ଆଜି ସ୍ନାନଯାତ୍ରା ନୀତି ସମ୍ପୃକ୍ତ ୧୦ ନିଯୋଗଙ୍କ ସହ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍‌ କୁମାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଆଜି ମଧ୍ୟାହ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ବୈଠକରେ ପୂଜାପଣ୍ଡା ନି ଯୋଗ, ପୁଷ୍ପାଳକ ନି ଯୋଗ, ପ୍ରତିହାରୀ ନିଯୋଗ, ସୁଆରବଡ଼ୁ ନିଯୋଗ, ପତ୍ରୀବଡ଼ୁ ନିଯୋଗ, ମେକାପ ନିଯୋଗ, ଖୁଣ୍ଟିଆ ନିଯୋଗ, ଗରାବଡ଼ୁ ନିଯୋଗ, ମହାଜନ ନିଯୋଗ, ସୁଆରମହାସୁଆର ନିଯୋଗର କର୍ମକର୍ତ୍ତା ଯୋଗ‌ ଦେଇଥିଲେ। ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ କୁମାର କହିଛନ୍ତି, ଆଜିର ମୁଖ୍ୟ ପ୍ରସଙ୍ଗ ସ୍ନାନଯାତ୍ରା ଥିଲା। ଉପସ୍ଥିତ ନିଯୋଗଙ୍କ ଠାରୁ ଏହା ଉପରେ ମତାମତ ଲୋଡ଼ା ଯାଇଥିଲା। କରୋନା କଟକଣା ଭିତରେ କିଭଳି ସ୍ନାନଯାତ୍ରା ଅନୁଷ୍ଠିତ ହୋଇପାରିବ ସେ ଉପରେ ବିଭିନ୍ନ ନିଯୋଗ ଭିନ୍ନଭିନ୍ନ ମତ ରଖିଥିଲେ। କରୋନା କଟକଣା ପାଇଁ ସର୍ବନିମ୍ନ ସେବକଙ୍କୁ ନେଇ ସ୍ନାନଯାତ୍ରା କରିବାକୁ ନିଷ୍ପତ୍ତି ହୋଇଛି। ତେବେ କେଉଁ ନିଯୋଗରୁ କେତେ ସେବକ ଏହି ନୀତିକାନ୍ତି କରିବେ, ସେ ନେଇ ସମ୍ପୃକ୍ତ ନିଯୋଗ ଏକ ତାଲିକା ଚଳିତ ମାସ ୨୫ ତାରିଖ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ଦେବାକୁ କୁହାଯାଇଛି। ଏହି ତାଲିକା ଉପରେ ଛତିଶାନିଯୋଗ ଓ ପରିଚାଳନା କମିଟିରେ ଆଲୋଚନା ହେବା ପରେ ଚୂଡ଼ାନ୍ତ ତାଲିକା ନିର୍ଦ୍ଧାରଣ କରାଯିବ। ତାଲିକା ଅନୁଯାୟୀ ସେବକଙ୍କୁ ସ୍ନାନଯାତ୍ରା ନୀତି କରିବାକୁ ଅନୁମତି ମିଳିବ।

ସ୍ନାନଯାତ୍ରା ପୂର୍ବରୁ ଚମ୍ପକ ଦ୍ବାଦଶୀ ଓ ଶୀତଳଷଷ୍ଠୀ ଭଳି ଅନେକ ପର୍ବ ପଡ଼ୁଛି। ଲକ୍‌ଡାଉନ୍‌ କାରଣରୁ ଏହି ନୀତିକାନ୍ତି ସବୁ ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହେବ। କୌଣସି ପରିସ୍ଥିତିରେ ବାହାରେ କରିବାକୁ ଅନୁମତି ଦିଆଯିବ ନାହିଁ। ନୀତିକାନ୍ତି କିଭଳି ହେବ ସେ ଉପରେ ଧାର୍ମିକ ଗୁରୁଙ୍କ ପରାମର୍ଶ ଓ ପରିଚାଳନା କମିଟିର ମତାମତ ନିଆଯିବ ବୋଲି ଶ୍ରୀ କୁମାର କହିଛନ୍ତି। ପୁଲିସ କରୋନା କାମରେ ବ୍ୟସ୍ତ ରହୁଥିବାରୁ ଚଳିତବର୍ଷ ପୁଲିସ ବଳ ବି କମିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ଦୃଷ୍ଟିରୁ ପ୍ରତିହାରୀ ସେବକଙ୍କୁ ପୁଲିସ ଦାୟିତ୍ବ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ପ୍ରତିହାରୀ ସେବକ ଶ୍ରୀମନ୍ଦିର ଭିତରେ ରହି ପୁଲିସ ଭଳି ଜଗାରଖା କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର