ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନର ଚେତାବନୀ : ନୀତି ବିଳମ୍ବ କଲେ ମିଳିବନି ପାଳିଆ ପୁରସ୍କାର

କାର୍ଯ୍ୟାନୁଷ୍ଠାନ ବଦଳ‌ରେ ପିଠି ଥାପୁଡାଇବାକୁ ଉଦ୍ୟମ

ପୁରୀ : ଡିସେମ୍ବର ୨୮ ତାରିଖର ବିଶୃଙ୍ଖଳାକୁ ଭୁଲିଗଲା ଶ୍ରୀମନ୍ଦିର ପ୍ରଶାସନ। କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେବକଙ୍କୁ ସାଉଁଳେଇଛି ମନ୍ଦିର ପ୍ରଶାସନ। ଅବଶ୍ୟ ଏହି ପ୍ରସଙ୍ଗରେ ଲୋକଦେଖାଣିଆ ଭାବେ ସମସ୍ତ ନିଯୋଗକୁ ଏକ କଡ଼ା ଚିଠି ଲେଖାଯାଇଛି। ଏଥିରେ କୁହାଯାଇଛି ଯେ, ଶ୍ରୀମନ୍ଦିରରେ ଆଉ ନୀତି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ନୀତିରେ ବିଳମ୍ବ ହେଲେ ଏଣିକି ସେ ଦିନର ପାଳିଆ ସେବକଙ୍କ ପାଳିଆ ପୁରସ୍କାର, ପ୍ରାପ୍ୟ ପାଉଣା ବନ୍ଦ କରାଯିବ।

ଶ୍ରୀମନ୍ଦିର ନୀତି ପ୍ରଶାସକ ବିଶ୍ବଜିତ ବିଶ୍ବାଳ ନିଯୋଗମାନଙ୍କୁ ଏହି ଚିଠି କରିଛନ୍ତି। ଧାର୍ଯ୍ୟ ସମୟରେ ନୀତି ସଂପାଦନ କରିବା ଲାଗି ନିଯୋଗମାନେ ସେମାନଙ୍କ ପାଳିଆ ସେବକଙ୍କୁ ସୂଚାଇ ଦେବାକୁ ଏଥିରେ ଉଲ୍ଲେଖ ରହିଛି। ଏଥିପାଇଁ ପ୍ରଶାସକ ଏକ ସ୍ଲାବ୍ କରିଛନ୍ତି। କୌଣସି ପାଳିଆ ସେବକ ସେବାରେ ୧୫ ମିନିଟ୍ ବିଳମ୍ବ କଲେ ତାଙ୍କର ଏକ ଚତୁର୍ଥାଂଶ ପାଳିଆ ପୁରସ୍କାର ଓ ଅନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ। ସେହିଭଳି ନୀତିରେ ଅଧା ଘଣ୍ଟା ବିଳମ୍ବ କଲେ ସେ ଦିନର ଅଧା ପାଳିଆ ପୁରସ୍କାର, ଘଣ୍ଟାଏ ବିଳମ୍ବ କଲେ ସେ ଦିନର ସଂପୂର୍ଣ୍ଣ ପାଳିଆ ପୁରସ୍କାର ଏବଂ ଅନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ ବୋଲି ଚିଠିରେ ଉଲ୍ଲେଖ କରି ନି‌ଯୋଗଗୁଡିକ ସତର୍କ ରହିବାକୁ କହିଛନ୍ତି। ତେବେ ମନ୍ଦିର ପ୍ରଶାସନର ଏଭଳି କାମଚଳା ଚିଠି ସେବକଙ୍କୁ କେବଳ ଥାପୁଡାଇବା ଲାଗି ଉଦ୍ଦିଷ୍ଟ ବୋଲି ଅଭିଯୋଗ ହୋଇଛି। ବିଗତ ଦିନମାନଙ୍କରେ ହୋଇଥିବା ମହାବିଶୃଙ୍ଖଳା ଉପରେ ପରଦା ଢାଙ୍କିବାକୁ ଏହା ଏକ ପ୍ରୟାସ ମାତ୍ର। ଏଥିରେ କୌଣସି ନୂତନତ୍ବ ନାହିଁ, ବରଂ ଗତ ୨୮ ତାରିଖରେ ଶ୍ରୀମନ୍ଦିରେ ଘଟିଥିବା ମହାବିଶୃଙ୍ଖଳାକୁ ମନ୍ଦିର କର୍ତ୍ତୃପକ୍ଷ ପ୍ୟାଚ୍ ପକାଇଥିବା ଏଥିରୁ ସ୍ପଷ୍ଟ ହୋଇଥିବା ଅଭିଯୋଗରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର