ଏଣିକି ସବୁଦିନ ଶ୍ରୀମନ୍ଦିର ଖୋଲା

ଆନନ୍ଦବଜାରରେ ବସି ମହାପ୍ରସାଦ ଖାଇପାରିବେ ଭକ୍ତ

ଶ୍ରୀମନ୍ଦିରରେ ଦୀପଦାନ ଅନୁମତି
ପୁରୀବାସୀଙ୍କ ପାଇଁ ରହିବନି ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା

ପୁରୀ : ଶ୍ରୀମନ୍ଦିରରେ ସ୍ବାଭାବିକ ହେଲା ଦର୍ଶନ। ଏଥର ସପ୍ତାହକୁ ୬ ଦିନ ନୁହେଁ, ପ୍ରତିଦିନ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଆଉ ରବିବାର ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବନି। ପୂର୍ବଭଳି ଆନନ୍ଦବଜାରେ ବସି ମହାପ୍ରସାଦ ବି ସେବନ କରିପାରିବେ ଭକ୍ତ। ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନ ନେଇ ଆଶା ଓ ଆଶଙ୍କା ଦେଖାଦେବା ପରେ ଶ୍ରୀମନ୍ଦିର ପ୍ରଶାସନ ଶେଷରେ ଜାରି କରିଥିବା ଏସ୍‌ଓପିରେ ଏଭଳି ପରିବର୍ତ୍ତନ ଆଣିଛି।

କରୋନା ମହାମାରୀ ଭିତରେ ୯ ମାସ ପରେ ଅର୍ଥାତ୍‌ ଗତ ଡିସେମ୍ବର ୨୨ ତାରିଖରେ ଶ୍ରୀମନ୍ଦିରରେ ଦର୍ଶନ ଆରମ୍ଭ ହୋଇଥିଲା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ସ୍ବତନ୍ତ୍ର ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଜାରି କରିଥିଲା। ପରେ ଜାନୁଆରି ୧୧ରେ ପୂର୍ବ ଏସ୍‌ଓପିରେ ପରିବର୍ତ୍ତନ ଅଣାଯାଇଥିଲା। ଭକ୍ତଙ୍କୁ ସପ୍ତାହକୁ ୬ ଦିନ ଦର୍ଶନ ସୁଯୋଗ ଦିଆଯାଇଥିଲା। ରବିବାର ଶ୍ରୀମନ୍ଦିର ବନ୍ଦ ରଖି ବିଶୋଧନ କାର୍ଯ୍ୟ କରାଯାଉଥିଲା। କିନ୍ତୁ ପଦ୍ମବେଶ ଫେବ୍ରୁ‌ଆରି ୧୩ ତାରିଖ ଶନିବାର ପଡ଼ୁଥିବାରୁ ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଭକ୍ତମାନେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନରୁ ବଞ୍ଚିତ ହେବା ନେଇ ଆଶଙ୍କା ଦେଖାଦେଇଥିଲା। କାରଣ ରାତ୍ର ପହୁଡ଼ ପୂର୍ବରୁ ବଡ଼ସିଂହାର ବେଶରେ ମହାପ୍ରଭୁ ପଦ୍ମବେଶ ହୋଇଥାନ୍ତି। ରାତିତମାମ ପଦ୍ମବେଶରେ ରହିବା ପରେ ପରଦିନ ମଙ୍ଗଳଆଳତି ପରେ ବେଶ ଓଲାଗି ହୋଇଥାନ୍ତି। ପ୍ରତିବର୍ଷ ବଡ଼ସିଂହାର ବେଶରେ ଭକ୍ତମାନେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିଥାନ୍ତି। ବଡ଼ସିଂହାର ବେଶ ପରେ ଶ୍ରୀମନ୍ଦିରରେ ରାତ୍ର ପହୁଡ଼ ହୋଇଯାଏ। ଯେଉଁମାନେ ବଡ଼ସିଂହାର ବେଶ ସମୟରେ ଏହି ବେଶ ଦର୍ଶନ କରିନଥାନ୍ତି, ସେମାନେ ସକାଳୁ ଦ୍ବାରଫିଟା ପରେ ମହାପ୍ରଭୁଙ୍କ ପଦ୍ମବେଶ ବେଶ ଦର୍ଶନ କରିଥା’ନ୍ତି। ଏହାକୁ ଦୃଷ୍ଟି ରଖି ଆସନ୍ତା ରବିବାର ଭକ୍ତଙ୍କ ପଦ୍ମବେଶ ଦର୍ଶନ ପାଇଁ ବାଟ ଉନ୍ମୁକ୍ତ କରିଛି ଶ୍ରୀମନ୍ଦିର ପ୍ରଶାସନ।

ଏହାକୁ ନେଇ ଆଜି ସଂଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍‌ କୁମାର କହିଛନ୍ତି, ଭକ୍ତମାନଙ୍କୁ ସବୁଦିନ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ଦେବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ପୂର୍ବରୁ ସକାଳ ୬ଟାରୁ ୭ଟା ପୁରୀ ସହରବାସୀ ଓ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାହାର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ଏଥିରେ ପରିବର୍ତ୍ତନ ଅଣାଯାଇଛି। ଶ୍ରୀମନ୍ଦିର ଦ୍ବାର ଫିଟା ପରେ ପୁରୀ ସହରବାସୀ ‌ହୁଅନ୍ତୁ କି ବାହାର ଭକ୍ତ, ସମସ୍ତେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। କିନ୍ତୁ ଭକ୍ତମାନେ ଶ୍ରୀମନ୍ଦିର ବାହାରେ ଓ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତମାନେ ହାତ ସାନିଟାଇଜ୍‌ କରିବେ। ସାମାଜିକ ଦୂରତା ନିୟମ ଅନୁପାଳନ କରିବେ। ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ କ‌ୌଣସି ଦେବାଦେବୀଙ୍କ ପ୍ରତିମୂର୍ତ୍ତିକୁ ସ୍ପର୍ଶ ନ କରିବାକୁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିର ପରିସରରେ ଏକ ସ୍ବତନ୍ତ୍ର ସ୍ଥାନରେ ଦୀପଦାନ ବ୍ୟବସ୍ଥା କରାଯାଇଛି। ସେଠାରେ ଭକ୍ତମାନେ ଦୀପଦାନ କରିପାରିବେ।

ପାନ, ଗୁଟ୍‌ଖା ଆଦିରେ କଟକଣା ଲଗାଯାଇଛି। ଆଗରୁ ଭକ୍ତମାନଙ୍କୁ ଆନନ୍ଦ ବଜାରରେ ମହାପ୍ରସାଦ ସେବନରେ କଟକଣା ଲାଗିଥିଲା। ଏହି କଟକଣାକୁ ହଟାଇ ଦିଆଯାଇଛି। ପୁରୀ ସହରବାସୀଙ୍କ ପାଇଁ ଯେଉଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିଲା, ତାହାକୁ ବନ୍ଦ କରାଯାଇଛି। ଭକ୍ତମାନେ ସିଂହଦ୍ବାର ଦେଇ ଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ ପରେ ଉତ୍ତର, ପଶ୍ଚିମ ଅବା ଦକ୍ଷିଣ ଦ୍ବାରରେ ପ୍ରସ୍ଥାନ କରିପାରିବେ। ପ୍ରତି ରବିବାର ଶ୍ରୀମନ୍ଦିର ପ୍ରଶାସନ ଯେଉଁ ବିଶୋଧନ ବ୍ୟବସ୍ଥା କରିଥିଲା, ସେଥିରେ ପରିବର୍ତ୍ତନ ଅଣାଯାଇଛି। ଏଥର ରାତ୍ର ପହୁଡ଼ ପରେ ସପ୍ତାହକୁ ତିନିଦିନ ଶ୍ରୀମନ୍ଦିର ବିଶୋଧନ କରିବାକୁ ନିଷ୍ପତ୍ତି ହୋଇଥିବା ଶ୍ରୀ କୁମାର କହିଛନ୍ତି। ଆଜିର ଏହି ବୈଠକରେ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମେତ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡ. କେ. ବିଶାଲ ସିଂହ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର