ମୁଣ୍ଡ ନେଇଥାନ୍ତା ଶ୍ରୀମନ୍ଦିର ବ୍ୟାରିକେଡ୍‌

ପୁରୀ : ଧାଡ଼ି ଦର୍ଶନ ପାଇଁ ଥିବା ଶ୍ରୀମନ୍ଦିର ବ୍ୟାରିକେଡ୍‌ କେବଳ ଯନ୍ତ୍ରଣା ଦେଉନି, ଜଣେ ଶିଶୁର ମୁଣ୍ଡ ନେଇଥାନ୍ତା। ରବିବାର ରାତି ସାଢ଼େ ୯ଟାରେ ଜଣେ ଶିଶୁର ମୁଣ୍ଡ ବ୍ୟାରିକେଡ୍‌ ରେଲିଂରେ ପଶି ଯାଇଥିଲା। ପାଖାପାଖି ୨୦ ମିନିଟ୍‌ର କସରତ ପରେ ଜଣେ ପୁଲିସ କର୍ମଚାରୀ ଦେବଦୂତ ଭଳି ରେଲିଂରୁ ଶିଶୁର ମୁଣ୍ଡ କାଢ଼ିଥିଲେ। ଉକ୍ତ ପୁଲିସ କର୍ମଚାରୀଙ୍କୁ ପୁରସ୍କୃତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଏସ୍‌ପି ଉମାଶଙ୍କର ଦାଶ।

ରାତି ପ୍ରାୟ ସାଢ଼େ ୯ଟା। ସିଂହଦ୍ବାର ସମ୍ମୁଖ ବ୍ୟାରିକେଡ୍‌ ଦେଇ ଭକ୍ତମାନେ ଯାଉଥାନ୍ତି। ସିଂହଦ୍ବାର ବ୍ୟାରିକେଡ୍‌ ନିକଟରେ ଛିଡ଼ା ହୋଇଥିଲେ ଏକ ପରିବାର। ବାପା, ମାଆ’ଙ୍କ ସହ ଥିବା ୩ ବର୍ଷ ବୟସର ଝିଅଟିଏ ବ୍ୟାରିକେଡ୍‌ ରେଲିଂକୁ ଆଉଜି ଛିଡ଼ା ହୋଇଥିବା ବେଳେ ରେଲିଂ ଫାଙ୍କରେ ତାର ମୁଣ୍ଡ ପଶିଯାଇଥିଲା।

ଭକ୍ତମାନଙ୍କୁ ବ୍ୟାରିକେଡ୍‌ରେ ଛାଡ଼ିବା ବେଳେ ଛୁଆଟି ବାହାରି ପାରିଲା ନାହିଁ। ବାପା, ମାଆ ଚେଷ୍ଟା କଲେ, ମାତ୍ର ପାରିଲେ ନାହିଁ। ହାଉଳି ଖାଇଲେ। ଚିତ୍କାର ବି କଲେ। ଆଗପଛରେ ଥିବା ଭକ୍ତମାନେ ଦେଖୁଥିଲେ ମଧ୍ୟ କେହି ରିସ୍କ୍‌ ‌ନେବାକୁ ଚାହୁଁନଥିଲେ। ଏତିକି ବେଳେ ପାଖରେ ଥିବା ହାବିଲ୍‌ଦାର ଅନନ୍ତ ଚରଣ ପ୍ରଧାନ (ନଂ-୨୭୮) ଓ ଶ୍ରୀମନ୍ଦିର ସୁବେଦାର ଯୋଗେଶ ସ୍ବାଇଁ ପହଞ୍ଚିଥିଲେ। ଯୋଗେଶ ଦମକଳ କର୍ମଚାରୀଙ୍କୁ ଡକାଇଥିଲେ। ରେଲିଂକୁ ବଙ୍କା କରି ଝିଅର ମୁଣ୍ଡ କାଢ଼ିବାକୁ ଚେଷ୍ଟା କରିଥିଲେ। ମାତ୍ର ହେଲା ନାହିଁ। ହାବିଲଦାର ଅନନ୍ତ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଝିଅଟିର ମୁଣ୍ଡ ଚାରିପଟେ କିଛି ନଡ଼ିଆ ତେଲ ବୋଳି ଦେଇଥିଲେ। ଧୀରେ ଧୀରେ ପିଲାଟିକୁ ପଛରୁ ଟାଣି ମୁଣ୍ଡ ବାହାର କରିଥିଲେ। ପ୍ରାୟ ୨୦ ମିନିଟ୍‌ ଧରି ବ୍ୟାରିକେଡ୍‌ ରେଲିଂରେ ମୁଣ୍ଡ ପଶି ରହିବା ପରେ ଶେଷରେ ପୁଲିସ ସହାୟତାରେ କୁନି ଝିଅଟିର ଜୀବନ ବଞ୍ଚି ଯାଇଥିଲା। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ନିଜେ ଏସ୍‌ପି ଉମାଶଙ୍କର ଦାଶ ଘଟଣାସ୍ଥଳରେ ପହଞ୍ଚିଥିଲେ। ହାବିଲଦାର ଓ ସୁବେଦାରଙ୍କ କାମରେ ସନ୍ତୋଷ ବ୍ୟକ୍ତ କରିବା ସହ ତତ୍କାଳ ସମ୍ପୃକ୍ତ ହାବିଲଦାରଙ୍କୁ ପୁରସ୍କୃତ କରିବାକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସିଂହଦ୍ବାର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର