କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନ‌ାଟମଣ୍ଡପ ମରାମତି ପ୍ରସଙ୍ଗରେ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ନାଟମଣ୍ଡପର ଦୁର୍ବଳ ତଥା ଫଟା ବିମ୍‌ର ସ୍ଥିତି ନଭେମ୍ବର ୨୭ରେ ଅନୁଧ୍ୟାନ କରାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ଅତିରିକ୍ତ ମହାନିର୍ଦ୍ଦେଶକ, ଆଞ୍ଚଳିକ ନିର୍ଦ୍ଦେଶକ, ଆମିକସ୍ କ୍ୟୁରୀ ଓ ଅନ୍ୟ ବିଶେଷଜ୍ଞମାନେ ନାଟମଣ୍ଡପର ସ୍ଥିତି ଅନୁଧ୍ୟାନ କରିବାସହିତ ମରାମତି ଓ ସଂରକ୍ଷଣ ପ୍ରସଙ୍ଗରେ କେତେକ ପରାମର୍ଶ ପ୍ରଦାନ କରିଥିଲେ। ଏ ନେଇ ଏଏସ୍‌ଆଇ ମହାନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି। ଡିଜିଙ୍କ ଅନୁମୋଦନ ମିଳିବାପରେ ଖୁବ୍‌ଶୀଘ୍ର ଶ୍ରୀଜଗନ୍ନାଥ ମନ୍ଦିର ମରାମତି ଓ ସଂରକ୍ଷଣ ପାଇଁ ଗଠିତ କୋର୍ କମିଟି ବୈଠକ ଅନୁଷ୍ଠିତ ହେବ। ଏହାପରେ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଏଏସ୍‌ଆଇ ତରଫରୁ ଦର୍ଶାଯାଇଥିଲା।

publive-image atlasobscura.com

ଅନ୍ୟପକ୍ଷରେ, ଆମିକସ୍ କ୍ୟୁରୀ ମଧ୍ୟ ଦର୍ଶାଇଥିଲେ ଯେ ନାଟମଣ୍ଡପର ସ୍ଥିତି ଯାଞ୍ଚ କରାଯିବା ପରେ ମରାମତି ଓ ସଂରକ୍ଷଣ ପ୍ରସଙ୍ଗରେ ପରାମର୍ଶ ପ୍ରଦାନ କରାଯାଇଛି। ଏଭଳି ସ୍ଥିତିରେ ନାଟମଣ୍ଡପର ସାନି ସ୍ଥିତି ସଂପର୍କିତ ଷ୍ଟାଟସ୍ ରିପୋର୍ଟ ପରବର୍ତ୍ତୀ ଶୁଣାଣି ସମୟରେ ଦାଖଲ କରିବାକୁ ଏଏସ୍‌ଆଇକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଭିଷେକ ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬କୁ ଧାର୍ଯ୍ୟ କରାଯାଇଛି।

ଅନ୍ୟପକ୍ଷରେ, ରତ୍ନଭଣ୍ଡାର ପ୍ରସଙ୍ଗ ସଂପର୍କିତ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ଆବେଦନ ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିର ମାମଲା ସହିତ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। କିନ୍ତୁ,ଏହି ମାମଲାର ଆଜି ଶୁଣାଣି ହୋଇ ନଥିଲା। ଏଥିସହିତ ଅକ୍ଟୋବର ୧୮ର ନିର୍ଦ୍ଦେଶ ଅନୁସାରେ ଏହି ମାମଲାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଜବାବ ଦାଖଲ କରାଯାଇ ନାହିଁ ବୋଲି ଆବେଦନକାରୀଙ୍କ ତରଫରୁ ମୋକଦ୍ଦମା ପରିଚାଳନା କରୁଥିବା ଆଇନଜୀବୀ ଆଲୋକ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ଆମିକସ୍ କ୍ୟୁରୀ ଏନ.କେ.ମହାନ୍ତି, ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶ୍ରୀ ମହାପାତ୍ର, ଏଏସ୍‌ଆଇ ପକ୍ଷରୁ ଡିଏସ୍‌ଜିଆଇ ପ୍ରସନ୍ନ କୁମାର ପାଢ଼ୀ, ସଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।