କଟକ : ଶ୍ରୀଜଗନ୍ନାଥ ମନ୍ଦିର ସଂରକ୍ଷଣ ଓ ମରାମତି କାର୍ଯ୍ୟ ଚାରିମାସ ଭିତରେ ଶେଷ କରିବାକୁ ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ. ଜାଭେରୀ ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ପୂର୍ବ ନିର୍ଦ୍ଦେଶ ଅନୁସାରେ ଏଏସ୍‌ଆଇ ମହାନିର୍ଦ୍ଦେଶକ (ଡିଜି) ଉଷା ଶର୍ମା, ଯୁଗ୍ମଡିଜି ଜେ. ଶର୍ମା ଓ ଭୁବନେଶ୍ବର ସର୍କଲ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ୍‌ ଅରୁଣ ମଲ୍ଲିକ ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିଲେ। ଏଏସଆଇ ଡିଜି ଶ୍ରୀଜଗନ୍ନାଥ ମନ୍ଦିର ନାଟମଣ୍ଡପ ସହିତ ପରିସରରେ ଥିବା ପାର୍ଶ୍ବ ଦେବଦେବୀ ଓ ଅନ୍ୟାନ୍ୟ ମନ୍ଦିରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସଂପର୍କିତ ସାନି ସ୍ଥିତି ନେଇ ଅବଗତ କରିଥିଲେ। ନାଟମଣ୍ଡପ ମରାମତିର ଅଗ୍ରଗତି ଓ ଅନ୍ୟାନ୍ୟ ପ୍ରସଂଗରେ ଡିଜି ତଥ୍ୟ ଉପସ୍ଥାପନ କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ସହିତ ପରିସରରେ ଚାଲିଥିବା ସଂରକ୍ଷଣ ଓ ମରାମତି କାର୍ଯ୍ୟ ତ୍ବରାନ୍ବିତ କରିବା ଉପରେ ଖଣ୍ଡପୀଠ ଗୁରୁତ୍ବାରୋପ କରିଥିଲେ। ଏହି ସବୁ କାର୍ଯ୍ୟ ଶେଷ କରିବାକୁ କେତେ ସମୟ ଲାଗିବ ବୋଲି ଖଣ୍ଡପୀଠ ଏଏସଆଇ ଡିଜିଙ୍କ ନିକଟରୁ ଜାଣିବାକୁ ଚାହିଥିଲେ। ନାଟମଣ୍ଡପ ଓ ଅନ୍ୟାନ୍ୟ ମରାମତି କାର୍ଯ୍ୟ ଶେଷ ହେବା ପାଇଁ ଆଉ କିଛି ସମୟ ଲୋଡା ବୋଲି ଏଏସଆଇ ଡିଜି କହିଥିଲେ। ଚାରିମାସ ଭିତରେ କାର୍ଯ୍ୟ ଶେଷ କରିବାକୁ ଡିଜି ପ୍ରତିଶ୍ରୁତି ଦେଇଥିଲେ। ଏପରି ପରିସ୍ଥିତିରେ ଚାରିମାସ ଭିତରେ ଶ୍ରୀମନ୍ଦିର ପରିସରରେ ଚାଲିଥିବା ମରାମତି କାର୍ଯ୍ୟ ଶେଷ କରିବାକୁ ଖଣ୍ଡପୀଠ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୦ ମେ ୪ରେ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏଏସଆଇ ମରାମତି ଓ ସଂରକ୍ଷଣ କାର୍ଯ୍ୟ ପ୍ରସଙ୍ଗରେ ସାନି ସତ୍ୟପାଠ ଦାଖଲ କରିବ। ଏଠାରେ ସୂଚନାଯୋଗ୍ୟ, ହାଇକୋର୍ଟ ଡିସେମ୍ବର ୧୭ରେ ଏ ସଂପର୍କିତ ମାମଲାର ଶୁଣାଣି କରି ଏଏସଆଇ ଡିଜିଙ୍କୁ ବ୍ୟକ୍ତିଗତ ଭାବେ ଡିସେମ୍ବର ୨୩ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ତ୍ରିଲୋଚନ ଦାଶ ଏବଂ ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

Advertisment

ଏଠାରେ ଉଲ୍ଲେଖ ଯୋଗ୍ୟ, ନାଟମଣ୍ଡପ ମରାମତି ପ୍ରସଂଗରେ ଏଏସ୍‌ଆଇ ପକ୍ଷରୁ ପୂର୍ବରୁ ଦର୍ଶାଯାଇଥିଲା ଯେ ନାଟମଣ୍ଡପ ଛାତର ଟ୍ରିଟମେଣ୍ଟ କାମ ହାତକୁ ନିଆଯାଇଛି। ଇତିମଧ୍ୟରେ ଟେଣ୍ଡର୍‌ ପ୍ରକ୍ରିୟା ଚୂଡାନ୍ତ ହୋଇଥିବା ବେଳେ ଗତ ୧୮ ତାରିଖରୁ ଏହି କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି।