ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ

ପୁରୀ : ବଡ଼ ଦେଉଳ ଭିତରେ ବି ସାମୁଦ୍ରିକ ଝଡ଼ବାତ୍ୟା ‘ଫନି’ ବେଶ ତାଣ୍ଡବ ରଚାଇଛି। ଲୁହାଭାରା ସମେତ ଗଛବୃକ୍ଷ ଭାଙ୍ଗି ଛାରଖାର୍‌ କରିଛି। ସିଂହଦ୍ବାରର ଜୟବିଜୟ ମୂର୍ତ୍ତି ମଧ୍ୟରୁ ଜୟ ମୂର୍ତ୍ତି ଭାଙ୍ଗି ଗଳି ପଡ଼ିଛି। ଅନେକ କାରୁକାର୍ଯ୍ୟ ପ୍ରଭାବିତ ହୋଇଛି। ଏସବୁକୁ ସଫା କରିବା ପାଇଁ କର୍ମଚାରୀମାନେ ଲାଗିଛନ୍ତି। ସଫେଇ କାର୍ଯ୍ୟ ଚାଲିଥିବାରୁ ଆଜି ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନକୁ ବନ୍ଦ କରାଯାଇଥିଲା। ବଡ଼ ଦେଉଳରେ ଏଭଳି ସ୍ଥିତିକୁ ଆଜି ସଜାଡ଼ିବା ଉପରେ ଧ୍ୟାନ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଭିତରେ ଥିବା ବ୍ୟାରିକେଡ୍‌ ବିଭିନ୍ନ ସ୍ଥାନରେ ଉଡ଼ି ପଡ଼ିଥିଲା। ସେସବୁକୁ ସଜାଡ଼ିବା ସହ ଲୁହାଭାରା ଓ ଗଛ ଡାଳ ସଫା କରାଯାଇଥିଲା। ସେଥି ପାଇଁ ଭକ୍ତଙ୍କ ଶ୍ରମନ୍ଦିର ପ୍ରବେଶକୁ ବନ୍ଦ କରିଥିଲା ପ୍ରଶାସନ। ରାତି ବେଳକୁ ସଫା ସରିବା ପରେ ଭକ୍ତମାନେ ଭିତରକୁ ଯାଇଥିଲେ। ଆଜି ଶ୍ରୀମନ୍ଦିରର ସ୍ଥିତି ପରଖିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଉଳ ଭିତରରେ ବୁଲି ଦେଖିଥିଲେ। ଭୁଶୁଡ଼ି ପଡ଼ିଥିବା ଲୁହାଭାରା ସମ୍ପର୍କରେ ଏଏସ୍‌ଆଇ ଅଧିକାରୀମାନଙ୍କୁ ପଚାରି ବୁଝିବା ସହ ତୁରନ୍ତ ଆବଶ୍ୟକ ଯାଞ୍ଚ ଓ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର