ଶ୍ରୀଜଗନ୍ନାଥ ମନ୍ଦିର ବିକାଶ କାର୍ଯ୍ୟ ୨୯ରୁ

ଶ୍ରୀଲିଙ୍ଗରାଜ ମନ୍ଦିର ବିକାଶ କାର୍ଯ୍ୟ ବି ଆରମ୍ଭ ହେବ

ଭୁବନେଶ୍ବର : ଦୀର୍ଘ ଦୁଇମାସ ପରେ ରାଜ୍ୟ ସରକାର ପୁଣି ଥରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୯ ତାରିଖରୁ ଉଭୟ ସ୍ଥାନରେ ପୁଣି ଥରେ ବିକାଶ କାର୍ଯ୍ୟ ତ୍ବରାନ୍ବିତ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ କନଫରେନ୍ସିଂରେ ଉଭୟ ପ୍ରକଳ୍ପର ସମୀକ୍ଷା କରିବା ଅବସରରେ ଏଭଳି ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ ଯେ ପୁରୀ ଓ ଭୁବନେଶ୍ବରର ଏହି ଦୁଇଟି ପ୍ରକଳ୍ପ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ବ ଓ ଅନ୍ୟାନ୍ୟ ନିର୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଦରକାର।

ବୈଠକରେ ଅଧିକାରୀମାନେ କହିଥିଲେ ଯେ ଶ୍ରୀ ସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମହୋଦଧି ମାର୍କେଟ କଂପ୍ଲେକ୍ସ ଓ ମୂଷା ନଦୀର ସଂପ୍ରସାରଣ ଆଦି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି। ଆଉ ଅଳ୍ପ ଜମି ଅଧିଗ୍ରହଣ କରାଯିବ। ଆସନ୍ତା ଦୁଇ ତିନିମାସ ମଧ୍ୟରେ ଏହି କାର୍ଯ୍ୟ େଶଷ ହେବ। ଏଥିସହିତ ଶ୍ରୀଜଗନ୍ନାଥ ହେରିଟେଜ କରି଼ଡର, ବଡ଼ଦାଣ୍ଡ ଉନ୍ନତୀକରଣ ପ୍ରକଳ୍ପ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିଲ୍‌ଡିଂର ପୁନର୍ବିକାଶ ପ୍ରକଳ୍ପ, ଜଗନ୍ନାଥ ସଂସ୍କୃତି କେନ୍ଦ୍ର ଆଦି ପ୍ରକଳ୍ପ ପାଇଁ ଡିଜାଇନ୍ ପ୍ରସ୍ତୁତ କରାଯାଉଛି।

ସେହିପରି ଲିଙ୍ଗରାଜ ମନ୍ଦିର ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ପ୍ରସ୍ତୁତି ମଧ୍ୟ ଚାଲିଛି। ଜମି ଅଧିଗ୍ରହଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଶେଷ ହେବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ମନ୍ଦିର ଓ ବିନ୍ଦୁସାଗର ମଧ୍ୟବର୍ତ୍ତୀ ଅଞ୍ଚଳର ବିକାଶ କାର୍ଯ୍ୟ ଆରମ୍ଭ କରାଯିବ। ଏଥିପାଇଁ ଯୋଜନା ଓ ନକ୍ସା ପ୍ରସ୍ତୁତି ଚାଲିଛି। ବିନ୍ଦୁସାଗର ଓ ଅନ୍ୟାନ୍ୟ ତୀର୍ଥ ପୁଷ୍କରିଣୀର ଜଳକୁ ନୂତନ ବୈଷୟିକ ଜ୍ଞାନ ସହାୟତାରେ ସ୍ବଚ୍ଛ କରିବା ଓ ଏହାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଭାରତ ସରକାରଙ୍କର ରସାୟନ ପ୍ରତିଷ୍ଠାନ ସହିତ ବୁଝାମଣା ପତ୍ର ସ୍ବାକ୍ଷାର କରାଯିବ।

ଏହି ବୈଠକରେ ମୁଖ୍ୟଶାସନ ସଚିବଙ୍କ ବ୍ୟତୀତ ଉନ୍ନୟନ କମିସନର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି), ପୂର୍ତ ସଚିବ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର