ପୁରୀ : ଆଇନ ବିଭାଗରେ ଥିବା ଶ୍ରୀମନ୍ଦିର ପ୍ରଶାସନ ସେକ୍ସନ୍ରୁ ଫାଇଲ୍ ହଜିବାକୁ ନେଇ ତମ୍ବିତୋଫାନ ଆରମ୍ଭ ହେଲାଣି। ବରିଷ୍ଠ ସେବାୟତଙ୍କଠାରୁ ଆରମ୍ଭ କରି ଭକ୍ତ, ବିଭିନ୍ନ ଧାର୍ମିକ ସଂଗଠନ ଏହାକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ଏହି ଫାଇଲ୍ ହଜିଛି କି ଜାଣିଶୁଣି ଗାଏବ୍ କରି ଦିଆଯାଇଛି? ଏହା ପଛରେ କିଏ ରହିଛନ୍ତି? ଏଭଳି ଅନେକ ପ୍ରଶ୍ନର ପାହାଡ଼ ଠିଆ ହେଲାଣି। ସେପଟେ ଆଇନ ବିଭାଗରୁ ଫାଇଲ୍ ହଜିବା ନୂଆ ନୁହେଁ। ଏଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ହଜିଛି, ଯାହା ଉପରେ ତଦନ୍ତ କମିସନ ବସିଛି, କିନ୍ତୁ ସବୁ ନିଷ୍ଫଳ ଯାଇଛି।
୧୯୯୩ରେ ନାଗାର୍ଜୁନ ବେଶ ଦଳାଚକଟା ଫାଇଲ୍ ହଜିଥିଲା
୨୦୧୮ରେ ରତ୍ନଭଣ୍ଡାର ଚାବି ହଜିଲା
ଉଭୟ କମିସନ ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନଥିଲା
୧୯୯୩ ମସିହାରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଦର୍ଶନ ବେଳେ ଦଳାଚକଟା ସ୍ଥିତି ଉପୁଜିଥିଲା। ଅନେକ ମୃତାହତ ହୋଇଥିଲେ। ରାଜ୍ୟ ସରକାର ତଦନ୍ତ କମିସନ ବସାଇଲେ। ଜଷ୍ଟିସ ଜୀବନମୋହନ ମହାପାତ୍ର କମିସନ ତଦନ୍ତ କରି ରିପୋର୍ଟ ଦେଲେ। କିନ୍ତୁ ଏହି ରିପୋର୍ଟକୁ ହଜାଇ ଦିଆଗଲା। ଗୃହ ବିଭାଗ ଓ ଆଇନ ବିଭାଗକୁ ସେ ସମୟରେ ଏଥିପାଇଁ ଦାୟୀ କରାଗଲା। ପରେ ଏହି
ରିପୋର୍ଟ କିପରି ହଜିଲା, ତାର ତଦନ୍ତ ପାଇଁ ଜଷ୍ଟିସ ପି କେ ମହାନ୍ତିଙ୍କ ନେତୃତ୍ବରେ ଆଉ ଏକ ତଦନ୍ତ କମିସନ ବସିଲା। କିନ୍ତୁ ଜଷ୍ଟିସ ପି କେ ମହାନ୍ତି କମିସନ ଫାଇଲ୍ କେଉଁଠି ହଜିଲା, ତାର ଚେର ଧରି ପାରିନଥିଲେ। ଜଷ୍ଟିସ୍ ପି କେ ମହାନ୍ତି ଫାଇଲ୍ ହଜିବାର କାରଣ ଜଣାପଡ଼ୁନଥିବା ରିପୋର୍ଟରେ ଦର୍ଶାଇଥିଲେ। ୨୦୧୮ ମସିହାରେ ରତ୍ନଭଣ୍ଡାର ଚାବି ହଜିଲା। ଏହାକୁ ନେଇ ତମ୍ବିତୋଫାନ ପରେ ତଦନ୍ତ କମିସନ ବସିଲା। ଜଷ୍ଟିସ ରଘୁବୀର ଦାସ କମିସନ ଚାବି ହଜିବା ଘଟଣାର ତଦନ୍ତ କରି ୩ଶହ ପୃଷ୍ଠାର ରିପୋର୍ଟ ଦେଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ସାର୍ବଜନିନ ହୋଇପାରିଲାନି କି ଚାବି ହଜିବା ପ୍ରସଙ୍ଗରୁ ପରଦା ହଟିଲାନି। ଏବେ ବି ରାଜ୍ୟବାସୀ ଚାବି ହଜିବା ଘଟଣାକୁ ନେଇ ଅନ୍ଧାରରେ ରହିଛନ୍ତି। ଏଭଳି ସ୍ଥିତିରେ ଆଇନ ବିଭାଗର ଶ୍ରୀମନ୍ଦିର ପ୍ରଶାସନ ସେକ୍ସନ୍ରୁ ଫାଇଲ୍ ହଜିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।
atlasobscura.comଏ ସଂପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ପୂର୍ବତନ ସଦସ୍ୟ ତଥା ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଫାଇଲ୍ ହଜିବା ଘଟଣା ନୂଆ ନୁହେଁ। ଆଇନ ବିଭାଗରେ ଅନେକ ସେକ୍ସନ୍ ଥିଲେ ବି କେବଳ ଶ୍ରୀମନ୍ଦିର ପ୍ରଶାସନ ସେକ୍ସନ୍ରୁ ଫାଇଲ୍ ହଜିବା ସନ୍ଦେହ ସୃଷ୍ଟି କରିବା ସ୍ବାଭାବିକ। ଏହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ଥିବା ଜଣାପଡ଼ୁଛି। ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଶ୍ରୀମନ୍ଦିର ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର କାର୍ଯ୍ୟାଳୟର ଫାଇଲ୍ ହଜିବା ଘଟଣା ଦାୟିତ୍ବହୀନ କାର୍ଯ୍ୟ। ଯେଉଁମାନେ ଦାୟିତ୍ବରେ ରହିଛନ୍ତି, ସେମାନେ ଏଥିପାଇଁ ଦାୟୀ। ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ବହୁ ବଡ଼ ବଡ଼ ଫାଇଲ୍ ବି ପୂର୍ବରୁ ଗାଏବ୍ କରି ଦିଆଯାଉଛି। ଏଣୁ ଫାଇଲ୍ ହଜିବା ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ। ଯଦ୍ବାରା ଆଗାମୀ ଦିନରେ ଅନ୍ୟମାନେ ଯତ୍ନବାନ ହେବେ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/srimandir-ddd.jpg)