ପଶ୍ଚିମରେ ତାତି, ଉପକୂଳରେ କାଳବୈଶାଖୀ; ଚିରିଗଲା ପତିତପାବନ ବାନା

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ୭ଟି ସହରର ତାପମାତ୍ରା ୩୮ ଡିଗ୍ରି ଉପରକୁ ଚାଲି ଯାଇଛି। ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭବାନୀପାଟଣା, ବଲାଙ୍ଗୀର, ଅନୁଗୁଳରେ ତାପମାତ୍ରା ଅନୁରୂପ ଭାବେ ବଢ଼ୁଛି।

ତେବେ ଉପକୂଳ ଓ ଉତ୍ତର ଓଡ଼ିଶାରେ ଆଜି କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ଅପରାହ୍ନଠାରୁ ଅଧିକାଂଶ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଜାରି ରହିଛି। କେତେକ ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ହେବାରୁ ବିଦ୍ୟୁତ୍‌ ସଂଯୋଗ ବାଧାପ୍ରାପ୍ତ ହୋଇଛି। ଛୋଟ ଗଛ ଭାଙ୍ଗି ପଡ଼ିଛି। ବିଶେଷକରି ଖୋର୍ଧା, କଟକ, ବାଲେଶ୍ବର, ଭଦ୍ରକ ପ୍ରଭୃତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରିପୋର୍ଟ ଲେଖା ହେବା ବେଳକୁ କ୍ଷୟକ୍ଷତି ସମ୍ପର୍କିତ କୌଣସି ତଥ୍ୟ ମିଳିପାରିନି।

ପାଣିପାଗ ବିଭାଗର ଆକଳନ ହେଉଛି ଯେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଅର୍ଧାଧିକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ‌କନ୍ଧମାଳ, ଦେବଗଡ଼, ଢ଼େଙ୍କାନାଳ, କଳାହାଣ୍ଡି, ଗଞ୍ଜାମ, ବୌଦ୍ଧ, ନୟାଗଡ଼, କେନ୍ଦ୍ରାପଡ଼ା, କଟକ ଓ ଅନୁଗୁଳ ଉପରେ ଅଧିକ ପ୍ରଭାବ ରହିବ। ଝଡ଼ବର୍ଷା ହେବ। ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୦ କିମି ପର୍ଯ୍ୟନ୍ତ ହୋଇପାରେ। ବଜ୍ରପାତ ଆଶଙ୍କା ରହୁଥିବାରୁ ଲୋକଙ୍କୁ ସତର୍କ କରାଯାଇଛି। ପ୍ରତି ୨ରୁ ୩ ଘଣ୍ଟା ବ୍ୟବଧାନରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହେଉଛି। କେଉଁ ଅଞ୍ଚଳରେ କେତେ ବେଳେ ବଜ୍ରପାତ ହେବ ସେନେଇ ସତର୍କ ରଖିବାକୁ କୁହାଯାଉଛି।

ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ଉତ୍ତର ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିସହ ଉତ୍ତରପ୍ରଦେଶରୁ ମଧ୍ୟପ୍ରଦେଶ ଦେଇ ଛତିଶଗଡ଼କୁ ଏକ ଟ୍ରପ୍‌ ଲାଇନ୍‌ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ରହୁଛି। ଏପ୍ରିଲ ୩ ତାରିଖଠାରୁ ପାଗରେ ପରିବର୍ତନ ହେବ। ଉତ୍ତର ଓଡ଼ିଶାରେ ୨ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ। ଉପକୂଳରେ ବି ଗୋଟିଏ ଡିଗ୍ରି ବଢ଼ିବ। ଆଭ୍ୟନ୍ତରୀଣ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବ। ଗୁଳୁଗୁଳି ବି ଅନୁଭୂତ ହେବ। ଏପ୍ରିଲ ଦ୍ବିତୀୟ ସପ୍ତାହରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ।

ଚିରିଗଲା ପତିତପାବନ ବାନା

ପୁରୀ : ରବିବାର ସନ୍ଧ୍ୟାରେ ପୁରୀରେ ପ୍ରବଳ ଝଡ଼ତୋଫାନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପବନ ସାଙ୍ଗକୁ ଧୂଳିଝଡ଼ରେ ଲୋକେ ନାକେଦମ୍‌ ହୋଇଛନ୍ତି। ଏହାର ପ୍ରଭାବରେ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ପତିତପାବନ ବାନା ଚିରିଯାଇଛି। ସେହିଭଳି ସହରର ବିଭିନ୍ନ ସ୍ଥାନରେ ଗଛଡାଳ ଭାଙ୍ଗି ପଡିଥିବା ବେଳେ ହୋଡିଂ, ବ୍ୟାନର ସବୁ ଉଡ଼ି ତଳେ ପଡିଛି। ପୁରୀ ରେଳ ଷ୍ଟେସନ୍‌ରେ ଲାଗିଥିବା ୩୦ ଫୁଟ୍‌ ଲମ୍ବର ଜାତୀୟ ପତାକା ମଧ୍ୟ ଚିରିଯାଇଛି। ପବନରେ ମେଡ଼ିକାଲ ଛକରେ ରହିଥିବା ଟ୍ରାଫିକ୍ ପୋଷ୍ଟ ଓଲଟି ପଡ଼ିଛି। ପ୍ରବଳ ଧୂଳିଝଡ ଯୋ‌ଗୁ ସମୁଦ୍ରକୂଳ ଓ ବଡଦାଣ୍ଡ‌ରେ ଲୋକେ ଘରୁ ବାହାରି ପାରିନାହାନ୍ତି। ବେଳାଭୂମି ଅଞ୍ଚଳରେ ପ୍ରବଳ ମାତ୍ରାରେ ବାଲି ଉଡ଼ିବାରୁ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇ ଯାଇଥିଲା। ଝଡ଼ ପ୍ରଭାବରେ କେବଳ ବଡଦାଣ୍ଡ ଓ ସମୁଦ୍ରକୂଳ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ଥିବା ବେଳେ ପୁରୀ ଆଖପାଖ ଅଞ୍ଚଳ ଅନ୍ଧାରରେ ରହିଛି।

ସମ୍ବନ୍ଧିତ ଖବର