ପୁରୀ, : ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ଏଫ୍ଏଫ ରେଡିଓ ଷ୍ଟେସନ୍‌ ଖୋଲିବ। ଯଦ୍ବାରା ଭକ୍ତମାନେ ଶ୍ରୀମନ୍ଦିର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇତିବୃତ୍ତି ଜାଣି ପାରିବେ। ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ହୋଇପାରିବ। ବିଶ୍ବ ଦରବାରର କୋଣ ଅନୁକୋଣରେ ଶ୍ରୀଜଗନ୍ନାଥ ସଂସ୍କୃତି ପହଞ୍ଚି ପାରିବ। ଅତୀତରେ ଏହି ମହତ ଯୋଜନାର ମଞ୍ଜି ବୁଣିଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶାନିଯୋଗ। ଶ୍ରୀମନ୍ଦିର ପ୍ରଶାସନ ବି ଏଥିରେ ଚୂଡ଼ାନ୍ତ ମୋହର ମାରିଥିଲା। ଇତିମଧ୍ୟରେ ୧୦ ବର୍ଷ ବିତିଲାଣି, କିନ୍ତୁ ଦୁର୍ଭାଗ୍ୟର କଥା ଯେ ଆଜି ପର୍ଯ୍ୟନ୍ତ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନି। ଆସନ୍ତାକାଲି ବିଶ୍ବ ରେଡିଓ ଦିବସ ପାଳନ ହେଉଥିବା ବେଳେ ଏବେ ବି ଶ୍ରୀମନ୍ଦିର ପ୍ରଶାସନ ଆନ୍ତରିକତା ଦେଖାଇଲେ, ଏହି ମହତ ଯୋଜନା ପୂର୍ଣ୍ଣରୂପ ନେଇପାରିବ ବୋଲି ସେବାୟତମାନେ ମତ ଦେଇଛନ୍ତି।

Advertisment

ଛତିଶାନିଯୋଗ ଓ ବରିଷ୍ଠ ସେବାୟତଙ୍କ ବହୁବାର ଦାବି ପରେ ୨୦୧୩ ମସିହା ଜୁନ୍‌ ୧୮ ତାରିଖ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୌରୋହିତ୍ୟରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଏକ ଏଫଏମ୍‌ ଷ୍ଟେସନ୍‌ ଖୋଲିବା ନେଇ ଗୁରୁ ନିଷ୍ପତ୍ତି ନିଆଯାଇଥିଲା। ବୈଠକ ପରେ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ପାଢ଼ୀ କହିଥିଲେ ଯେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି କ୍ରମେ ସ୍ଥାପନ ହେବାକୁ ଥିବା ଏହି ଏଫଏମ୍‌ ଷ୍ଟେସନ୍‌ ପାଇଁ ପ୍ରାୟ ୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ୨୦୧୩ ମସିହା ଜୁଲାଇ ମାସ ରଥଯାତ୍ରା ସରିବା ପରେ ପରେ ଏହି ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ଶ୍ରୀ ପାଢ଼ୀ କହିଥିଲେ। ଇତିମଧ୍ୟରେ ଦଶନ୍ଧି ବିତିଲାଣି ଓ ତିନିଥର ଶ୍ରୀମନ୍ଦିର ପରିଚାଳନା କମିଟି ବଦଳି ସାରିଲେଣି। ନୂଆ ଶ୍ରୀମନ୍ଦିର ପରିଚାଳନା କମିଟି ଦାୟିତ୍ବ ନିର୍ବାହ କରୁଛି। ତଥାପି ଏଥିପ୍ରତି କେହି ଦୃଷ୍ଟି ନଦେବା ତଥା ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି ପ୍ରସଙ୍ଗ ଥରୁଟିଏ ବି ନ ଉଠିବା ପ୍ରସଙ୍ଗକୁ ବରିଷ୍ଠ ସେବାୟତମାନେ ସମାଲୋଚନା କରିଛନ୍ତି।

ଏ ସମ୍ପର୍କରେ ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ଯେ ‌ସେ ସମୟରେ ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ଏଫ୍‌ଏମ୍‌ ଷ୍ଟେସନ୍‌ ସ୍ଥାପନର ମୂଳ ଲକ୍ଷ୍ୟ ଥିଲା ଭକ୍ତଙ୍କୁ ସଚେତନ କରିବା। ଚାରିଧାମରୁ ଶ୍ରେଷ୍ଠ ଧାମ ହେଉଛି ବିଶ୍ବପ୍ରସିଦ୍ଧ ଶ୍ରୀକ୍ଷେତ୍ର। ଏଣୁ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଏଫଏମ ରେଡିଓ ଷ୍ଟେସନ୍‌ ସ୍ଥାପନ ଅତ୍ୟାବଶ୍ୟକ। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଏଥିପାଇଁ ସ୍ବତନ୍ତ୍ର କୋଠରୀର ବ୍ୟବସ୍ଥା ସହ ରଥଯାତ୍ରା ପୂର୍ବରୁ ଏହାର ଶୁଭାରମ୍ଭ କରିବାକୁ ଶ୍ରୀ ଖୁଣ୍ଟିଆ ଦାବି ରଖିଛନ୍ତି। ଏ ସମ୍ପର୍କରେ ନିକଟରେ ନିଯୋଗ ତରଫରୁ ଏକ ଦାବିପତ୍ର ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ଏ ସମ୍ପର୍କରେ ରେଡିଓ ଜକି ସୁବ୍ରତ ପତି କହିଛନ୍ତି ଯେ ରେଡିଓ ଷ୍ଟେସନ୍‌ ଖୋଲିବା ନେଇ ରାଜ୍ୟ ସରକାର ଯାହା ବି ଘୋଷଣା ତଥା ପ୍ରତିଶ୍ରୁତି ଦେଇଛନ୍ତି, ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। ବିଜୁ ଗାଁ ରେଡିଓ ହେଉ କି ‌ଓଡ଼ିଶାର ପ୍ରତି ଜେଲ୍‌ରେ ରେଡିଓ ଷ୍ଟେସନ୍‌ ଖୋଲାଯିବା ପ୍ରସଙ୍ଗ, ସବୁକିଛି ଘୋଷଣାରେ ଅଟକିଛି। ଶ୍ରୀମନ୍ଦିର ପାଇଁ ରେଡିଓ ଷ୍ଟେସନ୍‌ ଖୋଲିଥିଲେ, ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ହୋଇପାରିଥାନ୍ତା। ସାରା ବିଶ୍ବରେ ବିଭିନ୍ନ ଧର୍ମର ପ୍ରଚାରପ୍ରସାର ପାଇଁ ବହୁସଂଖ୍ୟ‌ାରେ ରେଡିଓ ଷ୍ଟେସନ୍‌ ଅଛି। କିନ୍ତୁ ହିନ୍ଦୁ ଧର୍ମର ପ୍ରଚାରପ୍ରସାର ପାଇଁ ‌ସେଭଳି କୌଣସି ରେଡିଓ ଷ୍ଟେସନ୍‌ ନାହିଁ। ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି ଯେ ଏହି ଘଟଣା ଉପରେ ସେ ନଜର ଦେବେ।