ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ପାଣ୍ଠି : କ୍ଷମତାର ସୀମା ଡେଇଁଛନ୍ତି ପ୍ରଶାସକ!

ପୁରୀ : ମହାପ୍ରଭୁଙ୍କ ସମସ୍ତ ପାଣ୍ଠି ଶ୍ରୀମନ୍ଦିର ପରିଚାଳନା କମିଟି, ଅର୍ଥ ସବ୍‌କମିଟି ଓ ଫାଉଣ୍ଡେସନ୍‌ ଫଣ୍ଡ୍‌ କମିଟି ଅଗୋଚରେ ‌ଘରୋଇ ବ୍ୟାଙ୍କରେ ଜମା କରି ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଆଇନର ବାଡ଼ ଡେଇଁଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ଗୋଟିଏ କଥା କହୁଥିବା ବେଳେ ପ୍ରଶାସକ କିଭଳି ସବୁ ଆଇନର ସୀମା ଡେଇଁ ମହାପ୍ରଭୁଙ୍କ ପାଣ୍ଠିକୁ ଘରୋଇ ବ୍ୟାଙ୍କରେ ଜମା ରଖିଲେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟ ପ୍ରଶାସକ ହୁଅନ୍ତି କି ଆଉ ଯିଏ କେହି, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଣ୍ଠିକୁ ପରିଚାଳନା କମିଟି ଓ ଫାଉଣ୍ଡେସନ୍‌ ଫଣ୍ଡ୍‌ କମିଟି ଅଗୋଚରରେ ଜମା ରଖିବା ତାଙ୍କ କ୍ଷମତା ବାହାରେ ବୋଲି ଆଇନରେ ସ୍ପଷ୍ଟ ଅଛି। ୧୯୫୬ ‘ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟ’ରେ ପାଣ୍ଠିକୁ ନେଇ ସମସ୍ତ କଥା ଉଲ୍ଲେଖ ରହିଛି। ଆଇନରେ ଯାହା ରହିଛି ତା’ର ଅନୁସରଣ କରାଯାଇ ନାହିଁ।

ଶ୍ରୀଜଗନ୍ନାଥ ମନ୍ଦିର ଆଇନର ଧାରା ୨୮ରେ ଶ୍ରୀଜଗନ୍ନାଥ ଟେମ୍ପୁଲ୍‌ ଫଣ୍ଡ୍‌, ଓ ଶ୍ରୀଜଗନ୍ନାଥ ଟେମ୍ପୁଲ୍‌ ଫାଉଣ୍ଡେସନ୍‌ ଫଣ୍ଡ୍‌ ବିଷୟରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଶ୍ରୀଜଗନ୍ନାଥ ‌ଟେମ୍ପୁଲ୍‌ ଫାଉଣ୍ଡେସନ୍‌ ଫଣ୍ଡ୍‌ କଥା ଧାରା ୨୮ ସି’ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ତେବେ ଘରୋଇ ବ୍ୟାଙ୍କରେ ଟଙ୍କା ଜମା କରିବା ବେଳେ ଧାରା ‘ସି’ରେ ଥିବା ନିୟମକୁ ପରିପାଳନ କରାଯାଇଛି କି ନାହିଁ ତାହା ଏବେ ସନ୍ଦେହ ଘେରକୁ ଆସିଛି। ସେକସନ ‘ସି’ରେ ଶ୍ରୀଜଗନ୍ନାଥ ଟେମ୍ପୁଲ୍‌ ଫାଉଣ୍ଡେସନ୍‌ ଫଣ୍ଡ୍‌ ନାମରେ ଏକ କମିଟି ଗଠନ କରାଯିବ। ମହାପ୍ରଭୁଙ୍କ ନାମରେ ମିଳୁଥିବା ସମସ୍ତ ଦାନ (ପାଞ୍ଚଶହ ଟଙ୍କାରୁ ଅଧିକ) କିମ୍ବା ହୁଣ୍ଡି ଆୟ ଏହି ପାଣ୍ଠିରେ ରହିବ। ଏହି ପାଣ୍ଠିକୁ ଏହି ଦୀର୍ଘ ମିଆଦୀ ସ୍ଥାୟୀ ଜମା ଆକାରରେ ରଖାଯିବ। ଏହି ଅର୍ଥକୁ ରାଜ୍ୟ ସରକାରଙ୍କ ଅନୁମୋଦନପ୍ରାପ୍ତ ବ୍ୟାଙ୍କରେ ରଖାଯାଇପାରିବ।

ଏହାର ସୁଧ ଶ୍ରୀଜଗନ୍ନାଥ ମନ୍ଦିର ପାଣ୍ଠିରେ ରହିବ। ଏହି ସୁଧ ୧୦ ପ୍ରତିଶତରୁ ଅଧିକ ହୋଇ ନ ଥିବ। ତେବେ ଫାଉଣ୍ଡେସନ୍‌ ଫଣ୍ଡ୍‌ କମିଟିର ଜ୍ଞାତସାରରେ ସବୁ କିଛି କାରବାର ହେବ ଓ ସେମାନେ ଏହା ଜାଣିଥିବେ।

ଏହି ଫାଉଣ୍ଡେସନ୍‌ ଫଣ୍ଡ୍‌ କମିଟିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିବେ, ଆଇନ ମନ୍ତ୍ରୀ ଏହାର କାର୍ଯ୍ୟକାରୀ ଅଧ୍ୟକ୍ଷ ରହିବେ, ସଭ୍ୟ ଭାବେ ଆଇନ ବିଭାଗର ସଚିବ, ଅର୍ଥ ବିଭାଗର ସଚିବ କିମ୍ବା ଯୁଗ୍ମ ସଚିବ ପାହ୍ୟାର ଜଣେ ଅଧିକାରୀ ତାଙ୍କର ପ୍ରତିନିଧି ଓ ପୁରୀ ଜିଲ୍ଲାପାଳ ଏହାର ସଭ୍ୟ ରହିବେ। ମୁଖ୍ୟ ପ୍ରଶାସକ ଏହାର ସଂପାଦକ ଦାୟିତ୍ବରେ ରହିବେ। ସମସ୍ତଙ୍କ ଅବଗତିରେ ଯାହା କିଛି ହେବ। ‌ ଅଧ୍ୟକ୍ଷ ବା ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଥିଲେ କାର୍ଯ୍ୟକାରୀ ଅଧ୍ୟକ୍ଷ କିମ୍ବା ଆଇନ ମନ୍ତ୍ରୀ ଅଧ୍ୟକ୍ଷଙ୍କ ଦାୟିତ୍ବ ସଂପାଦନ କରିବେ। ଏହି ଦୁଇ ପଦବି ଫାଙ୍କା ଥିଲେ ଆଇନ ବିଭାଗର ସଚିବ ଏହି ଦାୟିତ୍ବ ସଂପାଦକ କରିବେ। ମାତ୍ର ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ବା ମହାପ୍ରଭୁଙ୍କ ପାଣ୍ଠିକୁ ଘରୋଇ ବ୍ୟାଙ୍କରେ ଜମା କରିଥିବା ଅଧିକାରୀ ଶ୍ରୀଜଗନ୍ନାଥ ଟେମ୍ପୁଲ୍‌ ଫାଉଣ୍ଡେସନ୍‌ ଫଣ୍ଡ୍ କମିଟିର ଅନୁମୋଦନ କାହିଁକି ନେଲେ ନାହିଁ ତାକୁ ନେଇ ବଡ଼ ପ୍ରଶ୍ନ ଠିଆ ହୋଇଛି।

ଏ ସଂପର୍କରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ପଚାରିବାରେ ଏଭଳି ଆଇନ ସଂପର୍କରେ ସେ ଅବଗତ ନଥିବା କହିଛନ୍ତି। ଟଙ୍କା ଜମା କରିବା ପାଇଁ ଅନୁମତି ଆବଶ୍ୟକ ପଡ଼ୁଥିବ ବୋଲି ତାଙ୍କର ଧାରଣା ନାହିଁ। ଜଗନ୍ନାଥ ମନ୍ଦିର ଏକ ସ୍ବୟଂ ପରିଚାଳିତ ଅନୁଷ୍ଠାନ। ତେଣୁ ଏଭଳି ହୋଇନଥିବ ବୋଲି ମଧ୍ୟ ସେ କହିଛନ୍ତି। ଅନ୍ୟପକ୍ଷରେ ଆଇନର ୧୫ ଧାରା ୩ ପଏଣ୍ଟ୍‌ରେ ଶ୍ରୀମନ୍ଦିର ପାଣ୍ଠିର ସୁରକ୍ଷା ସଂପୂର୍ଣ୍ଣ ପରିଚାଳନା କମିଟିର ଦାୟିତ୍ବ ବୋଲି ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।

ଅନ୍ୟପକ୍ଷରେ ମୁଖ୍ୟ ପ୍ରଶାସକଙ୍କ ସ୍ବତନ୍ତ୍ର କ୍ଷମତାରେ ମଧ୍ୟ ପାଣ୍ଠି ଜମା କରିବାର କ୍ଷମତା ନାହିଁ। ତେବେ ପରିଚାଳନା କମିଟି, ଶ୍ରୀଜଗନ୍ନାଥ ଟେମ୍ପୁଲ୍‌ ଫାଉଣ୍ଡେସନ୍‌ ଫଣ୍ଡ୍‌ କମିଟିର ବିନା ଅନୁମତିରେ ପ୍ରଶାସକ ଏ ଭଳି ଦୁଃସାହସ କରିଥିଲେ ଏହା ଆଇନ ବିରୋଧୀ। ସବୁଠୁ ବଡ କଥା ମହାପ୍ରଭୁଙ୍କ ପାଣ୍ଠି ଜମା ହେବା ନେଇ ଖୋଦ ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜ ମଧ୍ୟ ଅବଗତ ନଥିବା ଜଣାପଡ଼ିଛି। ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ସମସ୍ତଙ୍କୁ କାହିଁକି ଅନ୍ଧାରରେ ରଖାଗଲା, ଅନ୍ଧାରେ ରଖିଥିବା ଅଧିକାରୀଙ୍କ ଏଥିରେ କି ସ୍ବାର୍ଥ ଅଛି, ଆଇନର ଉଲ୍ଲଂଘନ କରିଥିବା ଅଧିକାରୀଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ତାକୁ ନେଇ ‌ଏବେ ଉତ୍ସୁକତା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ମହାପ୍ରଭୁଙ୍କ ପାଣ୍ଠି ଟଙ୍କାକୁ ଘରୋଇ ବ୍ୟାଙ୍କରେ ବର୍ଷକ ତଳୁ ରଖାଗଲାଣି। ଏହାରି ଭିତରେ ୩ରୁ ୪ଟି ପରିଚାଳନା କମିଟି ବୈଠକ ସରିଥିଲେ ବି ହଠାତ୍ ଗତ ବୈଠକରେ ଏ ପ୍ରସଙ୍ଗ ଉଠିବା ମଧ୍ୟ ଘଟଣାକୁ ଅଧିକ ରୋଚକ ମୋଡ଼ ଦେଇଛି।

ସମ୍ବନ୍ଧିତ ଖବର