ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ୍‌, ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଶ୍ରୀମନ୍ଦିର ପ୍ରଶାସନର ତଦନ୍ତ ଆରମ୍ଭ

ପୁରୀ : ଶ୍ରୀମନ୍ଦିରର ସବୁଠୁ ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା ଗର୍ଭଗୃହ ଭିଡିଓ ଓ ଫଟୋ ଆଜି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଆକାଶ ଚୌଧୁରୀ ନାମକ ଯୁବକ ନିଜ ଫେସବୁକ ଆକାଉଣ୍ଟରେ ଏହାକୁ ପୋଷ୍ଟ କରିଛନ୍ତି। ଆକାଶ ଜଣେ ୟୁ-ଟ୍ୟୁବର ଓ ଇସ୍କନ ଭକ୍ତ ବୋଲି ଜଣାପଡ଼ିଛି। ରୋଷଘର ଚୁଲି ଭଙ୍ଗା, କିନ୍ନର ଆତ୍ମହତ୍ୟା ଭଳି ଅନେକ ବିବାଦୀୟ ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ବିଶ୍ବ ଦରବାରରେ ନିନ୍ଦିତ ହୋଇଥିବାବେଳେ ଶନିବାର ଦିନ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଓ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପୁଣିଥରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀମନ୍ଦିର ଭିତରେ ଓ ବାହାରେ ମାଳ ମାଳ ପୁଲିସ ପହରା ଭିତରେ ଜଣେ ଯୁବକ ଭିଡିଓ ଓ ଫଟୋ ଉତ୍ତୋଳନ କିଭଳି କଲେ ବୋଲି ସେବାୟତ, ଭକ୍ତ ମହଲ ପ୍ରଶ୍ନ କରିଛନ୍ତି। ପୂର୍ବରୁ ୨୦୧୭ ମସିହାରେ ପ୍ରଥମ ଥର ଗର୍ଭଗୃହ ଫଟୋ ଭାଇରାଲ୍‌ ହୋଇଥିଲା। ଏହା ଗର୍ଭଗୃହର ଦ୍ବିତୀୟ ଭାଇରାଲ୍‌ ଘଟଣା ବୋଲି ସେବାୟତମାନେ ମତ ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଶନିବାର ଦିନ ଆକାଶଙ୍କ ଫେସବୁକ୍‌ ଆକାଉଣ୍ଟ୍‌ରେ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଓ ଫଟୋ ପୋଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଜୟ-ବିଜୟ ଦ୍ବାର ପାହାଚ ଉପରେ ଛିଡ଼ା ହୋଇ ଭିଡିଓ ଓ ଫଟୋ ଉତ୍ତୋଳନ କରାଯାଇଥିବା ଭିଡିଓ ଓ ଫଟୋରେ ଦେଖିବାକୁ ମିଳିଛି। ଯେଉଁଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁ ରତ୍ନସିଂହାସନରେ ବିଜେ ଥିବା ଦେଖିବାକୁ ମିଳିଛି। ବଡ଼ସିଂହାର ବେଶ ପୂର୍ବରୁ ଏହି ଫଟୋ ଓ ଭିଡିଓ ଉତ୍ତୋଳନ କରାଯାଇଥିବା ଅନୁମାନ କରାଯାଉଛି। ଗହଳି ଭିତରେ ଖୋଲାଖୋଲି ଭିଡିଓ ଓ ଫଟୋ ଉତ୍ତୋଳନ ହେଉଥିବା ଦେଖିବାକୁ ମିଳିଛି। ଏହି ଜାଗାରେ ଓଏସ୍‌ଏପି ଡ୍ୟୁଟି କରୁଥିବା ବେଳେ କିଏ, କେଉଁଭଳି ସ୍ଥିତିରେ ଏହି ଭିଡିଓ ଓ ଫଟୋ ‌ଉତ୍ତୋଳନ କଲା ତାହା ଜଣାପଡ଼ିନି। ଏହି ଭିଡିଓ ଓ ଫଟୋ କେଉଁ ଦିନର ବି ତାହା ସ୍ପଷ୍ଟ ହୋଇନି।

ଶ୍ରୀମନ୍ଦିର ପ୍ରଶାସନ ଏହି ଫଟୋ ଓ ଭିଡିଓ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ଶ୍ରୀମନ୍ଦିର ପ୍ରଶାସନ ଏ ସମ୍ପର୍କରେ ସିଂହଦ୍ବାର ଥାନାରେ ଏତଲା ଦେଇପାରେ ବୋଲି ଜଣାପଡ଼ିଛି। ଅନ୍ୟପଟେ ଏହି ଘଟଣା ପ୍ରଘଟ ହେବା ପରେ ଆକାଶ ନିଜ ଫେସବୁକ୍‌ ଆକାଉଣ୍ଟ ବ୍ଲକ୍‌ କରି ଦେଇଥିବା ଜଣାପଡ଼ିଛି। ଆକାଶଙ୍କ ୟୁ-ଟ୍ୟୁବ ଚ୍ୟାନେଲ୍‌ରୁ ସେ ବାଲାଂଦେଶର ସିଲେଟ୍‌ ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ସିଲେଟ୍‌ସ୍ଥିତ ନିମ୍ବାକ ଗୀତା ଶିକ୍ଷା କେନ୍ଦ୍ରରେ ଅଧ୍ୟୟନ କରୁଥିବା ନିଜ ଫେସବୁକ ଓ ୟୁ-ଟ୍ୟୁବରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର