ପୁରୀ : ଶ୍ରୀମନ୍ଦିରର ସବୁଠୁ ସମ୍ବେଦନଶୀଳ ଅଞ୍ଚଳ ଗର୍ଭଗୃହର ଭିଡିଓ ଓ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ଘଟଣାକୁ ନେଇ ସିଂହଦ୍ବାର ଥାନାରେ ଦୁଇଟି ଅଭିଯୋଗ ହୋଇଛି। ଗୋଟିଏ ଅଭିଯୋଗ ଶ୍ରୀମନ୍ଦିର ଏକାଦଶୀ ସେବା ସଂଘ ପକ୍ଷରୁ କରାଯାଇଥିବା ବେଳେ ଅନ୍ୟଟି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଛି। ଶ୍ରୀମନ୍ଦିର ଏକାଦଶୀ ସେବା ସଂଘର ସମ୍ପାଦକ ଶିବଶଙ୍କର ସୁବୁଦ୍ଧିଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଗତକାଲି ୟୁ-ଟ୍ୟୁବର୍ ଓ ଇସ୍କନ୍ ଭକ୍ତ ଆକାଶଙ୍କ ଫେସ୍ବୁକ୍ ଆକାଉଣ୍ଟ୍ରେ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଓ ଫଟୋ ପୋଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଜୟ-ବିଜୟ ଦ୍ବାର ପାହାଚ ଉପରେ ଛିଡ଼ାହୋଇ ଭିଡିଓ ଓ ଫଟୋ ଉତ୍ତୋଳନ କରାଯାଇଥିବା ପୋଷ୍ଟ ହୋଇଥିବା ଭିଡିଓ ଓ ଫଟୋରୁ ଜଣାପଡ଼ିଥିଲା। ଯେଉଁଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁ ରତ୍ନସିଂହାସନରେ ବିଜେ ଥିବା ଦେଖିବାକୁ ମିଳିଛି। ବଡ଼ସିଂହାର ବେଶ ପୂର୍ବରୁ ଏହି ଫଟୋ ଓ ଭିଡିଓ ଉତ୍ତୋଳନ କରାଯାଇଥିବା ଅନୁମାନ କରାଯାଉଛି। ଗହଳି ଭିତରେ ଖୋଲାଖୋଲି ଭିଡିଓ ଓ ଫଟୋ ଉତ୍ତୋଳନ ହେଉଥିବା ଦେଖିବାକୁ ମିଳିଛି। ଏହା ଜଣାପଡ଼ିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଶାସକ (ସୁରକ୍ଷା) ଭି ଏସ୍ ଚନ୍ଦ୍ରଶେଖର ରାଓ ମଧ୍ୟ ସିଂହଦ୍ବାର ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅନ୍ୟପଟେ ଆକାଶ ନିଜ ଫେସବୁକ୍ ଆକାଉଣ୍ଟ୍ ବ୍ଲକ୍ କରି ଦେଇଛନ୍ତି। ଆକାଶଙ୍କ ୟୁ-ଟ୍ୟୁବ୍ ଚ୍ୟାନେଲ୍ରୁ ସେ ବାଲାଂଦେଶ ସିଲେଟ୍ ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ସିଲେଟ୍ସ୍ଥିତ ନିମ୍ବାକ ଗୀତା ଶିକ୍ଷା କେନ୍ଦ୍ରରେ ଅଧ୍ୟୟନ କରୁଥିବା ନିଜ ଫେସ୍ବୁକ ଓ ୟୁ-ଟ୍ୟୁବରେ ଉଲ୍ଲେଖ କରିଛନ୍ତି।
ଶ୍ରୀମନ୍ଦିର ସୁରକ୍ଷା ଉପରେ ନଜର ରଖିବା ପାଇଁ ଓଏସ୍ଏପିର ବରିଷ୍ଠ ଅଧିକାରୀଙ୍କ ସମେତ ଶ୍ରୀମନ୍ଦିର ଭିତରେ ଓ ବାହାରେ ଓଏସ୍ଏପି ନିୟୋଜିତ ଅଛନ୍ତି। କିନ୍ତୁ, ସୁରକ୍ଷା ଅପେକ୍ଷା ଅଧିକାଂଶ ସମୟ ଏମାନେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହୁଥିବାରୁ ଏଭଳି ଘଟଣା ଘଟୁଥିବା ନେଇ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ୨୦୧୭ ମସିହାରେ ପ୍ରଥମ ଥର ଗର୍ଭଗୃହ ଫଟୋ ଭାଇରାଲ୍ ହୋଇଥିବା ବେଳେ ପୁଲିସ ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରିନଥିଲା।