ଶ୍ରୀମନ୍ଦିରକୁ ମିଳିଛି କେଜି କେଜି ସୁନା, ରୁପା ଅଳଙ୍କାର

ପୁରୀ : ଶ୍ରୀମନ୍ଦିର କଳାହାଟ ଦ୍ବାର, ଜୟ-ବିଜୟ ଦ୍ବାର, ବେହେରଣ ଦ୍ବାର, ସାତ ପାହାଚ ଦ୍ବାର ସମେତ ୮ଟି ଦ୍ବାରରେ ରୁପା ଚାଦର ଦିଆଯିବ। ରୁପା ଚାଦର ଦେବା ପୂର୍ବରୁ ଏହି ଦ୍ବାର ସମ୍ପୂର୍ଣ୍ଣ ନୂଆ ଭାବେ ସ୍ବତନ୍ତ୍ର ବର୍ମା ଟିକ୍‌ରେ ନିର୍ମାଣ ହେବ। ଏଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। ମୁମ୍ବାଇର ୬ ଜଣିଆ କାରିଗର ଦଳ ବି ଆସି ପୁରୀରେ ଡେରା ପକାଇଛନ୍ତି। ଦ୍ବାର ନିର୍ମାଣ ପାଇଁ ୧୩୦ ଖଣ୍ଡ ବର୍ମା ଟିକ୍‌ ଆସି ପହଞ୍ଚିଥିବା ବେଳେ ଆଉ ଦିନେ ଦୁଇଦିନ ଭିତରେ କାମ ଆରମ୍ଭ ହେବାକୁ ଯାଉଛି। ମୁମ୍ବାଇର ଜଣେ ଦାତା ଏ ବାବଦ ରୁପା ଦାନ ସୂତ୍ରରେ ଦେବା ସହ ଆବଶ୍ୟକ କାଠ ବି ଯୋଗାଇ ଦେଇଛନ୍ତି। ଦୀର୍ଘ ବର୍ଷ ପରେ ଶ୍ରୀମନ୍ଦିରର ଏଭଳି ନିଆରା କାମ ଆରମ୍ଭ ହେବାକୁ ଯାଉଥିବାବେଳେ ଦାତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ମୁମ୍ବାଇର ଏହି ଦାତା କିଏ ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି। କିନ୍ତୁ ସମ୍ପୃକ୍ତ ଦାତା ନିଜ ନାମ ଗୋପନ ରଖିବାକୁ ନିବେଦନ କରିବାରୁ ଶ୍ରୀମନ୍ଦିର ପ୍ରଶାସନ ଦାତାଙ୍କ ନାମ ଆଜି ପର୍ଯ୍ୟନ୍ତ ଗୋପନ ରଖିଛି। ତେବେ, ଏଭଳି ମହତ କାମର ପ୍ରଚ୍ଛଦପଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ପ୍ରମୁଖ ହାତ ରହିଥିବା କୁହାଯାଉଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଡ. କୁମାର ସଂପୃକ୍ତ ଦାତାଙ୍କ ସହ ନିଜସ୍ବ ଉଦ୍ୟମରେ ଯୋଗସୂତ୍ର ରକ୍ଷା କରି ଏଭଳି କାମ କରିବାକୁ ପରାମର୍ଶ ଦେଇଥିଲେ। ଏହା ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ଭକ୍ତିଭାବ ହେବ ବୋଲି କହିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ମୁମ୍ବାଇର ଏହି ଦାତା ବି ସଙ୍ଗେ ସଙ୍ଗେ ଏହି ପରାମର୍ଶରେ ରାଜି ହୋଇ ଏଭଳି କାମ କରିବାକୁ ଆଗେଇ ଆସିଥିଲେ।

ଗତ ଜାନୁଆରି ୩ରେ ଭୁବନେଶ୍ବରର ଭକ୍ତ ଶିବପ୍ରସାଦ ପଣ୍ଡା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୨୧ କେଜି ରୁପା ଦାନ କରିଥିଲେ। ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କ ସହ ଅଧିଷ୍ଠିତ ଶ୍ରୀଦେବୀ, ଭୂଦେବୀ ଓ ଦକ୍ଷିଣୀ ଘରେ ବିଜେ ମଦନମୋହନଙ୍କ ନୂତନ ପ୍ରଭା ନିର୍ମାଣ ପାଇଁ ସେ ଏହି ରୁପା ଦାନ କରିଥିଲେ। ଏହାର ୭ ଦିନ ପରେ ଅର୍ଥାତ୍‌ ଜାନୁଆରି ୧୦ରେ ଭୁବନେଶ୍ବରର ଦାତା ପଦ୍ମଚରଣ ପାତ୍ର ନିଜ ପରିବାର ସହ ଆସି ଶ୍ରୀମନ୍ଦିରକୁ ୩ ସେଟ୍‌ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନରେ ଦେଇଥିଲେ। ଯେଉଁଥିରେ ୩୧୯ ଗ୍ରାମ ସୁନା ଓ ୮୨୨ ଗ୍ରାମ ରୁପା ବ୍ୟବହାର କରାଯାଇଥିଲା। ପରେ ଫେବ୍ରୁଆରି ୨ ପବିତ୍ର ବସନ୍ତ ପଞ୍ଚମୀରେ ରଥ କାଠ ଅନୁକୂଳ ଅବସରରେ ଅନ୍ୟ ଜଣେ ଦାତା ସୁବଣ୍ଣ ଅଳଙ୍କାର ଦାନ କରିଥିଲେ। ଯେଉଁଥିରେ ୪ କେଜି ୮୫୮ ଗ୍ରାମ ସୁନା ଓ ୩ କେଜି ୮୭୬ ଗ୍ରାମ ବ୍ୟବହାର କରାଯାଇଥିଲା। ଏଥିରେ ବଡ଼ଠାକୁର ବଳଭଦ୍ରଙ୍କର ୪୦ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା, ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା ଏବଂ ମା’ ସୁଭଦ୍ରାଙ୍କ ୨ଟି ତଡ଼କି ଓ ୨ଟି ଝୋବା ରହିଥିଲା।

ସମ୍ବନ୍ଧିତ ଖବର