ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ ଜମି ବିବାଦ: ୭ ପରିବାରଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ

ତିନି ସପ୍ତାହ ଭିତରେ ନିର୍ବିବାଦୀୟ ଜାଗା ଦେବ ପ୍ରଶାସନ

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ରୁ ବିସ୍ଥାପିତ ୭ ପରିବାରକୁ ତୁରନ୍ତ ଜାଗା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅନ୍ୟପଟେ ଏହି ୭ ପରିବାରକୁ ପ୍ରଶାସନ ତିନି ସପ୍ତାହ ଭିତରେ ନିର୍ବିବାଦୀୟ ଜାଗା ଦେବାକୁ ବି ନ‌ିର୍ଦ୍ଦେଶ ଦେଇଛନ୍ତି। ଫଳରେ ଦୀର୍ଘଦିନ ଧରି ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ ସମ୍ପର୍କିତ ଜମିକୁ ନେଇ ଯେଉଁ ବିବାଦ ଦେଖା ଦେଇଥିଲା, ତାର ଅନ୍ତ ଘଟିଛି। ସେପଟେ ୭ ପରିବାରରୁ ୨ ପରିବାର ଏହା ଭିତରେ ଜାଗା ଛାଡ଼ି ସାରିଥିବା ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ୭୫ ମିଟର ଜାଗା ଅଧିଗ୍ରହଣବେଳେ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ପାର୍ଶ୍ବରେ ରହୁଥିବା ମୂଳ ବାସିନ୍ଦା କୃଷ୍ଣଚନ୍ଦ୍ର ଲେଙ୍କା, ଇନ୍ଦୁମଣି ସୁବୁଦ୍ଧି, ଚନ୍ଦ୍ରଲେଖା ମିଶ୍ର, ସତ୍ୟପ୍ରିୟ ପ୍ରଧାନ, କୃଷ୍ଣଚନ୍ଦ୍ର ଜେନା, ପ୍ରତିଭା ଦାସ ଓ ଲକ୍ଷ୍ମୀପ୍ରିୟା ସରାଫଙ୍କ ଘର ଯାଉଛି। ଏହି ୭ ପରିବାର ଜାଗା ଛାଡ଼ିବାକୁ ରାଜି ହେବାପରେ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ କ୍ଷତିପୂରଣ ରାଶି ବି ପ୍ରଦାନ କରିଥିଲା। ୭ ପରିବାର ୩୩ ଲକ୍ଷ ଟଙ୍କା ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିପୂରଣ ରାଶି ବାବଦକୁ ପାଇଛନ୍ତି। ସେହିଭଳି ବିସ୍ଥାପିତ ଏହି ୭ ପରିବାରକୁ ମଙ୍ଗଳାଘାଟ ଛକରେ ଖାତା ସଂଖ୍ୟା-୪୫୨ର ପ୍ଲଟ୍‌ ସଂଖ୍ୟା-୮୬ରେ ଥିବା ସରକାରୀ ଜମି ବି ଦିଆଯାଇଥିଲା।

କିନ୍ତୁ ପରବର୍ତ୍ତୀ ସମୟରେ ଏହି ଜାଗା ବିବାଦୀୟ ଥିବା ଜାଣିବା ପରେ ୭ ପରିବାର ହାଇକୋର୍ଟରେ ଆଶ୍ରୟ ନେଇଥିଲେ। ହାଇକୋର୍ଟରେ ଏ ସମ୍ପର୍କରେ କଣ୍ଟେମ୍ପ୍‌ଟ ପିଟିସନ୍‌(୧୫୨୨/୨୦୨୧) ଦାୟର କରିଥିଲେ। ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଏସ କେ ମିଶ୍ର ଓ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ୭ ପରିବାରକୁ ଯୋଗାଇ ଦିଆଯାଇଥିବା ଜମି ନିର୍ବିବାଦୀୟ ବୋଲି ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଯେହେତୁ ୭ ପରିବାର ରାଜ୍ୟ ସରକାରଙ୍କଠାରୁ ୩୩ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ନେଇ ସାରିଛନ୍ତି, ସେଥିପାଇଁ ତିନି ସପ୍ତାହ ଭିତରେ ଜାଗା ଦେବାକୁ କୁହାଯାଇଛି। ଏଥିସହ ୭ ପରିବାର ତୁରନ୍ତ ଶ୍ରୀମନ୍ଦିର ୭୫ ମିଟର କରିଡରରେ ଥିବା ନିଜ ନିଜ ଜାଗା, ଘରଡିହ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର