ପୁରୀ : କୌଣସି ପରିସ୍ଥିତିରେ ବି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ପରିଧିରେ ନିର୍ମାଣ କାର୍ଯ୍ୟ ହୋଇପାରିବନି। ଏହା ଏନ୍‌ଏମ୍‌ଏ ନିୟମର ଖୋଲା ଉଲ୍ଲଂଘନ। ଯଦି ୧୦୦ ମିଟର ପରିଧିରେ କିଛି ଖନନ ବା ନିର୍ମାଣ କାର୍ଯ୍ୟ କରାଯାଏ, ଶ୍ରୀମନ୍ଦିର ପ୍ରତି ବିପଦ ମାଡ଼ିଆସିବ। ଶ୍ରୀମନ୍ଦିରରେ ଫାଟ ସହ ଭୁଶୁଡ଼ିବା ପରିସ୍ଥିତି ସୃଷ୍ଟି ହେବ। ଯାହା ବି ନିର୍ମାଣ କାର୍ଯ୍ୟ କରାଯାଉଛି, ୧୦୦ ମିଟର ପରିଧି ବାହାରେ କରାଯାଉ। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଓ ଐତିହ୍ୟ କରିଡର ପ୍ରକଳ୍ପ ଅନୁଧ୍ୟାନ ପରେ ଦୁଇଦିନ ତଳେ ଏଏସ୍‌ଆଇ ଡିଜି ଭି. ବିଦ୍ୟାଭାରତୀ ଓ ତାଙ୍କ ଟିମ୍‌ ଏହି ଯୁକ୍ତି ବାଢ଼ିଥିଲେ। ଶ୍ରୀମନ୍ଦିର ବିପଦକୁ ନେଇ ଏଭଳି ଆଶଙ୍କା ବ୍ୟକ୍ତ କରିବା ପରେ ଐତିହ୍ୟ କରିଡର ପ୍ରକଳ୍ପର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ସେପଟେ ପ୍ରକଳ୍ପ କାମ ଏତେ ବାଟ ଆଗେଇବା ପରେ ଏଏସ୍‌ଆଇ ହଠାତ୍‌ ଚିହିଁକି ଉଠିବା ବି ସାଧାରଣରେ ପ୍ରଶ୍ନ ଠିଆକରିଛି। ଯଦି ପ୍ରକଳ୍ପ କାମ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥିଲା, ତେବେ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ମୁଣ୍ଡାଇଥିବା ଏଏସ୍‌ଆଇ ଏତେ ଦିନ ଧରି କାହିଁକି ଚୁପ ଥିଲା ବୋଲି ଭକ୍ତ ଓ ସେବାୟତ ମହଲ ପ୍ରଶ୍ନ କରିଛନ୍ତି। ହେଲେ ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟିର ନିରବତାକୁ ନେଇ ମଧ୍ୟ ଭକ୍ତ ମହଲ ପ୍ରଶ୍ନ ଉଠାଇଛନ୍ତି।

Advertisment

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ନକ୍ସା ଶ୍ରୀମନ୍ଦିର ପରିଚାଳନା କମିଟି ଓ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ଲାଭ କରିବା ପରେ ଦୁଇ ମାସ ତଳେ ଏହାର ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଅନ୍ୟ ମାନ୍ୟଗଣ୍ୟ ଅତିଥିଙ୍କ ଗହଣରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଇଥିମଧ୍ୟରେ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର, ପୂର୍ବ-ଦକ୍ଷିଣ ଦ୍ବାର, ଦକ୍ଷିଣ ଦ୍ବାରରେ ଖନନ କାମ ଆରମ୍ଭ ହୋଇଛି। ପଶ୍ଚିମଦ୍ବାରରେ ଖନନ ପରେ ମୂଳଦୁଆ ପଡ଼ି ପିଲାର ଉଠିବା ପାଇଁ ଆଜିଠାରୁ ରଡ୍‌ ବାଇଣ୍ଡିଂ କାମ ଆରମ୍ଭ ହୋଇଛି। ଏତେ ବାଟ କାମ ଆଗେଇବା ପରେ ଏବେ ପ୍ରକଳ୍ପର ଏନ୍‌ଏମ୍‌ଏ ଅନୁମୋଦନକୁ ନେଇ ଝଡ଼ ସୃଷ୍ଟି ହୋଇଛି।

ଗତ ୨୧ ତାରିଖରେ ଏଏସଆଇ ଡିଜି ଭି. ବିଦ୍ୟାଭାରତୀ ୧୦୦ ମିଟର ପରିଧି ବାହାରେ ନିର୍ମାଣ କାର୍ଯ୍ୟ କରିବା ଓ ଐତିହ୍ୟ କରିଡର ପ୍ରକଳ୍ପର ଏନ୍‌ଏମ୍‌ଏ ଅନୁମୋଦନ କଥା ଉଠାଇବା ଏହି ପ୍ରକଳ୍ପକୁ ବିବାଦ ମୁହଁକୁ ପୁଣି ଥରେ ଠେଲି ଦେଇଛନ୍ତି। କାରଣ ପ୍ରତ୍ନତତ୍ତ୍ବ ବିଭାଗ ଅଭିଯୋଗ କରିଛି, ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏନ୍‌ଏମ୍‌ଏର କୌଣସି ଅନୁମୋଦନ ପତ୍ରପାଇନି। ଯଦି ମିଳିଛି, ଏହାର ନକଲ ଦେବାକୁ ଓବିସିସିକୁ ଚିଠି କରିଛି। କିନ୍ତୁ ଓବିସିସି ଆଜି ପର୍ଯ୍ୟନ୍ତ ଏହାର ଅନୁମୋଦନପତ୍ର ଦେଇପାରୁନି। ଏପଟେ ଶ୍ରୀମନ୍ଦିର ପ୍ରଶାସନ ଯୁକ୍ତି ବାଢ଼ୁଛି ଯେ ବର୍ତ୍ତମାନ ପ୍ରକଳ୍ପର ଯେଉଁ କାମ ଜାରି ରହିଛି, ତାହାର ଅନୁମୋଦନ ଏନ୍‌ଏମ୍‌ଏ ଆମକୁ ଦେଇସାରିଛି। କିନ୍ତୁ ଯେଉଁ ପ୍ରକଳ୍ପ କାମ ଆରମ୍ଭ ହୋଇନି, ସେଥିପାଇଁ ଆମେ ଅନୁମୋଦନ ମାଗିଛୁ। ଏଠି ପ୍ରତ୍ନତତ୍ତ୍ବ ବିଭାଗ ଠିକ୍‌ ନାଁ ଶ୍ରୀମନ୍ଦିର ପ୍ରଶାସନ ଠିକ୍‌, ତାକୁ ନେଇ ସନ୍ଦେହ ସୃ‌ଷ୍ଟି ହୋଇଛି।
ଏଭଳି ପରିସ୍ଥିତିରେ ଭକ୍ତ ଓ ସେବାୟତ ମହଲ ପ୍ରଶ୍ନ କରିଛନ୍ତି, ଏତେବଡ଼ ପ୍ରସଙ୍ଗରେ କାହିଁକି ଶ୍ରୀମନ୍ଦିର ପ୍ରଶାସନ ଓ ଶ୍ରୀମନ୍ଦିର ପରିଚାଳନା କମିଟି ନିରବତା ଅବଲମ୍ବନ କରୁଛନ୍ତି। କାହିଁକି ସର୍ବସମ୍ମୁଖରେ ଏହାର ଉତ୍ତର ରଖାଯାଉନି। କାହିଁକି ଅଗଣିତ ଭକ୍ତଙ୍କ ସହ ସେବାୟତଙ୍କୁ ଅନ୍ଧାରରେ ରଖାଯାଉଛି। ଭକ୍ତ ଓ ସେବାୟତ ମହଲ ସମାନ ପ୍ରଶ୍ନ ପ୍ରତ୍ନତତ୍ତ୍ବ ବିଭାଗକୁ ବି କରିଛନ୍ତି। ଯଦି ଶ୍ରୀମନ୍ଦିର ପ୍ରତି ଖନନ କାର୍ଯ୍ୟ ବିପଦ ଥିଲା, କାହିଁକି ଏହି କାମକୁ ଅଟକାଗଲାନି। ଶ୍ରୀମନ୍ଦିର ପ୍ରଶାସନ, ମନ୍ଦିର ପରିଚାଳନା କମିଟି ଓ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଭକ୍ତ ଓ ସେବାୟତ ମହଲ ଦାବି ରଖିଛନ୍ତି।