ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ବିବାଦ: ପ୍ରଶାସନର ତୁଷ୍ଟୀକରଣ ଅଭିଯାନ ଆରମ୍ଭ

ଆଠସାହି ଆଖଡ଼ା ମୁରବିଙ୍କୁ ଡାକି ଦେଖାଇଲା ପ୍ରକଳ୍ପ ନକ୍ସା
ପ୍ରକଳ୍ପକୁ ସାର୍ବଜନୀନ ଓ ଏହାର ସ୍ପଷ୍ଟ ଚିତ୍ର ଚାରିଦ୍ବାରରେ ଲଗାଇବାକୁ ପ୍ରସ୍ତାବ

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ନେଇ ବିବାଦ ଓ ଭକ୍ତ ମହଲରେ ଅସନ୍ତୋଷ ବଢ଼ିବା ପରେ ପୁରୀ ଜିଲ୍ଲା ପ୍ରଶାସନ ଏବେ ତୁଷ୍ଟୀକରଣ ଅଭିଯାନ ଆରମ୍ଭ କରିଛି। ଯେଉଁ ଆଠସାହିର ଲୋକେ ଗମନାଗମନ ନେଇ ଭୋଗୁଥିବା ଦୁର୍ଦ୍ଦଶାର ସମସ୍ୟା ସମାଧାନ ନେଇ ୩ ବର୍ଷ ଧରି ଜିଲ୍ଲା ପ୍ରଶାସନକୁ ଗୁହାରି କରି ବିଫଳ ହୋଇଥିଲେ, ସେମାନଙ୍କୁ ଡାକି ଐତିହ୍ୟ କରିଡର ପ୍ରକଳ୍ପ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ବୁଝାଇଛି। ଭିଡିଓ ଚିତ୍ର ଜରିଆରେ ପ୍ରକଳ୍ପ ନକ୍ସା ସମସ୍ତଙ୍କ ଆଗରେ ଉପସ୍ଥାପନ କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ସାହିଗୁଡ଼ିକୁ ଐତିହ୍ୟ କରିଡର ପ୍ରକଳ୍ପ ଭିତରେ କେଉଁଠି କେଉଁଠି ରାସ୍ତା ରଖାଯିବ, ସେ ଉପରେ ଅବଗତ କରାଯାଇଛି। ୩ ବର୍ଷ ଧରି ଯାତାୟାତରେ ଦୁର୍ଦ୍ଦଶା ଭୋଗୁଥିବା ଆଠ ସାହିର ଲୋକଙ୍କ ଅଭିଯୋଗକୁ ଯେଉଁ ଜିଲ୍ଲା ପ୍ରଶାସନ କର୍ଣ୍ଣପାତ କରୁନଥିଲା, ସେହି ପ୍ରଶାସନ ଆଜି ଆଠସାହି ଆଖଡ଼ାର ମୁରବିମାନଙ୍କୁ ଡାକି ଆଲୋଚନା କରିବାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

ଶ୍ରୀମନ୍ଦିର ସିଂହଦ୍ବାରରେ ଦର୍ଶନ ବ୍ୟବସ୍ଥା ବଦଳିବା ପରେ ଚତୁଃପାର୍ଶ୍ବରେ ରହୁଥିବା ସାହି ଲୋକେ ଯା’ଆସରେ ୩ ବର୍ଷ ହେଲାଣି ଦୁର୍ଦ୍ଦଶା ଭୋଗୁଛନ୍ତି। ଜିଲ୍ଲା ପ୍ରଶାସନ ମେଘନାଦ ପାଚେରି କଡ଼ରୁ ଦର୍ଶନ ସେଡ୍‌ ହଟାଇ ସିଂହଦ୍ବାର ସମ୍ମୁଖ ଜାତୀୟ ରାଜପଥ ମଝିରେ ପକାଇଥିବାରୁ ସାହି ଲୋକେ ଗାଡ଼ିମୋଟର ନେବାରେ କଲବଲ ହେଉଛନ୍ତି। ନୂଆ ସେଡ୍‌ ପଡ଼ିବା ପରେ ମାତ୍ର ୭/୮ ଫୁଟର ସଂକୁଚିତ ରାସ୍ତାରେ ଭକ୍ତଙ୍କ ଗହଳି ଭିତରେ ଯା’ଆସ କରିବାକୁ ପଡ଼ୁଛି। ସେପଟେ ଅନେକ ଉଠା ଦୋକାନୀ ବି କିଛି ଜାଗାକୁ ଦଖଲକୁ ନେଇଗଲେଣି। ଆଗରୁ ଯେଉଁ ରାସ୍ତା ଥିଲା, ତାକୁ ବଦଳାଇ ମଙ୍ଗୁମଠ ପଛପାର୍ଶ୍ବରେ ଉଠାଣି ଦେଇ ସାହି ଲୋକଙ୍କୁ ଯା’ଆସ କରିବାକୁ ପଡ଼ୁଛି। ଦୋଳମଣ୍ଡପସାହି ପ୍ରବେଶ ପଥରେ ଏଥିପାଇଁ ଅସମ୍ଭାଳ ଭିଡ଼ ଲାଗୁଛି। ଏଣୁ ସାହି ‌‌ଲୋକଙ୍କ ପାଇଁ ଗମନାଗମନ ସୁଗମ ସହ ଭିଡ଼ ହ୍ରାସର ସ୍ଥାୟୀ ପ୍ରତିକାର କରିବାକୁ ସାହି ଲୋକେ ଦାବି କରି ଆସୁଛନ୍ତି। କିନ୍ତୁ ୩ ବର୍ଷ ହେଲା ଏହାକୁ ଅଣଦେଖା କରି ଆସୁଛି ଜିଲ୍ଲା ପ୍ରଶାସନ।

ଏଭଳି ସ୍ଥିତିରେ ଆଜି ଜିଲ୍ଲା ପ୍ରଶାସନ ପୁରୀ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ଆଠସାହି ଆଖଡ଼ାର ମୁରବିମାନଙ୍କୁ ଡାକି ଗମନାଗମନ ଉପରେ ବିସ୍ତୃତ ଆଲୋଚନା କରିଛି। ଐତିହ୍ୟ କରିଡର ପ୍ରକଳ୍ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସବୁ ସାହିମାନଙ୍କୁ ଯା’ଆସ ପାଇଁ ରାସ୍ତା ରହିବ ବୋଲି ଯୁକ୍ତି ଦର୍ଶାଇଛି। ପରିକ୍ରମା ପ୍ରକଳ୍ପରେ କେଉଁ ଜାଗାରେ ଯାତାୟାତ ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି, ତାହା ଦର୍ଶାଯାଇଛି। କେଉଁ ଜାଗାରେ ଶୌଚାଳୟ, କ୍ଲୋକ୍‌ ରୁମ ଆଦି ରହିବ ତାହା ଦେଖାଇଛନ୍ତି। ଏହି ଅବସରରେ ଆଠସାହି ଆଖଡ଼ାର ମୁରବିମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାର୍ବଜନିନ କରିବାକୁ ଦାବି କରିଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପ୍ରକଳ୍ପ ସମ୍ପର୍କରେ ବଡ଼ ବଡ଼ ‌ହୋର୍ଡିଂ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି। ଏଲ୍‌ସିଡି ଜରିଆରେ ପ୍ରକଳ୍ପ ସମ୍ପର୍କରେ ଲୋକଙ୍କୁ ସବିଶେଷ ଜଣାଇବାକୁ କହିଛନ୍ତି।

ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ଭବତାରଣ ସାହୁ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର