ପୁରୁଣା ଚିଠିକୁ ଦେଖାଇ କହିଲେ ଅନୁମତି ପାଇଛୁ
ସେପ୍ଟେମ୍ବର ମାସରୁ ଶୌଚାଳୟକୁ ମିଳିଥିଲା ଅନୁମତି
ବାକି ପ୍ରକଳ୍ପକୁ ମନା କରି ଦେଇଛି ଏନ୍ଏମ୍ଏ
ପୁରୀ : ବହୁଦିନର ବାଦବିବାଦ ପରେ ଆଜି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଉପରେ ମୁହଁ ଖୋଲିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ସେ ପୁଣି ହାତଗଣତି ଗଣମାଧ୍ୟମ ଆଗରେ। ଦାବି କରିଛନ୍ତି, ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ଏନ୍ଏମ୍ଏର ଅନୁମତିପତ୍ର ମିଳିସାରିଛି। ସେହି ଆଧାରରେ ନିର୍ମାଣ କାର୍ଯ୍ୟ କରାଯାଉଛି। କିନ୍ତୁ ଯେଉଁ ଚିଠି ଆଧାରରେ ଜିଲ୍ଲାପାଳ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ମଞ୍ଜୁର କଥା ଦାବି କରୁଛନ୍ତି, ସେ ଚିଠି ଗଣମାଧ୍ୟମ ଆଗରେ ଉପସ୍ଥାପନ କରିନାହାନ୍ତି। କାରଣ ଏହି ଚିଠିରେ ଏନ୍ଏମ୍ଏର ଅନୁମୋଦନ ସମ୍ପର୍କିତ ଅନେକ ବିସ୍ଫୋରକ କଥା ରହିଛି। ପ୍ରକଳ୍ପର ଅନେକ ନିର୍ମାଣ କାର୍ଯ୍ୟ ଉପରେ ଏମ୍ଏମ୍ଏ ଆପତ୍ତି ଉଠାଇଛି। ଯେଉଁଥିପାଇଁ ପ୍ରକଳ୍ପ ଉପରେ ଜିଲ୍ଲାପାଳ ଅଧା ମୁହଁ ଖୋଲି, ଅଧା ଢୋକି ଦେଇ ବିଭ୍ରାନ୍ତି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।
ଚିଠି ସାର୍ବଜନୀନ କରିବାକୁ ଡର କାହିଁକି?
ଜିଲ୍ଲାପାଳ ଆଜି ଏନ୍ଏମ୍ଏ ଅନୁମତି ନେଇ ଦାବି ରଖିଛନ୍ତି ସେ ନେଇ ଗତବର୍ଷ ସେପ୍ଟେମ୍ବର ୧୩ ତାରିଖରେ ପ୍ରକଳ୍ପ ଉପରେ ଏନ୍ଏମ୍ଏ ଶ୍ରୀମନ୍ଦିର ପ୍ରଶାସନକୁ ଏହି ଚିଠି(ଏମ୍ଏନ୍ନଂ.୨-୫/୮୦/୨୦୨୧) କରିଥିଲେ। ପୁରୁଷ ଓ ମହିଳା ଭକ୍ତଙ୍କ ପାଇଁ ଶୌଚାଳୟ, ସେବାୟତଙ୍କ ପାଇଁ ଶୌଚାଳୟ, କ୍ଲୋକ୍ ରୁମ, ମିନି କ୍ଲୋକ୍ ରୁମ, ଇଲେକ୍ଟ୍ରି ରୁମ୍ କରିବାକୁ ଅନୁମତି ପ୍ରଦାନ କରିଥିଲେ। ସେହିଭଳି ପାଦଚଲା ରାସ୍ତା, ଭକ୍ତଙ୍କ ଅପେକ୍ଷା ସ୍ଥାନକୁ ବି ମଞ୍ଜୁରି ମିଳିଥିଲା। ଆମସାର ଆଇନ-୧୯୫୮, ସେକ୍ସନ୍-୨(ଡିସି) ଆଧାରରେ ଏହି ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଥିବା ଦର୍ଶାଇଥିଲେ। ଯାହା ଏକ୍ସସେପ୍ନାଲ୍ ଥିଲା ବୋଲି ଏନ୍ଏମ୍ଏ ସ୍ପଷ୍ଟ କରିଥିଲେ। ଏହି ପ୍ରକଳ୍ପର ଅବଶିଷ୍ଟ କାମ ଯଥା ସୂଚନା ଓ ଦାନ କିଓସ୍କୋ, ଏଟିଏମ୍ କିଓସ୍କୋ, ଅଭ୍ୟର୍ଥନା ଗୃହ, ଭଜନ ମଣ୍ଡପ, ସଂସ୍କୃତି ମଣ୍ଡପ ଆଦି ଉପରେ ଏନ୍ଏମ୍ଏ ଆପତ୍ତି ଉଠାଇଥିଲେ। ପ୍ରକଳ୍ପର ରୂପରେଖ ପରିବର୍ତ୍ତନ ସହ ଏହା ଉପରେ ପୁନଃବିଚାର କରିବାକୁ ପରାମର୍ଶ ଦେଇଥିଲେ।
/sambad/media/post_attachments/wp-content/uploads/2022/03/Samarth-VermaIAS-300x200.jpg)
ପୁରୀ ଜିଲ୍ଲାପାଳ ଶ୍ରୀ ବର୍ମା ସୋମବାର ଦିନ ଗଣମାଧ୍ୟମ ଆଗରେ ଯେଉଁ ତଥ୍ୟ ଉପସ୍ଥାପନ କରିଛନ୍ତି, ଏହା ଗତବର୍ଷ ସେପ୍ଟେମ୍ବର ମାସରେ ହୋଇଥିବା ଏନ୍ଏମ୍ଏର ଚିଠିକୁ ଆଧାର କରି କରିଛନ୍ତି। ଏନ୍ଏମ୍ଏ କେଉଁ ପ୍ରକଳ୍ପକୁ ଅନୁମତି ଦେଇଥିଲା ଓ କାହା ଉପରେ ଆପତ୍ତି ଉଠାଇଥିଲା, ତାହା ସ୍ପଷ୍ଟ ନ କରି ପ୍ରସଙ୍ଗକୁ ଭିନ୍ନ ମୋଡ଼ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଏପରିକି ଏତେ ବଡ଼ ବଡ଼ ଖନନ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥିବାବେଳେ ଏ ସମ୍ପର୍କିତ ପ୍ରଶ୍ନର କୌଣସି ଜବାବ ରଖିନାହାନ୍ତି ଜିଲ୍ଲାପାଳ। ଗଣମାଧ୍ୟମ ଆଗରେ କହିଛନ୍ତି, ଆମେ ଏନ୍ଏମ୍ଏ ଅନୁମତି ଆଧାରରେ ନିର୍ମାଣ କାର୍ଯ୍ୟ କରୁଛୁ। ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଏଏସ୍ଆଇ ଅଧିକାରୀଙ୍କ ସହ ସମନ୍ବୟ ଭିତ୍ତିରେ ନିର୍ମାଣ କାର୍ଯ୍ୟ କରିବାକୁ କହିଥିଲା। ସେ ଦିଗକୁ ବି ଆମେ ଦୃଷ୍ଟି ଦେଉଛୁ। ପ୍ରତ୍ନତତ୍ତ୍ବ ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ପୂର୍ଣ୍ଣ ରୂପ ନେବ ବୋଲି ଶ୍ରୀ ବର୍ମା କହିଛନ୍ତି।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ୭୫ ମିଟର ପରିଧିରେ ଜମି ଅଧିଗ୍ରହଣ ପରେ ଏଠାରେ ଐତିହ୍ୟ କରିଡର ପ୍ରକଳ୍ପକୁ ପୂର୍ଣ୍ଣରୂପ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ନିର୍ମାଣ ଓ ଖନନକୁ ନେଇ ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଆପତ୍ତି ଉଠାଇବା ପରେ ଝଡ଼ ସୃଷ୍ଟି ହୋଇଛି।