ଶ୍ରୀମନ୍ଦିର ଐତିହ୍ୟ କରିଡର: ଆଜିଠୁ ଭୂମିପୂଜନ ଓ ମହାଯଜ୍ଞ

ପୁରୀ : ନଭେମ୍ବର ୨୨ରୁ ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ର ତିନିଦିନିଆ ଭୂମିପୂଜନ ପର୍ବ ଆରମ୍ଭ ହେବ। ନଭେମ୍ବର ୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଭୂମିପୂଜନ ଯଜ୍ଞରେ ପୂଣ୍ଣାହୁତି ଦେବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଭୂମିପୂଜନ ପାଇଁ ଦୋଳବେଦି କୋଣ ଉତ୍ତରପାର୍ଶ୍ବ ମଠ ସମ୍ମୁଖରେ ମହାଯଜ୍ଞ ପିଣ୍ଡି ଓ ଘର ତିଆରି ହୋଇଛି।

ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ ଶିଳାନ୍ୟାସ ପାଇଁ ନଭେମ୍ବର ୨୨, ୨୩ ଓ ୨୪ ତାରିଖ, ତିନିଦିନ ଧରି ଭୂମିପୂଜନ ଓ ମହାଯଜ୍ଞ ଆୟୋଜନ କରାଯାଇଛି। ଏହି ଉପଲକ୍ଷେ ରବିବାର ଦିନ ଶ୍ରୀନଅରରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ବ୍ରାହ୍ମଣମାନଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ପରେ ଗଜପତି ମହାରାଜ କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୂଜା ପାଇଁ ଶ୍ରୀନଅରରେ ଗୁଆଟେକା ବିଧି ବି ସମ୍ପନ୍ନ ହୋଇଛି। ୨୨ ଓ ୨୩ ତାରିଖ ହୋମଯଜ୍ଞ ଅନୁଷ୍ଠିତ ହେବ। ୨୪ ତାରିଖ ସକାଳେ ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥିଙ୍କ ଗହଣରେ ଏହି କାର୍ଯ୍ୟ ସମ୍ପନ୍ନ ହେବ। ଶ୍ରୀମନ୍ଦିରର ପୂର୍ବ ଦିଗରେ ମେଘନାଦ ପାଚେରି କଡ଼ରେ ଶିଳା ସ୍ଥାପନ କରାଯିବ ଏବଂ ଯଜ୍ଞର ପୂର୍ଣ୍ଣାହୁତି ଦିଆଯିବ।

ସମ୍ବନ୍ଧିତ ଖବର