କଟକ : ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ତିରୁ ଦାନସୂତ୍ରରେ ମିଳିଥିବା ସୁନା ଅଳଙ୍କାରରୁ ସାଢେ ୩ କିଲୋରୁ ଅଧିକ ସୁନା ଗାଏବ ଅଭିଯୋଗକୁ ନେଇ ଦାୟର ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୩, ମାର୍ଚ୍ଚ ୧୪ରେ ହେବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
୨୦୧୮ମସିହାରେ ଶ୍ରୀ ମହାନ୍ତି ଦାୟର କରିଥିବା ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ୧୯୮୩ ଅକ୍ଟୋବରରୁ ୨୦୧୮ ଜାନୁଆରି ମାସ ମଧୢରେ ଶ୍ରୀମନ୍ଦିର ହୁଣ୍ତିରୁ ୧୮ କିଲୋ ୨୬୧ ଗ୍ରାମ ସୁନା ଅଳଙ୍କାର ମିଳିଥିଲା। ଭକ୍ତଙ୍କ ନିକଟରୁ ଦାନ ସୂତ୍ରରେ ମିଳିଥିବା ଏହି ସୁନାକୁ ରତ୍ନଭଣ୍ତାରରେ ରଖାଯିବା କଥା। କିନ୍ତୁ, ଏପରି କରାଯାଇ ନଥିଲା। ଏହି ସୁନାକୁ ଶ୍ରୀମନ୍ଦିର ପ୍ରଶାସନର ନାଜରଖାନାରେ ରଖା ଯାଇଥିଲା। ଏହା ଜଣାପଡ଼ିବା ପରେ ୨୦୧୮, ଜୁନ୍ ୭ରେ ଶ୍ରୀମନ୍ଦିର ପ୍ରଶାସନ ୧୪ କିଲୋ ୫୬୦ ଗ୍ରାମ୍ ସୁନା ସ୍ଥାନୀୟ ଷ୍ଟେଟ୍ ବ୍ୟାଙ୍କ୍ରେ ନେଇ ରଖିବା ପାଇଁ ବ୍ୟବସ୍ଥା କରିଥିଲା। କିନ୍ତୁ, ଅବଶିଷ୍ଟ ୩ କିଲୋ ୭ଶହ ଗ୍ରାମରୁ ଅଧିକ ସୁନା କୁଆଡେ ଗଲା ସେ ନେଇ କିଛି ସନ୍ତୋଷଜନକ ଉତ୍ତର ପ୍ରଶାସନ ଦେବାରେ ବିଫଳ ହୋଇଥିଲା। ଏପରି ପରିସ୍ଥିତିରେ ଶ୍ରୀଜଗନ୍ନାଥଙ୍କ ସୁନା ଆତ୍ମସାତ୍ କରାଯାଇଛି ବୋଲି ସାଧାରଣରେ ସନ୍ଦେହ ଦେଖା ଦେଇଥିଲା। ଏହି ପ୍ରସଙ୍ଗରେ ଅପରାଧିକ ଷଡ଼୍ଯନ୍ତ୍ର ଓ ବିଶ୍ବାସ ଭଙ୍ଗ ଭଳି ଘଟଣା ଘଟିଛି ବୋଲି ଅନୁମାନ କରାଯାଇଥିଲା।
ଏ ନେଇ ରାଜ୍ୟ ବିଜେପି ପକ୍ଷରୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଦୁର୍ନୀତି ନିବାରଣ ଆଇନର ଧାରା ୧୩ ସହିତ ଆଇପିସିର ଦଫା ୪୦୬, ୪୦୮, ୪୦୯, ୧୨୦(ଖ)ରେ ମାମଲାର ରୁଜୁ କରାଯାଇ ସମଗ୍ର ଘଟଣାର ତଦନ୍ତ ପାଇଁ ବିଜେପି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଥିଲା। କିନ୍ତୁ, କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏପରି ପରିସ୍ଥିତିରେ ହାଇକୋର୍ଟରେ ବିଜେପି ପକ୍ଷରୁ ମାମଲା ଦାୟର କରାଯାଇଥିବା ଆବେଦନରେ ଉଲ୍ଲେଖ କରାଯାଇଥିଲା। ହୁଣ୍ତିରୁ ମିଳୁଥିବା ସୁନା ଗହଣାକୁ କେଉଁ ପରିସ୍ଥିତିରେ ରତ୍ନ ଭଣ୍ତାରରେ ରଖା ନ ଯାଇ ନାଜରଖାନାରେ ରଖାଯାଇଥିଲା, ତାହା ତଦନ୍ତ ସାପେକ୍ଷ ବୋଲି ଦର୍ଶାଯାଇଥିଲା।
ଏଥିସହିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ନିୟମିତ ବସୁଛି। କିନ୍ତୁ, ଶ୍ରୀମନ୍ଦିରର ଟେମ୍ପୁଲ ଫାଉଣ୍ତେସନ ଫଣ୍ତ କମିଟିର ବୈଠକ ବିଗତ ୧୮ ବର୍ଷ ଭିତରେ ବସିନାହିଁ। ଏହି କମିଟିରେ ମୁଖ୍ୟମନ୍ତ୍ରୀ ଅଧୢକ୍ଷ ହୋଇଥିବା ବେଳେ ଆଇନମନ୍ତ୍ରୀ କାର୍ଯ୍ୟକାରୀ ଅଧୢକ୍ଷ ଓ ଶ୍ରୀମନ୍ଦିର ପ୍ରଶାସନର ପ୍ରଶାସକ, ଆଇନ ସଚିବ, ଅର୍ଥ ସଚିବ ଓ ପୁରୀ ଜିଲ୍ଲାପାଳ ସଦସ୍ୟ ରହିଛନ୍ତି। ଏହି ୬ ଜଣିଆ କମିଟି ବସି ହୁଣ୍ତିରୁ ମିଳୁଥିବା ସୁନା ଗହଣା ଓ ଅନ୍ୟ ମୂଲ୍ୟବାନ ଦ୍ରବ୍ୟର ପରିଚାଳନା ସ˚ପର୍କରେ ନିଷ୍ପତ୍ତି ଗ୍ରହଣ କରିବା କଥା। କିନ୍ତୁ, ଏପରି କରାଯାଇ ନାହିଁ। ନିୟମ ଅନୁସାରେ, ଶ୍ରୀମନ୍ଦିର ପରିଚାଳନା କରାଯାଉ ନଥିବା ବେଳେ ଶ୍ରୀଜଗନ୍ନାଥଙ୍କ ହୁଣ୍ତିରେ ଭକ୍ତମାନେ ଦେଇଥିବା ସୁନା ଗାଏବ ଘଟଣାର ସିବିଆଇ ତଦନ୍ତ ହେଲେ ଷଡ଼୍ଯନ୍ତ୍ର ଓ କାର୍ଯ୍ୟରେ ଅବହେଳା କରିଥିବା ବ୍ୟକ୍ତିବିଶେଷଙ୍କ ସ˚ପର୍କରେ ଜଣାପଡ଼ିବ ବୋଲି ଆବେଦନରେ ଦର୍ଶାଯାଇଛି।
ମାମଲାରେ ଟେମ୍ପୁଲ ଫାଉଣ୍ତେସନ ଫଣ୍ତର ଅଧୢକ୍ଷ ମୁଖ୍ୟମନ୍ତ୍ରୀ, ଆଇନ ବିଭାଗ ସଚିବ, ଶ୍ରୀମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ, ଭିଜିଲାନ୍ସ ନିର୍ଦ୍ଦେଶକ ଓ ସିବିଆଇକୁ ପକ୍ଷଭୁକ୍ତ କରାଯାଇଛି। ୨୦୧୮, ଡିସେମ୍ବର ୧୨ରେ ଏହି ମାମଲାରେ ସରକାରଙ୍କ ତରଫରୁ ଜବାବ ଦାଖଲ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।