ପୁରୀ : ଶ୍ରୀମନ୍ଦିର ରାଜକୋଷକୁ ନେଇ ଏବେ ଚିନ୍ତା ବଢ଼ିଛି। ସେ ଦୁଇଗୁଣା ପାଳିଆ ପୁରସ୍କାର ହେଉ କି ଅନ୍ୟ ଖର୍ଚ୍ଚ, ଗତ ନବକଳେବରଠାରୁ ଶ୍ରୀମନ୍ଦିର ରାଜକୋ‌ଷ ଉପରେ ଯେଉଁଭଳି ଚାପ ବଢ଼ିବାରେ ଲାଗିଛି, ତାହା ଶ୍ରୀମନ୍ଦିରକୁ ଦେବାଳିଆ ସ୍ଥିତିକୁ ଠେଲି ଦେବନି ତ? ଏହା ଏବେ ଭକ୍ତ ଓ ବୁଦ୍ଧିଜୀବୀଙ୍କୁ ଚିନ୍ତିତ କରିଛି। କାରଣ ବ୍ୟୟ ଅଟକଳ ତୁଳନାରେ ଶ୍ରୀମନ୍ଦିରର ବ୍ୟୟ ପରିମାଣ କ୍ରମାଗତ ବଢ଼ି ଚାଲିଛି। ସେପଟେ ଆୟ ଉପରେ ନଜର ପକାଇଲେ, ଭକ୍ତଙ୍କ ଦାନ, ରଥ ଚକା, ଲାଗି ଲୁଗା ବିକ୍ରି, ଜମି, ଖଣି ଆଦି କ୍ଷେତ୍ରରେ ଯେଉଁ ଆୟ ଅଟକଳ କରାଯାଇଥିଲା, ସେହି ଧାର୍ଯ୍ୟ ଲକ୍ଷ୍ୟ ବି ପୂରଣ ହୋଇପାରୁନି। ୨୦୨୨-୨୩ ଆର୍ଥିକ ବର୍ଷରେ ଏପ୍ରିଲରୁ ଜୁନ୍‌ ମାସ ରିପୋର୍ଟ ଦେଖିଲେ ଏହା ଜଳଜଳ ଦିଶୁଛି। ଏଭଳି ସ୍ଥିତିରେ ଆଗକୁ ଶ୍ରୀମନ୍ଦିରରେ ଅଚଳାବସ୍ଥା ଦେଖା ଦେବନି ତ? ସରକାରୀ ଅନୁଦାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ହାତ ପତାଇବନି ତ? ଏଭଳି ଆଶଙ୍କା ଏବେ ଭକ୍ତ, ବୁଦ୍ଧିଜୀବୀ ମହଲକୁ ଆଲୋଡ଼ିତ କରିଛି।

Advertisment

ଗତ ଏପ୍ରିଲରୁ ଜୁନ୍‌ ମାସର ରିପୋର୍ଟ ଦେଖିଲେ, ଯେଉଁଠି ପ୍ର‌ାୟ ୧.୮୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା, ସେଠି ଖର୍ଚ୍ଚ ହୋଇଛି ପ୍ରାୟ ୬ କୋଟି। ସେହିଭଳି ତିନି ମାସର ଆୟ ଅଟକଳ ଓ ଆୟ ଉପରେ ନଜର ପକାଇଲେ, ଯେଉଁଠି ପ୍ରାୟ ୨୦ କୋଟିର ଆୟ ଅଟକଳ କରଯାଇଥିଲା, ସେଠି ମାତ୍ର ପ୍ରାୟ ୪ କୋଟି ଟଙ୍କା ଆଦାୟ ହୋଇପାରିଛି। ଶ୍ରୀମନ୍ଦିର ପ୍ରଶାସନ ଆୟର ଧାର୍ଯ୍ୟ ଲକ୍ଷ୍ୟଠାରୁ ପ୍ରାୟ ୧୬ କୋଟି ଟଙ୍କା ପଛରେ ପଡ଼ିଛି। ଏହି ତିନି ମାସର ରାଜସ୍ବ ଆୟ କଥା ଦେଖିଲେ, ରାଜଭାଗରୁ ୨୭ଲକ୍ଷ ୫୦ହଜାର ଟଙ୍କା ଆୟ ଅଟକଳ କରାଯାଇଥିଲା। କିନ୍ତୁ ତିନି ମାସରେ ମାତ୍ର ୯ଲକ୍ଷ ୪୩ହଜାର ୭୯୭ ଟଙ୍କା ଆୟ ହୋଇପାରିଛି। ଏବେ ବି ୧୮ଲକ୍ଷ ୬ହଜାର ୨୦୩ ଟଙ୍କା ଆୟ ହୋଇପାରିନି।

ସେହିଭଳି ଖଣିରୁ ୩ କୋଟି ୭୫ଲକ୍ଷ ଟଙ୍କା ଆୟ ଅଟକଳ କରାଯାଇଥିଲାବେଳେ ୩ କୋଟି ୩୩ ଲକ୍ଷ ୯୬ହଜାର ୨ଶହ ଟଙ୍କା ଆୟ ହୋଇପାରିଛି। ଏବେ ବି ୪୧ଲକ୍ଷ ୩ ହଜାର ୮ଶହ ଟଙ୍କା ଆଦାୟ ହୋଇପାରିନି। ମହାପ୍ରଭୁଙ୍କ ଜମି ଅଧିଗ୍ରହଣ କ୍ଷତିପୂରଣ ବାବଦକୁ ୧୫ କୋଟି ଟଙ୍କା ଆୟ ଅଟକଳ କରାଯାଇଥିବାବେଳେ ମାତ୍ର ୪୪ଲକ୍ଷ ୯୭ହଜାର ୪୬୪ ଟଙ୍କା ଆଦାୟ ହୋଇପାରିଛି। ଏବେ ବି ୧୪ କୋଟି ୫୫ଲକ୍ଷ ୨ହଜାର ୫୩୬ ଟଙ୍କା ବାକି ପଡ଼ିଛି। ୟୁନିଫର୍ମ ପଲିସି ଆଧାରରେ ମହାପ୍ରଭୁଙ୍କ ଜମି ବିକ୍ରି ବାବଦରୁ ୨୫ଲକ୍ଷ ଟଙ୍କା ଆୟ ଅଟକଳ କରାଯାଇଥିବାବେଳେ ଟଙ୍କାଟିଏ ବି ଏ ଦିଗରୁ ଆୟ ହୋଇନି। ପିଣ୍ଡିକା ବାବଦରୁ ଅ‌‌ଢ଼େଇ ଲକ୍ଷ ଟଙ୍କା ଆୟ ଅଟକଳ କରାଯାଇଥିବାବେଳେ ୨ଲକ୍ଷ ୪୬ ହଜାର ୫୨୮ ଟଙ୍କା ଆୟ ହୋଇପାରିଛି। ୩ ହଜାର ୪୭୨ ଟଙ୍କା ଆୟ ହୋଇପାରିନି। ଚାନ୍ଦା ଦକ୍ଷିଣାରୁ ୨ ଲକ୍ଷ ୧୫ ହଜାର ୩୮୫ ଟଙ୍କା ଆୟ ଅଟକଳ କରାଯାଇଥିବାବେଳେ ୧ଲକ୍ଷ ୭୧ ହଜାର ୫୪୫ ଟଙ୍କା ଆୟ ହୋଇପାରିଛି। ୪୩ ହଜାର ୮୪୦ ଟଙ୍କା ଆୟ ହୋଇପାରିନି। ସେହିଭଳି ରଥ ଚକ ଓ ଅନ୍ୟାନ୍ୟ ଅଂଶ ବିକ୍ରି ବାବଦରୁ ୭ଲକ୍ଷ ୫୦ହଜାର ଟଙ୍କା ଆୟ ଅଟକଳ ହୋଇଥିବାବେଳେ ୩ଲକ୍ଷ ୯୪ହଜାର ୭୫୧ ଟଙ୍କା ଆୟ ହୋଇପାରିଛି। ବାକି ୩ଲକ୍ଷ ୫୫ହଜାର ୨୪୯ ଟଙ୍କା ଆୟ ହୋଇପାରିନି। ଲାଗି ଲୁଗା ବିକ୍ରିରୁ ୬ଲକ୍ଷ ୨୫ହଜାର ଟଙ୍କା ଆୟ ଅଟକଳ ହୋଇଥିବାବେଳେ ୫ଲକ୍ଷ ୮୩ହଜାର ୭୫୩ ଟଙ୍କା ଆୟ ହୋଇପାରିଛି। ଅଟକଳ ତୁଳନାରେ ଆୟ ୪୧ହଜାର ୨୪୭ ଟଙ୍କା କମ ରହିଛି।

ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ସଫେଇ ଦେଇଛି କି ଯେହେତୁ ରାଜଭାଗର ସର୍ବାଧିକ ଆୟ ନଭେମ୍ବରରୁ ମାର୍ଚ୍ଚ ଭିତରେ ଆସେ, ସେ ଦୃଷ୍ଟିରୁ ଏହି ତିନି ମାସରେ ଏ ଦିଗରୁ ଆୟ କମିଛି। ୟୁନିଫର୍ମ ପଲିସି ଆଧାରରେ କୌଣସି ଜମି ବିକ୍ରି ହୋଇନଥିବାରୁ ଏ ଦିଗରୁ ଆୟ କିଛି ହୋଇନି। କିନ୍ତ ଖଣି, ଜମି ଅଧିଗ୍ରହଣ କ୍ଷତିପୂରଣ ଓ ଅନ୍ୟାନ୍ୟ ବାବଦ ଆୟ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ କିଛି ସ୍ପଷ୍ଟ ଉତ୍ତର ରଖିନି।