ଶ୍ରୀମନ୍ଦିରରେ ରାତି ୮ରୁ ଦର୍ଶନ ବନ୍ଦ

ପୁରୀ : ରାତ୍ରୀକାଳୀନ କର୍ଫ୍ୟୁ ପାଇଁ ଶ୍ରୀମନ୍ଦିରରେ ରାତି ୮ଟାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଆରକ୍ଷୀ ଅଧୀକ୍ଷକ ଡ. କେ ବିଶାଲ ସିଂହ କହିଛନ୍ତି, ଯେହେତୁ ଶନିବାରଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଲଗାଯାଉଛି, ସେହି ଦୃଷ୍ଟିରୁ ରାତି ୮ଟାରୁ ୯ଟା ଭିତରେ ଶ୍ରୀମନ୍ଦିର ଭିତରେ ଥିବା ଭକ୍ତଙ୍କୁ ବାହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ରାତି ୮ଟାରୁ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶରେ ରୋକ୍‌ ଲଗାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ଏସ୍‌ଓପି ଯେଭଳି କଡ଼ାକଡ଼ି ପାଳନ ହେବ ସେ ଉପରେ ଗୁରୁତ୍ବ ଦିଆଯାଉଛି। ମାସ୍କ ଯାଞ୍ଚ ବି କଡାକଡି କରାଯାଇଛି।

ସୂଚନାଯୋଗ୍ୟ, ଆସନ୍ତା ୧୯ ତାରିଖରୁ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କ ଦର୍ଶନରେ କଟକଣା ଲଗାଯାଇଛି। ବାହାର ରାଜ୍ୟର ଭକ୍ତଙ୍କ ପାଇଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ(ଆର୍‌ଟିପିସିଆର) କିମ୍ବା କୋଭିଡ୍‌ର ଦୁଇଟିଯାକ ଟିକା ନେବାର ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଭକ୍ତଙ୍କୁ ପରଚୟପତ୍ର ଆଣିବାକୁ କୁହାଯାଇଛ। ଯାଞ୍ଚ ପାଇଁ ସିଂହଦ୍ବାରରେ ସ୍ବତନ୍ତ୍ର କିଓସ୍କ ଖୋଲିବାକୁ ନିଷ୍ପତ୍ତି ହୋଇଛି। ସେପଟେ ଆସନ୍ତା ୨୪ ତାରିଖରୁ ପ୍ରତି ଶନିବାର ଓ ରବିବାର ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର