ସେବକଙ୍କ ପାଇଁ ବିପଦ ସାଜିଛି ଶ୍ରୀମନ୍ଦିର ରୋଷ ଅଗଣା

ସଜାଡ଼ିବାକୁ ଚିକ୍କଣ ଟାଇଲ୍‌ ଲଗାଇଦେଲେ, ଗୋଡ଼ ଖସି କଚଡ଼ା ଖାଉଛନ୍ତି ସେବକ

ପୁରୀ : ସେବକଙ୍କ ପାଇଁ ଶ୍ରୀମନ୍ଦିର ରୋଷଘର ଅଗଣା ଏବେ ବିପଦ ସାଜିଛି। ପ୍ରତି ମୁହୂର୍ତ୍ତରେ ‌ଗୋଡ଼ ଖସି ପଡ଼ିଯିବାର ଭୟ ରହୁଛି। ଅନେକ ସମୟରେ ପାଣି, ଅନ୍ୟାନ୍ୟ ସାମଗ୍ରୀ ନେବା ବେଳେ ସୁପକାର ଓ ଅନ୍ୟମାନେ ଗୋଡ଼ ଖସି କଚଡ଼ା ଖାଉଛନ୍ତି। ପ୍ରତ୍ନତତ୍ତ୍ବ ବିଭାଗ ରୋଷ ଅଗଣା ସଜାଡ଼ିବା ଆଳରେ ଚିକ୍କଣ ଟାଇଲ୍‌ ପକାଇ ଦେଇଥିବାରୁ ଏଭଳି ପରିସ୍ଥିତି ସୃ‌ଷ୍ଟି ହୋଇଛି। ଏହାକୁ ନେଇ ସୁଆର ମହାସୁଆରଙ୍କ ସହ ଅନ୍ୟ ସେବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ସୁଆର ମହାସୁଆରମାନେ ବି ଉନ୍ନୟନ ପ୍ରଶାସକ ଓ ଅନ୍ୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ଏହାର ବିକଳ୍ପ ଚିନ୍ତା କରିବାକୁ ଦାବି କରିଛନ୍ତି।

ସୁଆର ମହାସୁଆରମାନେ ଅଭିଯୋଗ କରିଛନ୍ତି ଯେ ରଥଯାତ୍ରା ସମୟରେ ରୋଷ ଅଗଣା ମରାମତି ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ଅଗଣାର ଅଧା ଜାଗାରେ ଟାଇଲ୍‌ ପକାଇଛି। ଟାଇଲ୍‌ ବିଛାଇବାକୁ ସମୟ ନ ମିଳିବାରୁ ବାକି ଜାଗା ଟାଇଲ୍‌ ବିଛା ହୋଇପାରିନି। ତଥାପି ଇତିମଧ୍ୟରେ ବାକି ଜାଗାରେ ଟାଇଲ୍‌ ବିଛାଇବାକୁ ଯୋଜନା କରାଯାଉଛି। ଜଣେ ସୁଆର ମହାସୁଆର ସେବକ କହିଛନ୍ତି, ଏହି ଟାଇଲ୍‌ ବିଛା ହେବା ପରେ ଆମ ଦୁର୍ଦ୍ଦଶା କମିବା ବଦଳରେ ଆହୁରି ବଢ଼ିଯାଇଛି। ଟାଇଲ୍‌ ଚିକ୍କଣ ଥିବାରୁ ପ୍ରତି ମୁହୂର୍ତ୍ତରେ ପଡ଼ିଯିବା ଭୟରେ ଯା’ଆସ କରିବାକୁ ପଡ଼ୁଛି। ଯେଉଁଠି ଟାଇଲ୍‌ ପଡ଼ିଛି ଦୈନିକ ସେହି ବାଟ ଦେଇ ଗଲା ବେଳେ ସେବକମାନେ କଚାଡ଼ି ହୋଇ ପଡ଼ୁଛନ୍ତି। ଫଳରେ ଖଞ୍ଜା ଖସିଯିବା ଅବା ଅନ୍ୟ କିଛି ଅଘଟଣ ଘଟିବାର ଆଶଙ୍କା ରହିଛି। କେହି ଯଦି ତରବରରେ ଏହି ବାଟ ଦେଇ ଚାଲିଗଲା, ପଡ଼ିବା ସୁନିଶ୍ଚିତ।

ଅବଢ଼ା ପ୍ରସ୍ତୁତି ପରେ ଭୋଗମଣ୍ଡପକୁ ବି ଏହି ବାଟ ଦେଇ ଯିବାକୁ ପଡ଼ୁଛି। ଯେଉଁମାନେ ଅବଢ଼ା ନେଇ ଯାଉଛନ୍ତି, ସେମାନେ ବି ଭୟ ଭିତରେ ଯା’ଆସ କରୁଛନ୍ତି। କାରଣ ଯଦି ‌ଅନ୍ୟମନସ୍କରେ ଗୋଡ଼ ଖସିଲା ଦେହରେ ଗରମ ଡାଲି ଆଦି ଢ଼ାଳି ହୋଇଯିବାର ସମ୍ଭାବନା ରହିଛି। ଏଣୁ ଏହି ଚଟାଣର ବିକଳ୍ପ ବ୍ୟବସ୍ଥା କରିବାକୁ ସୁଆର ମହାସୁଆରମାନେ ଦାବି କରିଛନ୍ତି। ନଚେତ୍‌ ଯେଉଁ ଟାଇଲ୍‌ ପଡ଼ିଛି, ସେଥିରେ ନିହଣରେ ଦାଗ ଦେଇଦେଲେ ଆଉ ଗୋଡ଼ ଖସିବ ନାହିଁ ବୋଲି କହିଛନ୍ତି। ପୂର୍ବରୁ ଖାଣ୍ଡେଲାଇଟ୍‌ ପଥର ପଡ଼ୁଥିଲା। କିନ୍ତୁ ଚଳିତବର୍ଷ ପ୍ରଥମ କରି ଏଭଳି ଟାଇଲ୍‌ ପକାଯାଇଛି। କୁହାଯାଉଛି, ଏହା ରାଜସ୍ଥାନରୁ ଆସିଛି। କିନ୍ତୁ ଶ୍ରୀମନ୍ଦିରରେ ଖାଣ୍ଡେଲାଇଟ୍‌ ପଥର ହିଁ ଦୀର୍ଘସ୍ଥାୟୀ ଓ ସୁରକ୍ଷିତ ବୋଲି ସୁଆର ମହାସୁଆରମାନେ କହିଛନ୍ତି।

ସମ୍ବନ୍ଧିତ ଖବର