ଶ୍ରୀମନ୍ଦିର ପ୍ରଶାସନର କଡ଼ା ଆଭିମୁଖ୍ୟ : ସତେଇସି ହଜାରୀ ମାହାଲା ଜମିକୁ ଦିଆଯିବନି ଏନ୍‌ଓସି, ଘର ତିଆରି ପାଇଁ ମିଳିବନି ପ୍ଲାନ୍‌

ଜମି ମାଲିକମାନେ ହରାଇପାରନ୍ତି ମାଲିକାନା ସ୍ବତ୍ବ

ପୁରୀ : ପୁରୀ ସହର ଓ ସଦରରେ ଥିବା ଶ୍ରୀଜଗନ୍ନାଥଙ୍କ ସତେଇସି ହଜାରୀ ମାହାଲରେ ଘର ତିଆରି ପାଇଁ ଏନ୍‌ଓସି ଦେବନି ଶ୍ରୀମନ୍ଦିର ପ୍ରଶାସନ। ସଦର ଅଞ୍ଚଳର ୬୭ଟି ମୌଜାର ଜମି ଉପରେ କୌଣସି ନିର୍ମାଣ ନକ୍ସାର ପ୍ଲାନ୍‌ ଅନୁମୋଦନ ପାଇଁ ଏନ୍‌ଓସି ନମାଗିବାକୁ ଶ୍ରୀମନ୍ଦିର ପ୍ରଶାସନର ଉପ ପ୍ରଶାସକ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (ପିକେଡିଏ)କୁ ଚିଠି ଲେଖି (ନଂ-୩୪୬୦) ଜଣାଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ଏପ୍ରକାର କଡ଼ା ଆଭିମୁଖ୍ୟ ସହର ଓ ସଦରବାସୀଙ୍କ ପାଇଁ ମହଙ୍ଗା ପଡ଼ିବା ସ୍ପଷ୍ଟ ହୋଇଯାଇଛି।

ଶ୍ରୀଜଗନ୍ନାଥଙ୍କ ସତେଇସି ହଜାରୀ ମାହାଲକୁ ହଜାର ହଜାର ଲୋକ ପିଢ଼ି ପିଢ଼ି ଧରି ଭୋଗ ଦଖଲ କରୁଛନ୍ତି। ଘରଦ୍ବାର ନିର୍ମାଣ କରି ରହିଛନ୍ତି। ପୁରୀ ସହର ବଢ଼ୁଥିବାରୁ ସଦର ଅଞ୍ଚଳରେ ବି ବସତି ଏବଂ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି। ଏହି ସବୁ ନିର୍ମାଣ ପାଇଁ ପିକେଡିଏ ଯୋଜନା ଅନୁମୋଦନ କରୁଛି। ପ୍ରତିଟି ଯୋଜନା ଅନୁମୋଦନ ବେଳେ ପିକେଡିଏ ଶ୍ରୀମନ୍ଦିରରୁ ଏନ୍‌ଓସି ମାଗିଥାଏ। ପୂର୍ବରୁ କେତେକ ନିର୍ମାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏନ୍‌ଓସି ମଧ୍ୟ ଦେଇଛି। ତେବେ ଏହି ସବୁ କଟକଣା ପୁରୀ ସହର ମଧ୍ୟରେ ସୀମିତ ଥିଲା। ମାତ୍ର ଏବେ ଶ୍ରୀମନ୍ଦିର ପ୍ରଶାସନ ସତେଇସି ହଜାରୀ ମାହାଲ ଉପରେ ଆଖି ପକାଇଛି। ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କର ୬୦ ହଜାର ଏକର ଜମି ଥିବା ରେକର୍ଡ ପାଇଥିବା ବେଳେ ଏବେ ଠାକୁରଙ୍କର ୧ ଲକ୍ଷ ୭୭ ହଜାର ଏକର ଜମିର ରେକର୍ଡ ମନ୍ଦିର ପ୍ରଶାସନ ହାତକୁ ଆସିଛି।

ଏହି ରେକର୍ଡ ଅନୁଯାୟୀ, ସତେଇସି ହଜାରୀ ମାହାଲ ମଧ୍ୟ ମହାପ୍ରଭୁଙ୍କର ସଂପତ୍ତି ବୋଲି ଜଣାପଡ଼ିବା ପରେ ପ୍ରଶାସନ ଏବେ ସେହି ସବୁ ଜମିକୁ ହାତେଇବାକୁ ଉଦ୍ୟମ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ଏହି ସବୁ ଜମି ଉପରେ ନିର୍ମାଣକୁ ବନ୍ଦ କରିବା ପାଇଁ ଏନ୍‌ଓସି ଦେବାକୁ ମନା କରିଦେଇଛି। ପରେ ସେହି ସବୁ ଜମିର ରେକର୍ଡ ଶ୍ରୀମନ୍ଦିର ପ୍ରଶାସନ ହାତକୁ ଆଣିବ। ଶ୍ରୀମନ୍ଦିର ପ୍ରଶାସନର ଏହି ପଦକ୍ଷେପ ପୁରୀ ସହର ସମେତ ସଦର ଅଞ୍ଚଳର ଲୋକଙ୍କ ଦଖଲରେ ଥିବା ଭିଟାମାଟିର ମାଲିକାନା ଛଡ଼ାଇ ନେବାର ଆଶଙ୍କା ସୃଷ୍ଟି କରିଛି। ପୂର୍ବରୁ ସହରରେ ଜମି ମାଲିକାନା ପାଇଁ ଲଢ଼େଇ ଚାଲିଥିବା ବେଳେ ଏବେ ସଦର ଅଞ୍ଚଳ ବି ସେଥିରେ ସାମିଲ୍‌ ହୋଇଛି। ମନ୍ଦିର ପ୍ରଶାସନ ପିକେଡିଏକୁ ଦେଇଥିବା ତାଲିକା ଅନୁଯାୟୀ, ପୁରୀ ସହରର କାଳିକାଦେବୀ ସାହି, କୁଣ୍ଢେଇବେଣ୍ଟ ସାହି, କୁମ୍ଭାରପଡ଼ା, ଚୂଡ଼ଙ୍ଗ ସାହି, ଦଇତାପଡ଼ା ସାହି, ବାଲିସାହି, ମାର୍କେଣ୍ଡଶ୍ବର ସାହି, ମାଟିଆପଡ଼ା, ହରଚଣ୍ଡୀ ସାହି, ଦାଣ୍ଡିମାଳ ସାହି, ବଡ଼ଦେଉଳ ସାହି, ବାସେଳୀ ସାହି ଭଳି ୧୨ଟି ମୌଜାରେ ଘର ବା କୌଣସି ପ୍ରକାର ନିର୍ମାଣ ପାଇଁ ଆସୁଥିବା ପ୍ଲାନ୍ ଆବେଦନ ଉପରେ ଶ୍ରୀମନ୍ଦିର ଏନ୍‌ଓସି ଦେବ ନାହିଁ। ଏହାବ୍ୟତୀତ ସଦର ଅଞ୍ଚଳର ୫୫ଟି ମୌଜାର ଜମି ଉପରେ ବି ଏନ୍‌ଓସି ଦେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ଜଣାଇ ଦେଇଛି।

ସମ୍ବନ୍ଧିତ ଖବର