ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାପ୍ରସାଦକୁ ଅଙ୍ଗାରରେ ପ୍ରସ୍ତୁତ କରାଯାଉଛି। ବାହାରୁ ଅଙ୍ଗାର ଯାଇ ରୋଷ ଘରେ ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହେଉଛି। ଏ ନେଇ ଗତ ଡିସେମ୍ବର ୧୮ ତାରିଖ ଛତିଶାନିଯୋଗ ବୈଠକ‌ରେ ଅଭିଯୋଗ ହୋଇଥିଲା। ଏହାକୁ ଛତିଶାନିଯୋଗର କିଛି କର୍ମକର୍ତ୍ତା ତୀବ୍ର ବିରୋଧ କରିଥିଲେ। ଏ ନେଇ ବିଚାର କରିବାକୁ ଅନୁରୋଧ କରିଥିଲେ। ମାତ୍ର ଏ କଥାକୁ ସୁଆର ସେବକ ଓ ଶ୍ରୀମନ୍ଦିର ପ୍ରଶାସନ ସେତେବେଳେ ଏଡ଼ାଇ ଦେଇଥିଲେ। ଅଭିଯୋଗ ଭିତ୍ତହୀନ ବୋଲି ସୁଆର ସେବକମାନେ କହିଥିଲେ। ଅଭିଯୋଗ ମିଛ ନୁହେଁ ବରଂ ସତ୍ୟ ବୋଲି ଆଜି ପ୍ରମାଣିତ ହୋଇଛି। ଆଜି ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ବ ମଠ ଉଚ୍ଛେଦ ବେଳେ ଅଙ୍ଗାରକୁ ଗୁଣ୍ଡ କରି ନିଜର ପରିବାର ଚଳାଉଥିବା ଜଣେ ମହିଳା କହୁ କହୁ ଏଭଳି ସାଂଘାତିକ କଥା ଉପରୁ ପରଦା ହଟାଇଛନ୍ତି। ମହିଳାଙ୍କ କଥା ଯଦି ସତ୍ୟ ହୋଇଥ‌ାଏ, ତେବେ ଏହା ସାଂଘାତିକ ଧର୍ମବିରୋଧୀ କଥା ବୋଲି ‌କିଛି ବୁଦ୍ଧିଜୀବୀ, ଜଗନ୍ନାଥ ପ୍ରେମୀ କହିଛନ୍ତି।

Advertisment

ମହାପ୍ରଭୁଙ୍କ ପ୍ରସାଦର ନିଆରା ପ୍ରସ୍ତୁତି ଶୈଳୀ ଯୋଗୁଁ ଏହା ସମଗ୍ର ବିଶ୍ବରେ ଅନନ୍ୟ। ଆଳୁ ଖୋଳୁ ମହାଦେବ ବାହାରିବା ନ୍ୟାୟରେ ଆଜି ଦକ୍ଷିଣପାର୍ଶ୍ବ ମଠ ଭଙ୍ଗା ବେଳେ ଜଣେ ମହିଳା ନିଜର ଜୀବନ ଜୀବକାକୁ ନେଇ ମୁହଁ ଖୋଲିଥିଲେ। ମହିଳାଙ୍କ କହିବା କଥା ଅଙ୍ଗାର ଗୁଣ୍ଡ କରି ସେ ଚଳନ୍ତି। ବାହାର ଖଜା ଭାଟି ଓ ଅନ୍ୟ ସ୍ଥାନରୁ ଆସୁଥିବା ଅଙ୍ଗାରକୁ ସେ ଗୁଣ୍ଡ କରନ୍ତି। ସେଥିରୁ ତାଙ୍କୁ ପାରିଶ୍ରମିକ ମିଳିଥାଏ। ମାତ୍ର ମଠ ଭଙ୍ଗା ପରେ ସେ କେମିତି ଚଳିବେ ବୋଲି କହିଛନ୍ତି। ତେବେ ଏହି ଅଙ୍ଗାର ଗୁଣ୍ଡ ହେବା ପରେ ଶ୍ରୀମନ୍ଦିର ରୋଷଘରକୁ ଯାଇଥାଏ ବୋଲି କହୁ କହୁ କହିଦେଇଛନ୍ତି। ତେବେ ମହିଳାଙ୍କ ମନ୍ତବ୍ୟ ଆସିବା ପରେ ଅନ୍ୟ କିଛି ‌ରୋଚକ କଥା ମଧ୍ୟ ସାମ୍ନାକୁ ଆସିଛି।

publive-image Nation First News

ପ୍ରତିଦିନ ବେତାରେ ‌ବୋଝେଇ ହୋଇ ଶ୍ରୀମନ୍ଦିର ଭିତରକୁ କୁଇଣ୍ଟାଲ କୁଇଣ୍ଟାଲ ଅଙ୍ଗାର ଯାଇଥ‌ାଏ। ଏ ଅଙ୍ଗାରକୁ ଜାଣିଶୁଣି ଦାୟିତ୍ବ‌ରେ ଥିବା ସୁରକ୍ଷା କର୍ମୀ ଛାଡିଥାନ୍ତି। ରୋଷଘରକୁ ବାହାରର ଅଙ୍ଗାର ଧାର୍ମିକ ଦୃଷ୍ଟିକୋଣରୁ ଅପରାଧ। ମାତ୍ର ବ୍ୟବସାୟ ଅଭିବୃଦ୍ଧି ପାଇଁ ଏଭଳି କରାଯାଇଥିବାରୁ ଏହାର ତଦନ୍ତ କରିବାକୁ ଦାବି ‌‌ହୋଇଛି।

ଅନ୍ୟପକ୍ଷରେ, ମହିଳାଙ୍କ ମନ୍ତବ୍ୟ ଓ ୧୮ ତାରିଖ ଛତିଶା ନିଯୋଗ ବୈଠକ କର୍ମକର୍ତ୍ତାଙ୍କ ଅଭିଯୋଗର ମେଳ ଖାଉଥିବାରୁ ଏଥିରେ ଥିବା ରହସ୍ୟର ତୁରନ୍ତ ଉନ୍ମୋଚନ କରିବା ସହିତ ମହାପ୍ରଭୁଙ୍କ ମହାପ୍ରସାଦର ପବିତ୍ରତାକୁ ଅକ୍ଷୁର୍ଣ୍ଣ କରିବା ଦିଗରେ ପ୍ରୟାସ ପାଇଁ ସାଧାରଣରେ ଦାବି ହୋଇଛି।