ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ଶ୍ରୀମନ୍ଦିର ହେବ ନିଲାମ ମୁକ୍ତ

ମହାପ୍ରଭୁଙ୍କ ଖାତାକୁ ଆସିଲା ସମସ୍ତ ଐତିହ୍ୟ କରିଡର୍‌ ଜମି
ଜାତୀୟକରଣ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ପାଣ୍ଠି ଟଙ୍କା

ପୁରୀ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଭକ୍ତମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଭକ୍ତଙ୍କୁ ଶୋଷଣମୁକ୍ତ ରଖିବା ଓ ବ୍ୟବସାୟିକ ମନୋବୃତ୍ତିକୁ ପଛରେ ରଖି ଭକ୍ତଙ୍କୁ ସୁବିଧାକୁ ଅଗ୍ରାଧିକାର ଦେବା ପାଇଁ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଲାମ ମୁକ୍ତ କରାଯିବ। ଏ ନେଇ ତୁରନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ୍‌ କୁମାର କହିଛନ୍ତି। ଶ୍ରୀମନ୍ଦିରକୁ ନିଲାମ ମୁକ୍ତ କରିବା ମନ୍ଦିର ପ୍ରଶାସନର ମୁଖ୍ୟ ଲକ୍ଷ୍ୟ ହେବ ବୋଲି ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଶ୍ରଦ୍ଧ‌ାଳୁମ‌ାନେ ‌ଯେମିତି ମନ୍ଦିର ଭିତରେ ନିରାଶ ନ ହୁଅନ୍ତି ସେଥିପାଇଁ ପଦକ୍ଷେପ ନିଆଯିବ। ଆସନ୍ତା ଦୁଇ ମାସ ଭିତରେ ଏ ନେଇ ଅର୍ଥ କମିଟି ତଦାରଖ କରି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଏହି ବୈଠକରେ ଆଜି ଆଉ କିଛି ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ୭୫ ମିଟର ଐତିହ୍ୟ କରିଡର୍‌ର ସମସ୍ତ ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମକୁ ଆସିଥିବା ନେଇ ବୈଠକରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ। ଐତିହ୍ୟ କରିଡର୍‌ରେ ଥିବା ୧୫ ଏକର ଜମି ମହାପ୍ରଭୁଙ୍କ ନାମକୁ ଆସିଛି। କେବଳ ସେତିକି ନୁହେଁ ଦେବୋତ୍ତର ବିଭାଗ ନାମରେ ଥିବା ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଜମି ମଧ୍ୟ ମହାପ୍ରଭୁଙ୍କ ଖାତାକୁ ଆସିଛି। ଏଥିସହିତ ବୈଠକରେ ଶ୍ରୀମନ୍ଦିର ପାଣ୍ଠି ଟଙ୍କାକୁ ଘରୋଇ ବ୍ୟାଙ୍କରେ ରଖାଯିବ‌ାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏ ନେଇ ଆଲୋଚନା କରାଯିବା ପ‌ରେ ଶ୍ରୀମନ୍ଦିର ପାଣ୍ଠି ଟଙ୍କା ରଖିବାକୁ ଏକ ଗାଇଡ୍‌ଲାଇନ୍‌ ଆଜି ବୈଠକରେ ଚୂଡ଼ାନ୍ତ ହୋଇଛି। ଶ୍ରୀମନ୍ଦିର ପାଣ୍ଠିର ସମସ୍ତ ଟଙ୍କା ଏଣିକି ଜାତୀୟକରଣ ବ୍ୟାଙ୍କରେ ରଖାଯିବ। ଶ୍ରୀମନ୍ଦିର ଫାଉଣ୍ଡେସନ୍‌ ଫଣ୍ଡ୍‌ ବା ହୁଣ୍ଡି ଟଙ୍କା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ରହିବ। ସେହିଭଳି କର୍ପସ ପାଣ୍ଠି, ମନ୍ଦିର ପାଣ୍ଠି ଟଙ୍କାକୁ ମଧ୍ୟ ୩ରୁ ଅଧିକ ଜାତୀୟକରଣ ବ୍ୟାଙ୍କରେ ଜମା ରଖାଯିବ। ଯିଏ ଅଧିକ ସୁଧ ଦେବ ‌ସେହି ବ୍ୟାଙ୍କରେ ହିଁ ରହିବ। ଘରୋଇ ବ୍ୟାଙ୍କରେ ଥିବା ଟଙ୍କା ଏବେ ଉଠାଯିବ ନାହିଁ। ଏହାର ମାଚୁରିଟି ପରେ ଟଙ୍କା ଉଠାଣ କରାଯାଇ ଅନ୍ୟ ବ୍ୟାଙ୍କରେ ରଖିବାକୁ ନିଷ୍ପତ୍ତି ହୋଇଛି।

ବୈଠକରେ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା। ଅଦିନିଆ ରଥଯାତ୍ରାକୁ ନେଇ ବୈଠକରେ ସଭ୍ୟମାନେ ଉଦ୍‌ବେଗ ପ୍ରକାଶ କରିବା‌ ପରେ ଏହାକୁ ନେଇ ଗଜପତି ମହାରାଜ ଖୁବ୍‌ଶୀଘ୍ର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇବେ ବୋଲି ନିଷ୍ପତ୍ତି ହୋଇଥିଲା। ଇସ୍କନ କର୍ତ୍ତୃପକ୍ଷ ଯେମିତି ଶ୍ରୀମନ୍ଦିର ରୀତିନୀତିକୁ ଗୁରୁତ୍ବ ଦେଇ ମହାପ୍ରଭୁଙ୍କ ଯାନିଯାତ୍ରା ପାଳନ କରିବେ ତାହା ଉପରେ ଗୁରୁତ୍ବ ଦିଆଯାଇଥିଲା। ବୈଠକରେ ମହାପ୍ରଭୁଙ୍କ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ସମସ୍ତ ଭୂସମ୍ପତ୍ତି କିଭଳି ଫେରି ଆସିବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯିବ। ଏହି କମିଟି ପ୍ରତି ଦୁଇ ମାସରେ ଥରେ ଏହାର ସମୀକ୍ଷା କରିବ। ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସେହିଭଳି ମହାପ୍ରଭୁଙ୍କ ନାମରେ ଥିବା ଖଣିରୁ କିଭଳି ଅଧିକ ଆୟ ହୋଇପାରିବ ସେ ନେଇ ପଦକ୍ଷେପ ନିଆଯିବ। ଏ ନେଇ ଓଡ଼ିଶା ମାଇନିଂ କର୍ପୋରେସନ(ଓଏମ୍‌ସି) ସହିତ ବୁଝାମଣା ହେବ।

ସେହିଭଳି ନାଗାର୍ଜୁନ ବେଶ କିଭଳି ଶୃଙ୍ଖଳିତ ହୋଇପାରିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା। ଖୁବ୍‌ଶୀଘ୍ର ଏ ନେଇ ଏକ ବୈଠକ ଡକାଯିବ। ଶ୍ରୀମନ୍ଦିର ପ୍ରଶାସନ ବାର୍ଷିକ ବଜେଟ୍‌ ଓ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠ ସଂପର୍କରେ ଆଲୋଚନା କରାଯାଇଥିଲା। ସେବାୟତ ଗୁରୁକୁଳ, ସେବାୟତଙ୍କ ସ୍ବାସ୍ଥ୍ୟ ବୀମା ୧ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନେଇ ମଧ୍ୟ ଆଲୋଚନା ‌ହୋଇଥିଲା। ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପାଳନ କରାଯିବ। ଏଥିସହିତ ୪ଟି କମିଟି ଭାଙ୍ଗି ଦୁଇଟି ସବ୍‌ କମିଟି ଗଠନ କରାଯାଇଥିଲା। ଅର୍ଥ ଓ ପ୍ରକଳ୍ପ ସବ୍‌ କମିଟି ଓ ଫାଇନାନ୍‌ସ ଓ ଇଷ୍ଟେଟ୍ ସବ୍‌ କମିଟିକୁ ମିଶାଇ ଦୁଇଟି ସବ୍‌ କମିଟି ଗଠନ କରାଯାଇଥିଲା। ଲ୍ୟାଣ୍ଡ ସବ୍‌ କମିଟିରେ ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ିଙ୍କୁ ରଖାଯାଇଥିବା ବେଳେ ଅର୍ଥ ସବ୍‌ କମିଟିରେ ମାଧବ ପୂଜାପଣ୍ଡାଙ୍କୁ ରଖାଯାଇଛି।

ସମ୍ବନ୍ଧିତ ଖବର