ସୋସାଇଟି ଆକ୍ଟରେ ପଞ୍ଜୀକରଣ ହେବ ସେବାୟତ ଆଦର୍ଶ ଗୁରୁକୁଳ
ସେବକଙ୍କ ବାସଗୃହ ନିର୍ମାଣ ପାଇଁ ୬ ଏକର ଜାଗା ଚିହ୍ନଟ
ରଥଯାତ୍ରା ପୂର୍ବରୁ ଶ୍ରୀପୁରୁଷୋତ୍ତମ ଭକ୍ତ ନିବାସର ହେବ ଶୁଭାରମ୍ଭ
ପୁରୀ : ଶ୍ରୀମନ୍ଦିର ସେବାୟତ ଆଦର୍ଶ ଗୁରୁକୁଳ ପାଇଁ ସୋସାଇଟି ଗଠନ ହେବ। ସୋସାଇଟି ଆଇନରେ ଏହାର ପଞ୍ଜୀକରଣ କରାଯିବ। ସେବକଙ୍କ ବାସଗୃହ ନିର୍ମାଣ ପାଇଁ ପ୍ରାୟ ୬ ଏକର ଜାଗା ପୁରୀ ସହର ଭିତରେ ଚିହ୍ନଟ ହୋଇଥିବା ବେଳେ ଆଇନଗତ ଦିଗକୁ ଦୃଷ୍ଟିରେ ରଖି ଡିଜାଇନ୍ ଓ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଅନ୍ୟପଟେ ଗତ ୧୧ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାଂସ୍କୃତିକ ଉପଦେଷ୍ଟା କମିଟି ବୈଠକରେ ଦକ୍ଷିଣ-ପୂର୍ବ କୋଣରେ ହେବାକୁ ଥିବା ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ରକୁ ୧୦୦ ମିଟର ନିଷିଦ୍ଧାଞ୍ଚଳ ବାହାରେ କରିବାକୁ ନିଷ୍ପତ୍ତି ହୋଇଥିଲା। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ଏହି ନିଷ୍ପତ୍ତିରେ ମୋହର ମାରିଛି।
ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ଅନନ୍ତ ତିଆଡ଼ି ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ କହିଛନ୍ତି, ଆଜି ଉଭୟ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସବ୍କମିଟି ବୈଠକ ଓ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସବ୍କମିଟି ବୈଠକର ଆଲୋଚନାକୁ ଶ୍ରୀମନ୍ଦିର ପରିଚାଳନା କମିଟି ମୋହର ମାରିଛି। ପ୍ରସ୍ତାବିତ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳକୁ ସୋସାଇଟି ଆଇନ ଆଧାରରେ ପଞ୍ଜୀକରଣ ପାଇଁ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସହମତି ଦେଇଛି। ଯଦ୍ବାରା ଆଦର୍ଶ ଗୁରୁକୁଳ ଚଳାଇବା ପାଇଁ ଯେଉଁ ସଂସ୍ଥାକୁ ନିୟୋଜିତ କରାଯିବ ତାହା ସହିତ ସୋସାଇଟି ହିଁ ଏମ୍ଓୟୁ ପାଇଁ ପ୍ରାଧିକୃତ କର୍ତ୍ତୃପକ୍ଷ ରହିବ। ଆବଶ୍ୟକ ପରିବର୍ତ୍ତନ ପରେ ଏଥିପାଇଁ ଏକ ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି। ଏହାକୁ ମନ୍ଦିର ପରିଚାଳନା କମିଟି ଅନୁମୋଦନ କରିଛି। ସେବକଙ୍କ ପାଇଁ ବାସଗୃହ ନିର୍ମାଣ ଉପରେ ବି ଆଲୋଚନା ହୋଇଛି। ଏଥିପାଇଁ ହରଚଣ୍ଡୀସାହିରେ ୩.୧୮ ଏକର ଓ ମାଟିମଣ୍ଡପସାହିରେ ୨.୮୧ ଏକର ଜାଗା ଚିହ୍ନଟ ହୋଇଛି। ଦୁଇ ଜମିରେ କିଛି ଆଇନଗତ ସମସ୍ୟା ରହିଛି। ଦୁଇ ତିନିମାସରେ ଏହା ସମାଧାନ ପରେ ପରିଚାଳନା କମିଟି ଅନୁମୋଦନକ୍ରମେ ଓବିସିସିକୁ ବାସଗୃହ ନିର୍ମାଣ ଡିଜାଇନ୍ କରିବାକୁ ନିର୍ଦ୍ଦେଶ ଦିଆଯିବ। ଡିଜାଇନ୍ ପରିଚାଳନା କମିଟି ଅନୁମୋଦନ ପରେ କାମ ଆଗେଇବ। ଜେଲ୍ ରୋଡ୍ ଶ୍ରୀପୁରୁ ଷୋତ୍ତମ ଭକ୍ତ ନିବାସ କାମ ସରିଥିବା ବେଳେ ରଥଯାତ୍ରା ପୂର୍ବରୁ ଏହାକୁ କାର୍ଯ୍ୟକ୍ଷମ କରାଯିବ। ଏଠାରେ ଫର୍ଣ୍ଣିଚର ଆଦିର ତୁରନ୍ତ ବ୍ୟବସ୍ଥା କରାଯିବ। କ୍ୟାଟରିଂ ବ୍ୟବସ୍ଥା ବି ରହିବ।