ପୁରୀ : ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ନ ଥିବା ସେବାୟତଙ୍କୁ ମିଳିବ ବାସଗୃହ। ଏଥିପାଇଁ ପ୍ରସ୍ତୁତି ହୋଇଛି ଶ୍ରୀମନ୍ଦିର ସେବକ ବାସଗୃହ ଯୋଜନା। ଓବିସିସି ଏହି ପ୍ରକଳ୍ପ ପାଇଁ ୮୫.୫୫ କୋଟିର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିଥିବା ବେଳେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ଏଥିରେ ଚୂଡ଼ାନ୍ତ ମୋହର ମାରିଛି। ଅବଢ଼ା ଯୋଜନାରୁ ଏହି ଟଙ୍କା ଖର୍ଚ୍ଚ କରିବାକୁ ଖସଡ଼ା ପ୍ରସ୍ତୁତ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସଠାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା, ମାଧବ ମହାପାତ୍ର, ଅନନ୍ତ ତିଆଡ଼ି, ସୁଦର୍ଶନ ପଟ୍ଟନାୟକ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ ଶ୍ରୀମନ୍ଦିର ସେବକ ବାସଗୃହର ଡିଜାଇନ୍ ଓବିସିସି ଉପସ୍ଥାପନ କରିଥିଲା। ଡିଜାଇନର ରୂପରେଖ ଅନୁଯାୟୀ, ଓବିସିସି ସେବକ ବାସଗୃହକୁ ଦୁଇଟି ବ୍ଲକ୍ରେ ନିର୍ମାଣ କରିବ। ପ୍ରଥମ ବ୍ଲକ୍ରେ ୧୨୪ଟି ଓ ଦ୍ବିତୀୟ ବ୍ଲକ୍ରେ ୧୦୦ଟି ସେବକ ବାସଗୃହ ନିର୍ମାଣ ହେବ। ପ୍ରତି ଘର ୬୮୮ ବର୍ଗଫୁଟ ଜାଗାରେ ନିର୍ମାଣ ହେବ। ଏଥିରେ ୫୮୦ ବର୍ଗଫୁଟ ଅଞ୍ଚଳ କାରପେଟ୍ ଅଞ୍ଚଳ ରହିବ। ଯେଉଁଥିରେ ଦୁଇଟି ଶୋଇବା ଘର ସହ ରୋଷେଇ ଘର, ପୂଜା ଘର, ଡାଇନିଂ ଆଦି ବ୍ୟବସ୍ଥା ରହିବ। ଉଭୟ ମାଟିମଣ୍ଡପସାହି ଓ ହରଚଣ୍ଡୀସାହି ମୌଜାରେ ଶ୍ରୀମନ୍ଦିର ବାସଗୃହ ନିର୍ମାଣ ଯୋଜନା ରହିଥିବାବେଳେ ସମ୍ପୂର୍ଣ୍ଣ ଡିଜାଇନ୍କୁ ଦେଖିବା ପରେ ହରଚଣ୍ଡୀସାହି ମୌଜା ମହିପ୍ରକାଶ ମଠ ଜାଗାକୁ ପରିଚାଳନା କମିଟି ଏହି ପ୍ରକଳ୍ପ ପାଇଁ ସ୍ବୀକୃତି ପ୍ରଦାନ କରିଛି। ପ୍ରଥମ ପର୍ଯ୍ୟାୟରେ ମହିପ୍ରକାଶ ମଠର ପ୍ରାୟ ୩ ଏକର ଜାଗାରେ ୨୨୪ଟି ଘର ନିର୍ମାଣ କରିବାକୁ ସହମତି ହୋଇଛି। ପରବର୍ତ୍ତୀ ସମୟରେ ମାଟିମଣ୍ଡପସାହିରେ ସେବକ ବାସଗୃହ ନିର୍ମାଣ ହେବ।
ଅନ୍ୟପଟେ ୨୦୧୨ ମସିହାରୁ ସେବାୟତ ଆଦର୍ଶ ଗୁରୁକୁଳ କରିବାକୁ ଯୋଜନା ପ୍ରସ୍ତୁତ ହେଲାଣି। କିନ୍ତୁ ଇଚ୍ଛାଶକ୍ତି ତଥା ସମନ୍ବୟ ଅଭାବରୁ ଏହା ହୋଇପାରିନି। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ କହିଛନ୍ତି, ସେବାୟତ ଆଦର୍ଶ ଗୁରୁକୁଳ ସୋସାଇଟି ଆକ୍ଟରେ ପଞ୍ଜୀକରଣ ହେବା ପରେ ବିର୍ଲା ସହ ଏମ୍ଓୟୁ ସ୍ବାକ୍ଷର ହେବ। ଆମେ ସୋସାଇଟି ଆକ୍ଟରେ ଗୁରୁକୁଳକୁ ପଞ୍ଜୀକରଣ ପାଇଁ ଆବେଦନ କରିସାରିଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/srimandir-1.jpg)