ପୁରୀ : ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ନୂଆରୂପ ପାଇବ। ଏହାର ପ୍ରସ୍ତୁତି ପ୍ରଣାଳୀ ବଦଳିବ। ବିନା ଜୀବହତ୍ୟାରେ ସଂଗ୍ରହ ରେଶମରେ ମହାପ୍ରଭୁଙ୍କ ଅତିପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆ ପ୍ରସ୍ତୁତ ହେବ। ଆଜି ଏହାର ଏକ ନକଲ ଶ୍ରୀମନ୍ଦିର ପରିଚାଳନା କମିଟି ବୖଠକରେ ଉପସ୍ଥାପନ କରାଯାଇଛି। ପରିଚାଳନା କମିଟି ସଦସ୍ୟ ଏହାର ପ୍ରସ୍ତୁତି ପ୍ରଣାଳୀକୁ ପ୍ରଂଶସା କରିବା ସହ ଶ୍ରୀମନ୍ଦିରରେ ଏହାର ପ୍ରଚଳନ ପାଇଁ ସହମତି ଜଣାଇଛି ବୋଲି ଶ୍ରୀମନ୍ଦିର କାର୍ଯ୍ୟକାରୀ ସଭାପତି ତଥା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି। ସେପଟେ ଆଜିର ବୈଠକରେ ସ୍ନାନଯାତ୍ରାଠାରୁ ରଥଯାତ୍ରା ପର୍ଯ୍ୟନ୍ତ ଯାହା ବି ନୀତିକାନ୍ତି ରହିଛି, ସେଥିରେ ପରିଚାଳନା କମିଟି ଚୂଡ଼ାନ୍ତ ମୋହର ମାରିଛି।
ଗଜପତି ଦେଶ ବାହାରେ ଥିବାରୁ ବହୁଦିନର ବ୍ୟବଧାନ ପରେ ସୋମବାର ଦିନ ଶ୍ରୀମନ୍ଦିର କାର୍ଯ୍ୟକାରୀ ସଭାପତି ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି, ପୂର୍ବରୁ ରେଷମ ବସ୍ତ୍ରରେ ଯେଉଁ ଗୀତଗୋବିନ୍ଦ ଖଣ୍ଡୁଆ ପ୍ରସ୍ତୁତ ହେଉଥିଲା, ତାହା ରେଶମ ପୋକକୁ ମାରି ପ୍ରସ୍ତୁତ କରାଯାଉଥିଲା। କିନ୍ତୁ, ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକ ଶୋହନ କ୍ରିଷ୍ଣା ସାହୁ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଏକ ନୂଆ ପ୍ରଣାଳୀରେ ରେଶମ ବସ୍ତ୍ର ପ୍ରସ୍ତୁତ କରିଛନ୍ତି। ରେଶମ ପୋକକୁ ନ ମାରି, ଏହାକୁ କାଢ଼ି, ତାର ଖୋସାରେ ସେ ଏହି ରେଷମ ବସ୍ତ୍ର ପ୍ରସ୍ତୁତ କରିଥିଲେ। ଯାହାକୁ ରାଜ୍ୟ ହସ୍ତତନ୍ତ ବିଭାଗ ବି ଗ୍ରହଣ କରିଛି। ଶ୍ରୀମନ୍ଦିରରେ ଏହି ରେଶମ ପ୍ରଚଳନ ପାଇଁ ସରକାର ଚାହୁଛନ୍ତି। ସେ ଦୃଷ୍ଟିରୁ ଆଜି ଏହି ରେଶମରେ ପ୍ରସ୍ତୁତ ଏକ ଗୀତଗୋବିନ୍ଦ ଖଣ୍ଡୁଆ ବୈଠକରେ ସର୍ବସମ୍ମୁଖରେ ପ୍ରଦର୍ଶିତ ହୋଇଥିଲା। ଏହାକୁ ମହାପ୍ରଭୁଙ୍କଠାରେ ଲାଗି ପାଇଁ ପରିଚାଳନା କମିଟି ସହମତି ପ୍ରକାଶ କରିଛି। ଆମେ ଖୁବଶୀଘ୍ର ହସ୍ତତନ୍ତ ବିଭାଗ ସହଯୋଗରେ ଏହି ଗୀତଗୋବିନ୍ଦ ଖଣ୍ଡୁଆ ପ୍ରଚଳନ କରିବାକୁ ଯାଉଛୁ।
ଶ୍ରୀ ଜେନା ଆହୁରି କହିଛନ୍ତି, ପୂର୍ବରୁ ଛତିଶାନିଯୋଗ ବୈଠକରେ ସ୍ନାନଯାତ୍ରାଠାରୁ ଆରମ୍ଭ କରି ରଥଯାତ୍ରା ପର୍ଯ୍ୟନ୍ତ ଯାହା ବି ନୀତିକାନ୍ତି ରହିଛି, ଆଜି ପରିଚାଳନା କମିଟି ଏହି ନୀତିକାନ୍ତିକୁ ଅନୁମୋଦନ କରିଛି। ନୀତିକାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ବାରୋପ କରାଯାଇଛି। ୨୦୨୪-୨୫ ଶିକ୍ଷାବର୍ଷରୁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ କାର୍ଯ୍ୟକାରୀ କରିବା ଉପରେ ବୈଠକରେ ଆଲୋଚନା ହୋଇଛି। ପରିକ୍ରମା ପ୍ରକଳ୍ପ ବି ଖୁବ୍ଶୀଘ୍ର ସାରିବାକୁ ଲକ୍ଷ୍ୟ ରଖିଛୁ। ଶ୍ରୀମନ୍ଦିର ବାହାର ପରିକ୍ରମା ସହ ଶ୍ରୀମନ୍ଦିର ଭିତରେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ଉପରେ ଗୁରୁତ୍ବାରୋପ କରାଯାଇଛି। ଭକ୍ତମାନେ ଶ୍ରୀମନ୍ଦିର ଭିତରେ ଯେଭଳି ଶୃଙ୍ଖଳିତ ଦର୍ଶନ ଉପରେ ଆମେ ପରିଚାଳନା କମିଟି ବୈଠକ ଡାକିବୁ ବୋଲି ଶ୍ରୀ ଜେନା କହିଛନ୍ତି।
ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ଚନ୍ଦ୍ର ପୂଜାପଣ୍ଡା, ମାଧବ ମହାପାତ୍ର, ଜଗନ୍ନାଥ କର ପ୍ରମୁଖ ଉପସ୍ଥିତ ଥିଲେ।