ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ପ୍ରସଙ୍ଗ ଅନେକ, ନିଷ୍କର୍ଷକୁ ଅପେକ୍ଷା

ପୁରୀ : ସ୍ନାନଯାତ୍ରା, ରଥଯାତ୍ରା ଶେଷ ପରେ ଏହାର ସମୀକ୍ଷା ପାଇଁ ଆଜି ପୂର୍ବାହ୍ନ ସାଢ଼େ ୧୦ଟ‌ାରେ ନୀଳାଦ୍ରି ଭକ୍ତ ନିବାସଠାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ, ଗତ ମେ ୨୧ ତାରିଖ ଓ ଜୁନ ୭ ତାରିଖରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ବିବରଣୀ ଦୃଢ଼ୀକରଣ ହେବ। ସ୍ନାନଯାତ୍ରା ଓ ରଥଯାତ୍ରାର ସମୀକ୍ଷା ହେବ। ଆଦର୍ଶ ଗୁରୁକୁଳ, ସେବକ ବାସଗୃହ ସମ୍ପର୍କରେ ବି ଆଲୋଚନା ହେବ। ମେ ୬ ତାରିଖରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ଭୂମି ଓ ପ୍ରକଳ୍ପ ସବ୍‌କମିଟି ବୈଠକର ବିବରଣୀ ଅନୁମୋଦନ ହେବ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ବିକ୍ରି ସମ୍ପର୍କରେ ବି ଆଲୋଚନା ହେବ। ୟୁନିଫର୍ମ ପଲିସି ଉପରେ ବିସ୍ତୃତ ଆଲୋଚନା ହେବ। ତେବେ ବର୍ତ୍ତମାନ ପରିସ୍ଥିତିରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏହି ବୈଠକ ଅନେକ ଗୁରୁତ୍ବ ବହନକରୁଛି। ରତ୍ନଭଣ୍ଡାର, ରଘୁନାଥ ବେଶ, ଜମିଜମା ବିବାଦ, ଗର୍ଭଗୃହରୁ ଚୁନ ପ୍ଲାଷ୍ଟର ଖସିବା ଭଳି ମାଳ ମାଳ ପ୍ରସଙ୍ଗ ମୁଣ୍ଡ ଉପରେ ଥିବାରୁ ଆସନ୍ତାକାଲି ବୈଠକରେ ଏ ସମସ୍ତ ପ୍ରସଙ୍ଗରେ ପରିଚାଳନା କମିଟି ଆଲୋଚନା କରିପାରନ୍ତି ବୋଲି ଆଶା କରାଯାଉଛି। ଏଭଳି ମାଳ ମାଳ ପ୍ରସଙ୍ଗ ପରିଚାଳନା କମିଟି ଆଗରେ ଥିବାବେଳେ ଏ ଦିଗରେ କମିଟିର ଆଭିମୁଖ୍ୟ କ’ଣ ରହୁଛି ଓ ବୈଠକରୁ କ’ଣ ନିଷ୍କର୍ଷ ବାହାରୁଛି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି।

atlasobscura.com

ଖୋଲିବ କି ରତ୍ନଭଣ୍ଡାର!
ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଏକ ସମ୍ବେଦନଶୀଳ ପ୍ରସଙ୍ଗ ଭାବେ ଉଭା ହୋଇଛି। ଗତ ୪ ବର୍ଷ ହେଲାଣି ଏହି ପ୍ରସଙ୍ଗ ଥମିବାକୁ ନାଁ ଧରୁନି। ହାଇକୋର୍ଟଙ୍କ ଆଦେଶ ପରେ ୨୦୧୮ ଏପ୍ରିଲ ୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ଏହାକୁ ଅଧାର ଅଟକାଇ ଅଧିକାରୀମାନେ ଫେରି ଆସିଥିଲେ। ସେବେଠୁ ରତ୍ନଭଣ୍ଡାରକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ସେ ସମୟରେ ଯେଉଁ ୧୭ଜଣିଆ କମିଟି ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିଲେ, ସେମାନେ ସ୍ପଷ୍ଟ କରିଥିଲେ ଯେ ରତ୍ନଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଛି। ଭିତର ଓ ବାହାର ରତ୍ନଭଣ୍ଡାରର ଛାତ କାନ୍ଥରୁ ପାଣି ଗଳୁଛି। କାନ୍ଥ ଓ ଛାତ ଓଦାଳିଆ ରହିଛି। ଅନେକ ସ୍ଥାନରୁ ପ୍ଲାଷ୍ଟର ଖସି ଲୁହା ଛଡ଼ ଦେଖାଯାଉଛି। ଭିତର ରତ୍ନଭଣ୍ଡାର ଦ୍ବାରରେ ଲାଗିଥିବା ଛୋଟ ବିମ୍‌ ସବୁ ଖସି ପଡ଼ିଛି। ତୁରନ୍ତ ରତ୍ନଭଣ୍ଡାରର ମରାମତି ଆବଶ୍ୟକ ବୋଲି ଏହି ୧୭ଜଣିଆ କମିଟି ମତ ଦେଇଥିଲେ। କିନ୍ତୁ ଇତିମଧ୍ୟରେ ୪ ବର୍ଷ ବିତିଥିଲେ ବି କମିଟିର ଏହି ମତ କେବଳ କାଗଜକଲମରେ ସୀମିତ ରହିଛି। ରତ୍ନଭଣ୍ଡାର ଖୋଲି ସୁନା, ରୁପା, ରତ୍ନ, ଅଳଙ୍କାରର ଗଣତି ତ ଦୂରର କଥା, ଆଜି ପର୍ଯ୍ୟନ୍ତ ଏହାର ମରାମତି କଥା ଚିନ୍ତା କରାଯାଉନି। ଏହାକୁ ନେଇ କେବଳ ଶ୍ରୀମନ୍ଦିର ପ୍ରଶାସନ ନୁହେଁ, ରାଜ୍ୟ ସରକାର ବଦନାମର ବୋଝ ମୁଣ୍ଡାଇଛନ୍ତି। ୪ ବର୍ଷ ପରେ ବି ରତ୍ନଭଣ୍ଡାରେ ଗଚ୍ଛିତ ଅଳଙ୍କାରକୁ ନେଇ ଭକ୍ତ ମହଲରେ ଯେଉଁ ସନ୍ଦେହ ରହିଛି, ତାହା ଦୂର କରାଯାଇପାରିନି। ଏଣୁ ପରିଚାଳନା କମିଟି ବୈଠକରେ ବିଭିନ୍ନ ନିଯୋଗରୁ ପ୍ରତିନିଧିତ୍ବ କରୁଥିବା ସେବାୟତଙ୍କ ସହ ବିଭିନ୍ନ ବର୍ଗରୁ ପ୍ରତିନିଧିତ୍ବ କରୁଥିବା ବୁଦ୍ଧିଜୀବୀମାନେ ଏହି ପ୍ରସଙ୍ଗ ଉଠାଇ ଲୋକଙ୍କ ମନରୁ କିଛିକାଂଶରେ ସନ୍ଦେହ ଦୂର କରିବେ ବୋଲି ଆଶା କରାଯାଉଛି।

Twitter

କେବେ ହେବ ମହାପ୍ରଭୁଙ୍କ ରଘୁନାଥ ବେଶ
ବର୍ଷେ ନୁହେଁ କି ୫ ବର୍ଷ ନୁହେଁ, ୧୧୭ ବର୍ଷ ଧରି ମହାପ୍ରଭୁଙ୍କ ଦୁର୍ଲଭ ରଘୁନାଥ ବେଶ ଅଟକି ରହିଛି। ଏକାଧିକ ଥର ରଘୁନାଥ ବେଶ କରିବାକୁ ଯୋଜନା କରାଯାଇଥିଲେ ବି ଏହା ବିଫଳ ଯାଇଛି। ଶେଷ ଥର ୨୦୨୦ ମସିହାରେ ତତ୍କାଳୀନ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ମହାପ୍ରଭୁଙ୍କ ରଘୁନାଥ ବେଶ କରାଯିବ ଓ ଭକ୍ତମାନେ ଏହି ଦୁର୍ଲଭ ବେଶ ଦର୍ଶନ କରିପାରିବେ ବୋଲି ଭୁବନେଶ୍ବରଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ କହିଥିଲେ। କିନ୍ତୁ କୋଭିଡ୍‌ କଟକଣା ଆଳରେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ବନ୍ଦ କରିଦେଇଥିଲା। ରଘୁନାଥ ବେଶରେ ୩୧ ପ୍ରକାରର ସୁବର୍ଣ୍ଣର ଦେବଦେବି ପୂଜା ପାଇବା ସାଙ୍ଗକୁ ଅନ୍ୟାନ୍ୟ ସୁବର୍ଣ୍ଣ ଅଳଙ୍କାର ଶ୍ରୀଜିଉଙ୍କୁ ଲାଗି ହୋଇଥାଏ। ବେଶ ପାଇଁ ରତ୍ନସିଂହାସନରୁ କଳାହାଟ ଦ୍ବାର ପର୍ଯ୍ୟନ୍ତ ବ୍ୟାପକ ସାଜସଜ୍ଜା କରାଯାଇଥାଏ। ଏହା ମହାପ୍ରଭୁଙ୍କ ସର୍ବବୃହତ୍‌ ବେଶ ବୋଲି କୁହାଯାଉଛି। ଯେହେତୁ ବାରମ୍ବାର ରଘୁନାଥ ବେଶ କରିବା ନାଁରେ ଭଣ୍ଡାଯାଉଛି, ତେଣୁ ଭକ୍ତମାନେ ମହାପ୍ରଭୁଙ୍କ ଏହି ବେଶ ଅଳଙ୍କାର ରତ୍ନଭଣ୍ଡାରରେ ଅଛି କି ନାହିଁ, ସନ୍ଦେହ ପ୍ରକଟ କଲେଣି। କେବଳ ଭକ୍ତ ନୁହଁନ୍ତ, ସେବାୟତ ବି ଏହାକୁ ନେଇ ପ୍ରଶ୍ନ ଉଠାଇଲେଣି। ଏଣୁ ଏହି ପ୍ରସଙ୍ଗ ବି ପରିଚାଳନା କମିଟି ସଦସ୍ୟ ବୈଠକରେ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଛି।

ମହାପ୍ରଭୁଙ୍କ ଜମିଜମା ବିବାଦ
କେବଳ ପୁରୀ ତହସିଲ ନୁହେଁ, ଜିଲ୍ଲା ତଥା ଜିଲ୍ଲା ବାହାରେ ମହାପ୍ରଭୁଙ୍କ ଜମିକୁ ନେଇ ବିବାଦ ମୁଣ୍ଡ ଟେକିଛି। କିଏ କେଉଁଠି ମହାପ୍ରଭୁଙ୍କ ଜମିକୁ ସ୍ଥିତିବାନ ସୂତ୍ରରେ ହାତେଇ ବିକ୍ରି କରି ସାରିଲାଣି ତ କେଉଁଠି ମହାପ୍ରଭୁଙ୍କ ଜମିର କ୍ଷତିପୂରଣ ଅନ୍ୟ ଖାତାକୁ ଚାଲିଗଲାଣି। ନିକଟରେ ସିଦ୍ଧ ମହାବୀର ଜମି ବିବାଦର ଅନ୍ତ ହୋଇନଥିବା ବେଳେ ଏବେ ଭିଆଇପି ରୋଡ୍‌ ପୁଲିସ ଲାଇନ୍‌ ସମ୍ମୁଖ ଅମୃତମଣୋହି ଜମିକୁ ନେଇ ବିବାଦ ମୁଣ୍ଡ ଟେିକିଛି। ପ୍ରାୟ ୨୦ କୋଟି ଟଙ୍କାର ୨୭୦ ଡିସିମିଲ୍‌ର ଏହି ଅମୃତମଣୋହି ସମ୍ପତ୍ତିକୁ ପୂର୍ବତନ ବିଧାୟକ ଜାଲିଆତି କରି ସ୍ଥିତିବାନ ସୂତ୍ରରେ ହାତେଇବା ପରେ ଏବେ ଏମାର ପ୍ଲାଜା ନାମକ ସଂସ୍ଥାକୁ ବିକ୍ରି କରି ଦେଇଛନ୍ତି। ଏହି ଜମିରୁ ରେକର୍ଡ ସଂଶୋଧନ ପାଇଁ ଚକବନ୍ଦୀ କମିସନର ପୁରୀ ତହସିଲଦାରଙ୍କୁ ଚିଠି କରିଥିଲେ ବି ୪ ମାସ ପରେ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନି। ଏବେ ବି ଅନ୍ୟ ଦଖଲରେ ଏହି ଜମି ରହିଛି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ଏ ସମ୍ପର୍କରେ ପୁରୀ ତହସିଲଦାର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଚିଠି କରି ନିରବ ରହିଛି। ଏହି ଜମି କେବଳ ଉଦାହରଣ ମାତ୍ର। ଏଭଳି ମହାପ୍ରଭୁଙ୍କ ବହୁ ଜମି ତାଲିକାରୁ ହଜିଯିବାକୁ ବସିଛି। ଏଣୁ ଜମିଜମାକୁ ନେଇ ଆସନ୍ତାକାଲି ଜୋରଦାର ଆଲୋଚନା ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର