ଭୁବନେଶ୍ବର : ପୁରୀ ତଥା ଶ୍ରୀମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟୀକରଣକୁ ନେଇ ରାଜ୍ୟ ସରକାର ବହୁତ ତତ୍ପର ଥିବା କହୁଥିଲେ ହେଁ ସରକାର କିନ୍ତୁ ଶ୍ରୀମନ୍ଦିର ପରିଚାଳନା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି।

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ ଶ୍ରୀମନ୍ଦିର ପରିଚାଳନାକୁ ନେଇ ସୁପ୍ରିମକୋର୍ଟଙ୍କ ନିକଟରେ ଦାୟର ହୋଇଥିବା ‘ମୃଣାଳିନୀ ପାଢ଼ୀ ବନାମ ୟୁନିଅନ ଅଫ୍ ଇଣ୍ଡିଆ’ ମକଦ୍ଦମାର ଶୁଣାଣି କରି ସୁପ୍ରିମକୋର୍ଟ ନଭେମ୍ବର ୪, ୨୦୧୯ରେ ରାୟ ଦେଇଥିଲେ ଯେ ରାଜ୍ୟ ସରକାର ଜଣେ ପୂର୍ଣ୍ଣକାଳୀନ ଶ୍ରୀମନ୍ଦିର ପ୍ରଶାସକଙ୍କୁ ତତ୍‌କ୍ଷଣାତ ନିଯୁକ୍ତି ଦେବେ। ଯିଏ ଅନ୍ୟ କୌଣସି ବିଭାଗ ଦାୟିତ୍ବରେ ରହିବେନି। ହେଲେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନମାନି ପୂର୍ତ୍ତ ସଚିବ କ୍ରିଷନ କୁମାରଙ୍କୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ସାମ୍ବିଧାନିକ ପଦବିର ଅଧିକାରୀ ହୋଇ କିଭଳି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଦୁଇ ମାସରୁ ଅଧିକ ସମୟ ଧରି ଅନୁପାଳନ କରୁନାହାନ୍ତି, ତାହା ସାଧାରଣରେ ପ୍ରଶ୍ନବାଚୀ ହୋଇଛି।

ଶ୍ରୀ ନାୟକ କହିଥିଲେ ଯେ ନିକଟରେ ‘୫-ଟି’ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ତାଙ୍କ ବକ୍ତବ୍ୟରେ କହିଥିଲେ , ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ପୁରୀ ଯିବା ସମୟରେ ରାସ୍ତାରେ ଲାଗିଥିବା ହୋର୍ଡିଂରେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଦେଖି ହାତଯୋଡ଼ି ନମସ୍କାର କରୁଥିଲେ। ଏଥିରୁ ମୁଖ୍ୟମନ୍ତ୍ରୀଙ୍କର ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଥିବା ଭକ୍ତିକୁ ସେ ବୁଝି ପାରିଥିଲେ। ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ହାତ ଯୋଡ଼ିବାକୁ ଦେଖି ତାଙ୍କର ଜଗନ୍ନାଥଙ୍କ ପ୍ରତି ଥିବା ଭକ୍ତିକୁ ବୁଝି ପାରୁଛନ୍ତି ହେଲେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପରିଚାଳନା ନେଇ ଦେଇଥିବା ନିର୍ଦ୍ଦେଶକୁ କିପରି ବୁଝି ପାରୁନାହାନ୍ତି।

ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପାଇଁ ତୁରନ୍ତ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି କରିବାକୁ କହିଥିଲେ। ତେଣୁ ଏବେ ଅତିରିକ୍ତ ଦାୟିତ୍ବରେ ଥିବା ଶ୍ରୀମନ୍ଦିର ପ୍ରଶାସକ ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାହା ବାତିଲ୍‌ ଓ ବ୍ୟର୍ଥ ଭାବରେ ପରିଗଣିତ ହେବ। ପୂର୍ତ୍ତ ସଚିବ ଭୁବନେଶ୍ବରରେ ରହି ଶ୍ରୀମନ୍ଦିର କଥା ବୁଝୁଥିବାରୁ ସେଠାରେ ବହୁ ବିଭ୍ରାଟ ହେଉଛି। ତେଣୁ ରାଜ୍ୟ ସରକାର ଶ୍ରୀମନ୍ଦିରର ସୁରକ୍ଷା ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନି ତୁରନ୍ତ ଶ୍ରୀମନ୍ଦିର ପାଇଁ ସ୍ଥାୟୀ ପ୍ରଶାସକ ନିଯୁକ୍ତି ଦିଅନ୍ତୁ ବୋଲି ଶ୍ରୀ ନାୟକ ଦାବି କରିଛନ୍ତି।