ପୁରୀ : ରଥଯାତ୍ରା ପରମ୍ପରା ଭଙ୍ଗ ତଥା ବନ୍ଦ ହାନିକାରକ ନୁହେଁ। ଏହାଦ୍ବାରା ଭକ୍ତ, ସେବକ ଓ ଶ୍ରଦ୍ଧାଳୁ ସୁସ୍ଥ ରହିବେ। ମନ୍ଦିର, ଦେବତା ହସି ଉଠିବେ। ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ଏ ଭଳି ବୟାନ ଆଜି ଚର୍ଚ୍ଚାର ପରିସରକୁ ଆସିଛି। ପରିଚାଳନା କମିଟି ସହ ସେବାୟତବୃନ୍ଦ ପରମ୍ପରା ରକ୍ଷା ପାଇଁ କଟକଣାଯୁକ୍ତ ରଥଯାତ୍ରା ଆୟୋଜନ କରିବାକୁ କହୁଥିବାବେଳେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ଏଭଳି ବୟାନକୁ ନେଇ ବିରୋଧାଭାଷ ଆରମ୍ଭ ହୋଇଯାଇଛି। ସେପଟେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଗଜପତି ମହାରାଜ, ଶ୍ରୀମନ୍ଦିର ପରିଚାଳନା କମିଟି, ନୀତି ସଂପୃକ୍ତ ସେବାୟତଙ୍କ ଆଲୋଚନା ପରେ ମେ' ୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଛି। ୩ ତାରିଖରେ କଟକଣା ଉଠିବା ପରେ ରଥଯାତ୍ରା ହେବ କି ନାହିଁ ସେ ଉପରେ ବିଚାରବିମର୍ଷ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମୁକ୍ତିମଣ୍ଡପ ପଣ୍ଡିତସଭା ରଥଯାତ୍ରା ପ୍ରସଙ୍ଗରେ ମୁହଁ ଖୋଲିଛି।
ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତସଭା କାର୍ଯ୍ୟକାରୀ ସଭାପତି ବିଶ୍ବନାଥ ମିଶ୍ର, ସଂପାଦକ ଅଜିତ ମିଶ୍ର ଏ ସଂପର୍କରେ କହିଛନ୍ତି, ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ନିଜ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବର୍ଷକୁ ଥରେ ନବଦିନାତ୍ମକ ଯାତ୍ରା କରିଥାନ୍ତି। ଏହି ଗସ୍ତ ଏକ ପରମ୍ପରା। ଚଳିତ ବର୍ଷ କରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଦୂରଦର୍ଶନ ମାଧ୍ୟମରେ ଘରେ ବସି ଶ୍ରଦ୍ଧାଳୁ ତଥା ଭକ୍ତଗଣ ସିଧାସଳଖ ବାମନରୂପୀ ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ। ଯଦ୍ବାରା କାହାରି ଭାବାବେଗ କ୍ଷୁଣ୍ଣ ହେବନାହିଁ। ସୀମିତ ସେବାୟତଙ୍କ ସହଯୋଗ ଏବଂ ସ୍ବଳ୍ପ ସଂଖ୍ୟକ ପୁଲିସଙ୍କ ସହାୟତାରେ ଚଳିତବର୍ଷ ରଥ ଟଣା କାର୍ଯ୍ୟ ସଂପାଦିତ ହୋଇପାରିବ। ଯଦି ରାଜ୍ୟ ସରକାରଙ୍କ କଠୋର କଟକଣା ଲାଗୁ କରି ଜିଲ୍ଲା ଭିତର ତଥା ସହର ପ୍ରବେଶ ପଥଗୁଡ଼ିକୁ ଅବରୋଧ କରିପାରିବେ, ତେବେ କରୋନା ଦୁର୍ଗତିର ବ୍ୟାପକତାକୁ ଏଡ଼ାଇ ଦିଆଯାଇପାରିବ ଓ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ।
ତଥାପି ଯଦି ଅନିବାର୍ଯ୍ୟ କାରଣରୁ ରଥଯାତ୍ରା ପରମ୍ପରା ଭଙ୍ଗ ହୁଏ ଅର୍ଥାତ୍ ବନ୍ଦ ହୋଇଯାଏ, ଏହା କୌଣସି କ୍ଷତି ପହଞ୍ଚାଇବ ନାହିଁ। କାରଣ ଅତୀତରେ ବି ଏଭଳି ଘଟଣା ଘଟିଛି। ୩୨୭ ବର୍ଷ ତଳର ଇତିହାସ ଅନୁଯାୟୀ ବିଧର୍ମୀମାନଙ୍କ ଜଗନ୍ନାଥ ସଂସ୍କୃତି ଉପରେ ବର୍ବରୋଚିତ କାର୍ଯ୍ୟ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା। ସାଂପ୍ରତିକ ଦୁଃସ୍ଥିତିରେ ସମସ୍ତଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ପରମ୍ପରା ଭଙ୍ଗ କୌଣସି କ୍ଷତି ଘଟାଇବ ନାହିଁ ବୋଲି କାର୍ଯ୍ୟକାରୀ ସଭାପତି ଶ୍ରୀ ମିଶ୍ର ଓ ସଂପାଦକ ଶ୍ରୀ ମିଶ୍ର ମତ ଦେଇଛନ୍ତି। ତଥାପି ଏହି ପରିପ୍ରେକ୍ଷୀରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଗ୍ରହଣଯୋଗ୍ୟ ବୋଲି ଦୁଇ ପଣ୍ଡିତ କହିଛନ୍ତି।