ଶ୍ରୀମନ୍ଦିର ନାଟ ମଣ୍ଡପରେ ଲାଗିଲା ଲୋୟର ମନିଟରିଂ ସିଷ୍ଟମ୍‌

ଆରମ୍ଭ ହେଲା ଫାଟ ମାତ୍ରା ମାପିବା କାର୍ଯ୍ୟ

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପୂର୍ବରୁ ଏଥିରେ ଥିବା ଫାଟର ମାତ୍ରା ଓ ସ୍ଥିତି ମାପିବା ପାଇଁ ଗତ ୧୪ ତାରିଖରୁ ଲୋୟର ମନିଟରିଂ ସିଷ୍ଟମ (ହେଲଥ୍‌ ମନିଟରିଂ ସିଷ୍ଟମ) କାର୍ଯ୍ୟ ଶେଷ ହୋଇଛି। ଆଇଆଇଟି ମାଡ୍ରାସର ଟେକ୍ନିକାଲ ଟିମ ଓ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଗରୁଡ଼ସ୍ତମ୍ଭ ସାମ୍‌ନା ମୁଖ୍ୟ ବିମ୍‌ରେ ଏହାକୁ ଲଗାଯାଇଛି। ଆଜିଠାରୁ ଏହି ସିଷ୍ଟମ ନାଟମଣ୍ଡପର ସ୍ଥିତି ଓ ଏଥିରେ ଥିବା ଫାଟର ମାତ୍ରା ମାପିବା କାର୍ଯ୍ୟ ଆରମ୍ଭ କରିଛି। ଏହି ସିଷ୍ଟମ ପ୍ରତ୍ନତତ୍ତ୍ବ ବିଭାଗ କାର୍ଯ୍ୟାଳୟ ସହ ସଂଯୋଗ ରହିଥିବାବେଳେ ଅଧିକାରୀମାନେ ଅନଲାଇନ୍‌ ଜରିଆରେ ସିଧାସଳଖ ନାଟମଣ୍ଡପର ସ୍ଥିତି ଦେଖିଛନ୍ତି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୧, ୨୨ ଓ ୨୩ ତାରିଖ ତିନିଦିନ ଧରି ପ୍ରତ୍ନତତ୍ତ୍ବ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପାନ୍ଥ ନିବାସଠାରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଆଇଆଇଟି ମାଡ୍ରାସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବରିଷ୍ଠ ଅଧିକାରୀମାନେ ନାଟ ମଣ୍ଡପର ସ୍ଥିତି ଯାଞ୍ଚ କରି ଫାଟର ମାତ୍ରା, କେତେ ଦିନର ଫାଟ, ଆଗକୁ ଏ ନେଇ ବିପଦ ଅଛି କି ନାହିଁ, ସେ ସଂପର୍କରେ ଜାଣିବା ପାଇଁ ଆଇଆଇଟି ମାଡ୍ରାସ ଜରିଆରେ ଲୋୟର ମନିଟରିଂ ସିଷ୍ଟମ (ହେଲଥ୍‌ ମନିଟରିଂ ସିଷ୍ଟମ) ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। କିଛି ଦିନ ତଳେ ଏ ବାବଦ ସମସ୍ତ ସରଞ୍ଜାମ ନେଇ ଆଇଆଇଟି ମାଡ୍ରାସର ଟେକ୍ନିକାଲ ଟିମ୍ ଆସି ପୁରୀରେ ପହଞ୍ଚିଥିଲେ। ଗତ ୧୪ ତାରିଖରୁ ଏହାର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏ ସଂପର୍କରେ ପ୍ରତ୍ନତତ୍ତ୍ବ ବିଭାଗର ବରିଷ୍ଠ ଅଧିକାରୀ ଚିତ୍ତରଂଜନ ଦାସ କହିଛନ୍ତି, ଲୋୟର ମନିଟରିଂ ସିଷ୍ଟମ ଇନଷ୍ଟଲ୍‌ କାର୍ଯ୍ୟ ଗତକାଲି ଶେଷ ହୋଇଥିବା ବେଳେ ଆଜିଠାରୁ ଏହି ସିଷ୍ଟମ ଜରିଆରେ ରିଡିଂ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ସିଷ୍ଟମ ଯାହା କିଛି ରିଡିଂ କରିବ ତାହା ପ୍ରତ୍ନତତ୍ତ୍ବ ବିଭାଗ କମ୍ପ୍ୟୁଟରରେ ଦେଖାଇବ। ରିଡିଂ ଅନୁଧ୍ୟାନ ପରେ ଫାଟ ଓ ସ୍ଥିତି ଅନୁଯାୟୀ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହେବ। ଲୋୟର ମନିଷ୍ଟରିଂ ସିଷ୍ଟମ ଚଳାଇବା ଉପରେ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନଙ୍କୁ ଟ୍ରେନିଂ ଦିଆସରିଛି। ପ୍ରକାଶଥାଉକି, ନାଟମଣ୍ଡପରେ ୧୬ଟି ବିମ୍‌ ରହିଛି। ଯେଉଁଥିରେ ୪ଟି ମୁଖ୍ୟ ବିମ୍‌ ନାଟମଣ୍ଡପକୁ ଚାରିପାଖରୁ ଧରିରଖିଛି। ବାକି ତିନିଟି ଲେଖା ବିମ୍‌ ମୁଖ୍ୟ ବିମ୍‌କୁ ସପ‌ୋର୍ଟ ପାଇଁ ଏହା ତଳେ ଦିଆଯାଇଛି। ଗରୁଡ଼ ସ୍ତମ୍ଭ ସମ୍ମୁଖ ଉପର ବିମ୍‌ରେ ଏକାଧିକ ବଡ଼ ଫାଟ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର