ସେବାୟତଙ୍କ ଦଖଲରେ ଶ୍ରୀମନ୍ଦିର ନାଟମଣ୍ଡପ

ନାଟମଣ୍ଡପରେ ମାଳ ମାଳ ଆଲମିରା, ସଂକୁଚିତ ଭକ୍ତଙ୍କ ଦର୍ଶନ ବାଟ

ପୁରୀ : ସେବାୟତଙ୍କ ଦଖଲରେ ଶ୍ରୀମନ୍ଦିର ନାଟମଣ୍ଡପ। ଗଦା ହୋଇ ରହିଛି ମାଳ ମାଳ ଆଲମିରା। ଯେଉଁଥିପାଇଁ ଭକ୍ତଙ୍କ ଚଲାପଥ ସଂକୁଚିତ ହେବା ସହ ଏହା ଦର୍ଶନରେ ପ୍ରତିବନ୍ଧକ ସାଜିଛି। ଯାହା ଭକ୍ତଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିଛି।

ପୂର୍ବରୁ କେବଳ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ପାଇଁ ୫ଟି ସିନ୍ଧୁକ, ଆଲମିରାକୁ ଛାଡ଼ିଦେଲେ ଅନ୍ୟ କିଛି ଆଲମିରା ନାଟମଣ୍ଡପରେ ରହୁନଥିଲା। ଯେଉଁଥିପାଇଁ ଭକ୍ତମାନେ ସୁବିଧାରେ ଦର୍ଶନ କରି ଫେରୁଥିଲେ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନର ଅଣଦେଖା କାରଣରୁ ମନ୍ଦିର ପ୍ରଶାସନ ସହ ଅନ୍ୟ ସେବାୟତମାନେ ବି ସେମାନଙ୍କ ବ୍ୟକ୍ତିଗତ ଆଲମିରା ନାଟମଣ୍ଡପରେ ପକାଇ ରଖିଛନ୍ତି। ରଥଯାତ୍ରାଠାରୁ ଏହି ସଂଖ୍ୟା ବଢ଼ି ୨୨ରେ ପହଞ୍ଚିଛି। ଯେଉଁଥିରୁ ୪/୫ଟି ଶ୍ରୀମନ୍ଦିର ପ୍ରଶାସନର ହୋଇଥିବାବେଳେ ଅନ୍ୟଗୁଡ଼ିକ ସେବାୟତମାନେ ପକାଇ ରଖିଛନ୍ତି। କିଏ ଭୋଗମଣ୍ଡପ ଦ୍ବାର ପାର୍ଶ୍ବରେ ତ କିଏ ଗାରଦ ପାଖରେ ଏହି ଆଲମିରା ପକାଇ ରଖିଛନ୍ତି। ସେପଟେ ଭୋଗେଇ ସହ ଅନ୍ୟାନ୍ୟ ଜିନିଷ ବି ନାଟମଣ୍ଡପରେ ସେବାୟତମାନେ ରଖୁଛନ୍ତି। ଫଳସ୍ବରୂପ ନାଟମଣ୍ଡପ ଦେଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବାବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଯଥା ଭକ୍ତଙ୍କ ଭିଡ଼ ବଢ଼ୁଛି।

କିଛି ଭକ୍ତଙ୍କ କହିବା ମୁତାବକ, ବର୍ଷା ସମୟରେ ଭକ୍ତମାନେ ଶ୍ରୀମନ୍ଦିର ନାଟମଣ୍ଡପରେ ଆଶ୍ରୟ ନେଇଥାନ୍ତି। କିନ୍ତୁ ଅଯଥା ଆଲମିରା ନାଟମଣ୍ଡପରେ ଗଦା ହୋଇ ରହୁଥିବାରୁ ଭକ୍ତମାନେ କଲବଲ ହେଉଛନ୍ତି। ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ବିହିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୫ ମସିହା ନବକଳେବର ସମୟରେ ବି ସେବାୟତମାନେ ଏଭଳି ଆଲମିରା ରଖି ବିବାଦ ଘେରକୁ ଆସିଥିଲେ। ପରେ ତତ୍କାଳ ନାଟମଣ୍ଡପରୁ ଆଲମିରା ସବୁ ହଟାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର