ଶ୍ରୀମନ୍ଦିର ନାଟମଣ୍ଡପ, ଜଗମୋହନ ମରାମତି: ଆଜି ଆସିବେ ଏଏସ୍‌ଆଇର ଉଚ୍ଚସ୍ତରୀୟ ବୈଷୟିକ ଦଳ

ନାଟମଣ୍ଡପ ବିମ୍‌ ଫାଟ କରିବେ ଅନୁଧ୍ୟାନ

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ଭିତର ଓ ବାହାର ପାର୍ଶ୍ବ ଏବଂ ଜଗମୋହନର ଉପରପାର୍ଶ୍ବର ଆବଶ୍ୟକ ମରାମତି ହେବ। ହାଇକୋର୍ଟଙ୍କ ଆଦେଶ ପରେ ପ୍ରତ୍ନତତ୍ତ୍ବ ବିଭାଗ ଏହି ମରାମତି କାମ ଖୁବଶୀଘ୍ର ଆରମ୍ଭ ‌କରିବାକୁ ଯାଉଛି। ଏହା ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଏକ ଉଚ୍ଚସ୍ତରୀୟ ବୈଷୟିକ ଦଳ ରବିବାର ପୁରୀ ଗସ୍ତରେ ଆସୁଛନ୍ତି। ୪ରୁ ଅଧିକ ବରିଷ୍ଠ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଗଠିତ ଏହି ଦଳ ଆସନ୍ତାକାଲି ଦିଲ୍ଲୀରୁ ସିଧାସଳଖ ପୁରୀରେ ଆସି ପହଞ୍ଚିବେ। ପୂର୍ବାହ୍ଣ ପ୍ରାୟ ୧୧ଟାରେ ଏମାନେ ଶ୍ରୀମନ୍ଦିରରେ ପହଞ୍ଚି ନାଟମଣ୍ଡପ ଓ ଜଗମୋହନର ଅନୁଧ୍ୟାନ କରିବା ସହ ମରାମତି ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେବେ ବୋଲି ଜଣାପଡ଼ିଛି।

ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ରେ ଫାଟ ଦେଖାଦେବା ପରେ ୨୦୧୮ ମସିହାରୁ କ୍ରାକ୍‌ ମିଟର ଜରିଆରେ ଏହାର ସ୍ଥିତି ଅନୁଧ୍ୟାନ କରାଯାଉଛି। ଯେହେତୁ ବିମ୍‌ର ଫାଟ ବାହାରକୁ ସ୍ପଷ୍ଟ ଜଣାପଡ଼ୁନି, ସେ ଦୃଷ୍ଟିରୁ ଏହି ଫାଟ ଆକାରରେ କେତେ ବଡ଼ ଓ ଏହାର ତୀବ୍ରତା କେତେ ରହିଛି, କେତେ ପରିମାଣରେ ଏହି ଫାଟ ବଢ଼ୁଛି, କ୍ରାକ୍‌ ମିଟର ଜରିଆରେ ଏହାର ପ୍ରତ୍ୟକ୍ଷ ଅନୁଧ୍ୟାନ କରାଯାଉଛି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆଇଆଇଟି ଚେନ୍ନାଇ ଏହାର ଅନୁଧ୍ୟାନ କରୁଛି। କିନ୍ତୁ ୫ ବର୍ଷ ପରେ ବି ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇନାହିଁ। ନିକଟରେ ଏହାକୁ ନେଇ ଆମିକସ୍‌ କ୍ୟୁରିଙ୍କ ରିପୋର୍ଟ ଓ ହାଇକୋର୍ଟ ବିରକ୍ତି ପ୍ରକାଶ କରିବା ପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ନାଟମଣ୍ଡପ କାମ ଆରମ୍ଭ କରିବାକୁ ଯାଉଛି। ଆସନ୍ତାକାଲି ଆସୁଥିବା ଉଚ୍ଚସ୍ତରୀୟ ଟିମ୍‌ ଯେହେତୁ ପ୍ରଥମେ ନାଟମଣ୍ଡପ ବିମ୍‌ ଫାଟ ଅନୁଧ୍ୟାନ କରିବେ, ଏଥିପାଇଁ ନାଟମଣ୍ଡପରେ ଭାରା ବନ୍ଧା କାମ ଶେଷ ହୋଇଛି। ପରେ ଜଗମୋହନ ପୂର୍ବପାର୍ଶ୍ବ ସ୍ଥିତି ଅନୁଧ୍ୟାନ କରାଯିବ। ‌ନିକଟରେ ଯେଉଁ ସ୍ଥାନରୁ ପଥର ଖସିଥିଲା, ତାର ବି ସ୍ଥିତି ଅନୁଧ୍ୟାନ କରିବେ ଏହି ଦଳ। ଏଥିପାଇଁ ବି ଆବଶ୍ୟକ ପ୍ରସ୍ତୁତି ‌ଶେଷ ହୋଇଛି।

ସମ୍ବନ୍ଧିତ ଖବର