ପୁରୀ : ବାରମ୍ବାର ନିଷ୍ପତ୍ତି ପରେ ବି ଶ୍ରୀମନ୍ଦିରରେ ନୀତିକାନ୍ତିରେ ଶୃଙ୍ଖଳା ଆସିପାରିନି। ନୀତି ସହିତ ସମ୍ପୃକ୍ତ ସେବାୟତମାନେ ବାରମ୍ବାର ନୀତିକାନ୍ତିରେ ଅହେତୁକ ବିଳମ୍ବ କରୁଥିବାରୁ ମହାପ୍ରଭୁଙ୍କ ସେବାପୂଜା ପ୍ରଭାବିତ ହେବାରେ ଲାଗିଛି। ଫଳସ୍ବରୂପ ଭକ୍ତଙ୍କ ଦର୍ଶନଠାରୁ ଆରମ୍ଭ କରି ମହାପ୍ରସାଦ ବାହାରିବା, ସବୁକିଛି ବିଳମ୍ବ ହେଉଛି। ଦୈନିକ ନୀତିକାନ୍ତି ବିଳମ୍ବ ଏକ ଅଭ୍ୟାସରେ ପରିଣତ ହୋଇସାରିଥିବା ବେଳେ ଶୁକ୍ରବାର ଦିନ ଭକ୍ତମାନେ ନାହିଁନଥିବା କଲବଲ ହୋଇଛନ୍ତି। ପ୍ରଥମେ ଦ୍ବାରଫିଟାରେ ବିଳମ୍ବ ହେଲା। ପରେ ପରେ ବଡ଼ ମହାସ୍ନାନ ଯୋଗୁ ସକାଳୁ ଦର୍ଶନ ଅପେକ୍ଷାରେ ଥିବା ଭକ୍ତମାନେ ପୂର୍ବାହ୍ଣ ୧୦ଟା ପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଆଜି ସମସ୍ତ ନୀତିକାନ୍ତି ପ୍ରାୟ ୫ ଘଣ୍ଟା ବିଳମ୍ବରେ ସମ୍ପନ୍ନ ହୋଇଥିଲା।
୫ ଘଣ୍ଟା ନୀତି ବିଳମ୍ବ, ପ୍ରଶାସନ ବେଫିକର
୭ଟା ୫ରେ ଦ୍ବାରଫିଟା, ପରେ ବଡ଼ ମହାସ୍ନାନ
ନାହିଁ ନଥିବା ଦୁର୍ଦ୍ଦଶାର ସାମ୍ନା କରୁଛନ୍ତି ଶ୍ରଦ୍ଧାଳୁ
ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦିତ ନୀତିକାନ୍ତିର ତାଲିକା ଓ ଚିଠି ଅନୁଯାୟୀ, ପ୍ରତିଦିନ ଭୋର ୪ଟାରେ ଦ୍ବାରଫିଟା ନୀତି ସମ୍ପନ୍ନ ହେବା କଥା। ସେହି ଅନୁସାରେ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହେବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ପ୍ରତିଦିନ ପ୍ରାୟ ୬ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେଉଛି। ଗତକାଲି ବି ଭୋର ୫ଟା ୫୫ରେ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ସମ୍ପନ୍ନ ହୋଇଥିଲା। ସେହି ଅନୁସାରେ ଅନ୍ୟାନ୍ୟ ନୀତିକାନ୍ତି ଗଡ଼ିଥିଲା। ପରେ ନୀତିକାନ୍ତି ବିଳମ୍ବ ହେବା ପରିଲକ୍ଷିତ ହୋଇଥିଲା। ଯେଉଁଥିପାଇଁ ବଡ଼ସିଂହାର ଭୋଗ ଓ ପହୁଡ଼ ନୀତି ବିଳମ୍ବ ହୋଇଥିଲା। ଗତକାଲି ରାତି ପ୍ରାୟ ସାଢ଼େ ୧୨ଟାରେ ଚନ୍ଦନଲାଗି, ୧ଟା ୫୫ରେ ବଡ଼ସିଂହାର ବେଶ, ୨ଟା ୪୦ରେ ବଡ଼ସିଂହାର ଭୋଗ, ୨ଟା ୫୫ରେ ଦଣ୍ଡଛତ୍ର ଲାଗି, ୩ଟା ୧୫ରେ ଦଣ୍ଡଛତ୍ର ମଇଲମ ପରେ ୩ଟା ୪୦ରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ଆଜିର ନୀତିକାନ୍ତି ବିଳମ୍ବ ହୋଇଥିଲା।
ସକାଳ ୭ଟା ୫ରେ ଦ୍ବାରଫିଟା ପରେ ଭିତରଶୋଧ, ୭ଟା ୫୦ରେ ମଙ୍ଗଳ ଆଳତି ହୋଇ ଦର୍ଶନ ଆରମ୍ଭ ହୋଇଥିଲା। ଅଳ୍ପ କିଛି ସମୟ ଦର୍ଶନ ଚାଲିଛି କି ନାହିଁ, ୭ଟା ୫୫ରେ ମଇଲମ ନୀତି ଚାଲିଥିବାବେଳେ ଭିତରକାଠରେ କେହି ବାନ୍ତି କରି ଦେଇଥିବା ଜଣାପଡ଼ିଥିଲା। ଏହା ପରେ ସମସ୍ତ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇ, ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ଣ ୧୦ଟାରେ ମହାସ୍ନାନ ପୂଜା ଶେଷ ପରେ ପୁନର୍ବାର ମଇଲମ ଓ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିଥିଲା। ଭକ୍ତମାନେ ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ମହାପ୍ରସାଦ ପାଇଥିଲେ।
ନୀତିକାନ୍ତି ବିଳମ୍ବ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ କହିଛି, ଗତକାଲି ପଙ୍କୋଦ୍ଧାର ଏକାଦଶୀ ଓ ଗୁରୁବାର ମାଜଣା ଥିବାରୁ ଅଧିକ ନୀତିକାନ୍ତି ଶ୍ରୀମନ୍ଦିରରେ ରହିଥିଲା। ଏଣୁ ମହାପ୍ରଭୁଙ୍କ ନୀତିକାନ୍ତି ସରିବାକୁ ବିଳମ୍ବ ହୋଇଥିଲା। ଯେଉଁଥିପାଇଁ ଆଜି ଦ୍ବାରଫିଟା ବିଳମ୍ବ ହୋଇଥିଲା। କିନ୍ତୁ ନୀତିକାନ୍ତି ଆରମ୍ଭ ପରେ ପରେ କେହି ବାନ୍ତି କରିଦେବାକୁ ବଡ଼ ମହାସ୍ନାନ ନୀତି ସମ୍ପନ୍ନ କରାଯାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଥିଲା।