ଭଙ୍ଗା ହେଲା ଶ୍ରୀମନ୍ଦିର କାର୍ଯ୍ୟାଳୟ କୋଠା, ନୂତନ କୋଠାରେ ଖର୍ଚ୍ଚ ହେବ ୭ କୋଟି ଟଙ୍କା

ପୁରୀ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପୁରୁଣା କୋଠା ଆଜି ଭଙ୍ଗା ଯାଇଛି। ଦୁଇଟି ଏକ୍ସକାଭେଟର ଲଗାଇ କୋଠାକୁ ଭଙ୍ଗାଯାଇଛି। ଆଜି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ଥିବା ବେଳେ କୋଠା ଭଙ୍ଗା କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି। ବଡ଼ଦାଣ୍ଡରୁ ପ୍ରାୟ ୨୦ ଫୁଟ ଭିତର ଅଂଶ ଭଙ୍ଗାଯାଇଛି। ଏଥିସହ ନାଜିର ଓ ସୂଚନା କାର୍ଯ୍ୟାଳୟ ମଧ୍ୟ ଭଙ୍ଗାଯାଇଛି। ତେବେ ପ୍ରଶାସନର ନୂତନ କୋଠା ସୁରକ୍ଷିତ ରହିଛି।

ଶ୍ରୀମନ୍ଦିର ଚୌହଦି ମଧ୍ୟରେ ୭୫ ମିଟର ସୀମା ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନର ନୂଆ କୋଠା ନିର୍ମାଣ ହେବ। ହେରିଟେଜ୍‌ କରିଡରର ରୂପରେଖ ପ୍ରସ୍ତୁତି ସରିଥିବା ବ‌େଳେ ଏହା ମଧ୍ୟରେ ଆସୁଥିବା ପ୍ରଶାସନ କୋଠା ଦୁଇ ମହଲା ବିଶିଷ୍ଟ କରାଯିବ। ସମ୍ପୂର୍ଣ୍ଣ ମନ୍ଦିରର ପରିବେଶକୁ ଉପଭୋଗ କରିବା ପାଇଁ ଏହା ଉପରେ ଏକ ‘ଭିୟୁ ଗ୍ୟାଲେରି’ ରହିବ। ଏମାର ମଠ ଉପରେ ଯେଭଳି ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ପରିବେଶକୁ ଉପଭୋଗ କରି ହେଉଥିଲା ସେଇ ସୁଯୋଗ ଏଇଠାରେ ମିଳିବ। କୋଠାରେ କଳିଙ୍ଗ କଳା କାରିଗରୀର ଛାପ ଦେଖିବାକୁ ମିଳିବ। ବଡ଼ଦାଣ୍ଡରେ ଯେପରି ଏହି କୋଠା ବାରି ହୋଇ ପଡ଼ିବ ସେ‌ନେଇ ନୀଳନକ୍ସା ପ୍ରସ୍ତୁତ କରାଯାଇଛି।

ଓଡ଼ିଶା ସେତୁ ନିର୍ମାଣ ନିଗମ ପକ୍ଷରୁ ନୂତନ କୋଠା ନିର୍ମାଣ ଆରମ୍ଭ ହେବ। ନୂତନ କୋଠାର ନିର୍ମାଣରେ ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ନୂଆ କୋଠାର ତଳ ମହଲାର ଶ୍ରୀମନ୍ଦିର ପ୍ରଶାସନର ପ୍ରଶାସନିକ ବ୍ଲକ୍‌ ସମେତ ଅଭ୍ୟର୍ଥନା ପ୍ରକୋଷ୍ଠ, ଅତିଥି ବୈଠକ ଖାନା, ଲାଉଞ୍ଜ, ପାର୍କିଂ, ଲିଫ୍ଟ ବ୍ୟବସ୍ଥା ଆଦି କରାଯିବ। କୋଠାର ପ୍ରଥମ ମହଲାରେ ଦୁଇଟି ବହୁମୁଖୀ ହଲ୍‌ ରହିବ। କାର୍ଯ୍ୟାଳୟ କକ୍ଷ ସହ ଅନ୍ୟାନ୍ୟ ସେବା ଉପଲବ୍ଧ ଲାଗି ବ୍ୟବସ୍ଥା କରାଯିବ। ଦ୍ବିତୀୟ ମହଲାରେ ଦର୍ଶକଙ୍କ ପାଇଁ ପ୍ରତୀକ୍ଷା କକ୍ଷ, ସମ୍ମିଳନୀ କକ୍ଷ ଅନ୍ୟାନ୍ୟ ବ୍ୟବସ୍ଥା ଉପଲବ୍ଧ ହେବ। ନୂଆ କୋଠା ଯେପରି ଆଲୋକରେ ଝଟକିବ ସେନେଇ ମଧ୍ୟ ଅତିରିକ୍ତ ଖର୍ଚ୍ଚ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର