‘କାର୍ତ୍ତିକ ମାସ ତଥା ନାଗାର୍ଜୁନ ବେଶ ଶେଷ ନ ହେବା ପର୍ଯ୍ୟନ୍ତ ନ ଖୋଲୁ ଶ୍ରୀମନ୍ଦିର’

ଛତିଶାନିଯୋଗ ସହ ମନ୍ଦିର ପ୍ରଶାସନର ଆଲୋଚନା
ପ୍ରଥମ ଦିନରେ ଅଂଶଗ୍ରହଣ କଲେ ପରିଚାଳନା କମିଟି ସଦସ୍ୟ ଓ ଚାରି ପ୍ରମୁଖ ନିଯୋଗ
ନାଗାର୍ଜୁନ ବେଶ ଶେଷ ନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ନ ଖୋଲିବାକୁ ମତ

ପୁରୀ : ଶ୍ରୀମନ୍ଦିର ଖୋଲିବ କି ଖୋଲିବନି, ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କୁ ମିଳିବ କି ନାହିଁ, ଏହାକୁ ନେଇ ତର୍କବିତର୍କ ଚାଲିଛି। କେହି କେହି ସଂକ୍ରମଣ ବଢ଼ି ଚାଲିଥିବାରୁ ଏବେ ଶ୍ରୀମନ୍ଦିର ଖୋଲା ନଯାଉ ବୋଲି ମତ ଦେଉଥିବାବେଳେ କେହି କେହି ସେବାୟତଙ୍କ ପେଟପାଟଣା ପାଇଁ ମନ୍ଦିର ଖୋଲିବାକୁ ଦାବି କରୁଛନ୍ତି। ରାଜ୍ୟ ସରକାର ଏହାଭିତରେ ମନ୍ଦିର ଖୋଲିବା ପ୍ରସଙ୍ଗରେ ପ୍ରତି ଜିଲ୍ଲାର ମନ୍ଦିର ମୁଖ୍ୟ, ଜିଲ୍ଲାପାଳ ଓ ଅନ୍ୟମାନଙ୍କଠାରୁ ଜବାବ ମାଗିଛନ୍ତି। ରାଜ୍ୟ ସରକାରଙ୍କ ଏହି ଚିଠି ପାଇବା ପରେ ଆଜିଠାରୁ ଶ୍ରୀମନ୍ଦିର ପ୍ରଶାସନ ଛତିଶାନିଯୋଗ ସହ ମନ୍ଦିର ଖୋଲିବା ପ୍ରସଙ୍ଗରେ ଆଲୋଚନା ପର୍ବ ଆରମ୍ଭ ‌କରିଛି। ପ୍ରଥମଦିନରେ ପରିଚାଳନା କମିଟି ସଦସ୍ୟଙ୍କ ସହ ଚାରି ପ୍ରମୁଖ ନିଯୋଗ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ସମସ୍ତେ ଶ୍ରୀମନ୍ଦିର ଖୋଲିବା ନେଇ ଅସହମତି ପ୍ରକାଶ କରିଛନ୍ତି। ସେବାୟତ ସଂକ୍ରମଣ ବଢ଼ିଚାଲିଥିବାରୁ କାର୍ତ୍ତିକ ମାସ ତଥା ନାଗାର୍ଜୁନ ବେଶ ଶେଷ ନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ନ ଖୋଲିବାକୁ ମତ ରଖିଛନ୍ତି।

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଛତିଶାନିଯୋଗ ସହ ମନ୍ଦିର ପ୍ରଶାସନର ୬ ଦିନିଆ ଆଲୋଚନା ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଚାଲିବ। ସମସ୍ତ ବୈଠକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବ। ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ଣ ୧୧ଟାରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆରମ୍ଭ ହୋଇଥିବା ଏହି ବୈଠକ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାଧବ ପୂଜାପଣ୍ଡା ସାମନ୍ତ, ଅନନ୍ତ ତିଆଡ଼ି, ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ମହାପାତ୍ର, ଚଳୁଚ୍ଛ ନୀଳକଣ୍ଠ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସେହିଭଳି ଛତିଶାନିଯୋଗରୁ ପ୍ରତିହାରୀ ନିଯୋଗ, ପୂଜାପଣ୍ଡା ନିଯୋଗ, ସୁଆର ମହାସୁଆର ନିଯୋଗ ଓ ଖୁଣ୍ଟିଆ ନିଯୋଗର ସଭାପତି ଓ ସଂପାଦକମାନେ ଆଲୋଚନାରେ ଯୋଗ ଦେଇଥିଲେ। ମୁଖ୍ୟ ପ୍ରଶାସକ ଶ୍ରୀ କୁମାର ଭୁବନେଶ୍ବରରୁ ଏହାର ଅଧ୍ୟକ୍ଷତା କରିଥିଲେ। ସମସ୍ତ ପରିଚାଳନା କମିଟିର ଗୋଟିଏ ମତ ରହିଥିଲା, ମହାପ୍ରଭୁ ଆଗ, ପରେ ସବୁକିଛି। ମହାପ୍ରଭୁଙ୍କ ସେବାପୂଜା ଯେପରି ନିର୍ବିଘ୍ନରେ ସଂପାଦନ ହେବ, ତାକୁ ପ୍ରାଥମିକତା ଭାବେ ନିଆଯାଉଛି। ବର୍ତ୍ତମାନ ପୁରୀରେ ସଂକ୍ରମଣ ବଢ଼ିଚାଲିଛି, ସେବାୟତଙ୍କ ସଂକ୍ରମଣ ବି କମ୍‌ ନୁହେଁ। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ଖୋଲିଲେ ମହାପ୍ରଭୁଙ୍କ ସେବାପୂଜାରେ ବିଘ୍ନ ଘଟିବ। ଯାହା କିଛି ନିଷ୍ପତ୍ତି ନିଆଯାଉଛି, ସଂକ୍ରମଣକୁ ଆଖି ଆଗରେ ରଖି ନିଆଯାଉ। ଆଗକୁ କାର୍ତ୍ତିକ ମାସ। ମାସକ ପରେ ନାଗାର୍ଜୁନ ବେଶ ବି ପଡ଼ୁଛି। ଏହି ମାସରେ ଅଧିକ ଭିଡ଼ ରହେ। ‌ନାଗାର୍ଜୁନ ବେଶ ଦେଖିବା ପାଇଁ ବି ଭିଡ଼ ରହିବା ସ୍ବାଭାବକ। ଏଣୁ ନାଗାର୍ଜୁନ ବେଶ ତଥା କାର୍ତ୍ତିକ ମାସ ଶେଷ ନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ନ ଖୋଲିବାକୁ ପରିଚାଳନା କମିଟି ସଦସ୍ୟ ଓ ବିଭିନ୍ନ ନିଯୋଗର ସଭାପତି, ସଂପାଦକମାନେ ମତ ଦେଇଥିଲେ।

ଭକ୍ତ ଆଜି ମହାପ୍ରଭୁଙ୍କ ଦର୍ଶନ ପାଇନାହାନ୍ତି, କାଲି ପାଇବେ। କିନ୍ତୁ ମହାପ୍ରଭୁଙ୍କ ସେବାପୂଜା ବନ୍ଦ ହୋଇଗଲେ, ଭୟଙ୍କର ବିପତ୍ତି ମାଡ଼ିଆସିବ। ଅଳ୍ପ କିଛିଦିନ ଏଥିପାଇଁ ଅପେକ୍ଷା କରାଯାଉ ବୋଲି ସମସ୍ତେ ମତ ରଖିଥିଲେ। ପୁରୀ ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଶ୍ରୀମନ୍ଦିର ପ୍ରଶାସନ ସହ ଛତିଶାନିଯୋଗର ଏହି ଆଲୋଚନା ବୈଠକ ଆଜି ଆରମ୍ଭ ହୋଇଛି। ଦୁଇଦିନ ଆଲୋଚନା ବନ୍ଦ ରହିବା ପରେ ପୁନର୍ବାର ଆସନ୍ତା ୧୨ ତାରିଖରୁ ବୈଠକ ଆରମ୍ଭ ହେବ। ଅକ୍ଟୋବର ୧୬ ପର୍ଯ୍ୟନ୍ତ ଏହି ବୈଠକ ଚାଲିବ। ସବୁ ବୈଠକରେ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ରହିବେ। କିନ୍ତୁ ଛତିଶାନିଯୋଗକୁ ପର୍ଯ୍ୟାୟକ୍ରମେ ଆଲୋଚନା ପାଇଁ ଡକାଯିବ। ସବୁ ବୈଠକ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର