ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ରାତି ଅଧରେ ଜିପିଆର୍‌ ସର୍ଭେ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜିପିଆର୍‌ ସର୍ଭେ ହୋଇନାହିଁ। ସତ୍ୟପାଠ ଜରିଆରେ ପ୍ରତ୍ନତତ୍ତ୍ବ ବିଭାଗ ଏହା ହାଇକୋର୍ଟକୁ ଅବଗତ କରିଛନ୍ତି। ଏବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ଏଭଳି ଏକ ସମୟରେ ରାତିଅଧିଆ( ରାତି ପ୍ରାୟ ସାଢ଼େ ୧୨ଟା‌ରେ) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ଜିପିଆର୍‌ ସର୍ଭେ କାମ ଆରମ୍ଭ ହୋଇଛି। ଓବିସିସି ଚିଠିକ୍ରମେ ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଥିବା ଜଣାପଡ଼ିଛି।

ଶନିବାର ରାତି ୧୨ଟା ପରେ କିଛି ବ୍ୟକ୍ତି ଶ୍ରୀମନ୍ଦିର ପୂର୍ବ-ଦକ୍ଷିଣ କୋଣ କାକୁଡି ଖାଇଙ୍କ ମନ୍ଦିର ପାଖରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିପାଖରେ କିଛି ମେସିନ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏମାର ମଠ ଜାଗାରେ ବି ଏମାନେ ସର୍ଭେ କରୁଥିବା ଦେଖିବାକୁ ମିଳିଛି। ଖୋଳତାଡ଼ ଓ ନିୟୋଜିତ ଅଧିକାରୀଙ୍କୁ ପଚରାଉଚରା ପରେ ଏହା ଜିପିଆର୍‌ ସର୍ଭେ ବୋଲି ଜଣାପଡିଥିଲା। ଯେଉଁ ମେସିନ ଜରିଆରେ ସର୍ଭେ କରାଯାଉଥିଲା, ତାହା ଜିପିଆର୍‌ଏସ ମେସିନ ବୋଲି ଜଣାପଡ଼ିଥିଲା। ନିୟୋଜିତ ଅଧିକାରୀଙ୍କୁ ପଚାରିବା ପରେ କହିଛନ୍ତି କି ଓବିସିସି ଚିଠିକ୍ରମେ ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଛି। ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍‌ ଜରିଆରେ ଏହି ସର୍ଭେ କରାଯାଉଛି। ଓବିସିସି ଗୁଜୁରାଟ ଆଇଆଇଟିକୁ ୪ ଦିନରେ ଏହି ସର୍ଭେ କରି ଦେବାକୁ କହିଥିଲା। ରାତିରେ ଏହି ସର୍ଭେ କରିବାକୁ ନିର୍ଦ୍ଦେଶ ରହିଥିଲା। ଏ ଭିତରେ ୨ ଦିନ ସର୍ଭେ କାମ ସରିଛି। ବାକି ଦୁଇ ଦିନ ସର୍ଭେ ପରେ ରିପୋର୍ଟ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ରାତି ଅଧିଆ ଏଭଳି ସର୍ଭେକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ‌ହୋଇଛି। କୋର୍ଟଙ୍କୁ ଭୁତାଇବାକୁ ଏଭଳି କରାଯାଇଥିବା ହାଇକୋର୍ଟରେ ମାମଲା ଦାୟର କରିଥିବା ସାମାଜିକ କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି।

ସମ୍ବନ୍ଧିତ ଖବର