ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ: ତପଭୂମି ପୁରୀ, ଭୋଗଭୂମି ନ ହେଉ

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଜିଲ୍ଲାପାଳ

ପୁରୀ : ପୁରୀ ହେଉଛି ଧାର୍ମିକ ରାଜଧାନୀ। ଶ୍ରୀକ୍ଷେତ୍ର ଧର୍ମର କ୍ଷେତ୍ର। ଶ୍ରୀମନ୍ଦିର ଆମର ପରିଚୟ। ଶ୍ରୀମନ୍ଦିର ପାଇଁ ଶ୍ରୀକ୍ଷେତ୍ର ଆଜି ସାରାବିଶ୍ବରେ ଧାର୍ମିକ ରାଜଧାନୀର ପରିଚୟ ଲାଭ କରିଛି। ଶ୍ରୀମନ୍ଦିର ହେଉଛି ତପଭୂମି। ଏହା କୌଣସି ପରିସ୍ଥିତିରେ ଭୋଗ ଭୂମି ଅବା ପର୍ଯ୍ୟଟନ କ୍ଷେତ୍ର ନ ହେଉ। ଶ୍ରୀମନ୍ଦିର ପ୍ରତି ବିପଦ ଅକ୍ଷମଣୀୟ। କୌଣସି ପରିସ୍ଥିତିରେ ଶ୍ରୀମନ୍ଦିରକୁ ବିପଦ ଭିତରକୁ ଠେଲିଦେଇ ବିକାଶ ନ ହେଉ। ବିବାଦୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ମୁହଁ ଖୋଲି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଆଜି ଏହିଭଳି ମନ୍ତବ୍ୟ ଦେଇଛନ୍ତି।

ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି, କୌଣସି ରାଜା ପୁରୀରେ ଶାସନ କରିନାହାନ୍ତି। ଶ୍ରୀକ୍ଷେତ୍ରରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଆବିର୍ଭାବ ପରେ ଗୋବର୍ଦ୍ଧନ ପୀଠ ସ୍ଥାପନ ହୋଇଥିଲା। ସେବେଠୁ ଧାର୍ମିକ ରାଜଧାନୀ ଶ୍ରୀକ୍ଷେତ୍ରରେ ଶଙ୍କରାଚାର୍ଯ୍ୟ ଶାସନ କରି ଆସୁଛନ୍ତି। କିନ୍ତୁ ଏଠାରେ ଶାସନତନ୍ତ୍ର କେବେ ବି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡ଼ିନାହିଁ। ‘ଶୁକ୍ର ନୀତି’ ଗ୍ରନ୍ଥରେ ସ୍ପଷ୍ଟ ଉଲ୍ଲେଖ ରହିଛି, ଶ୍ରୀମନ୍ଦିର ଚାରିପାର୍ଶ୍ବରେ କେଉଁଭଳି ପରିବେଶ ରହିବା ଦରକାର। ଆଜିକାଲିର ଆଇଟି, ଇଞ୍ଜିନିୟରମାନେ ଏହି ଗ୍ରନ୍ଥ ବିଷୟରେ ଜାଣିବା ଦରକାର। ପୁରୀରେ ଏୟାରପୋର୍ଟ ହେବାର ଥିଲା, କିନ୍ତୁ ମୁଁ ଏ ସମ୍ପର୍କରେ ମୁହଁ ଖୋଲିବା ପରେ ଲୋକେ ମୁଁ ବିକାଶକୁ ବିରୋଧ କରୁଛି ବୋଲି କହିଲେ। ମୁଁ ବାରମ୍ବାର ସତର୍କ କରାଇଛି, ଏହା ତପଭୂମି, ଏଠାରେ ବଡ଼ ବଡ଼ ସାଧୁସନ୍ଥମାନେ ତପ କରିଛନ୍ତି। ଏଣୁ ତପସ୍ଥଳୀ, ଭୋଗଭୂମି ନ ହେଉ। ଆଜି ଯେଉଁ ବିକାଶ ହେଉଛି, ତା’ର ପ୍ରଭାବ ଶ୍ରୀମନ୍ଦିର ଉପରେ ନ ପଡ଼ୁ। ଯେଉଁ ଅଭିଜ୍ଞ ଆଇଟି, ଇଂଜିନିୟରିଂ, ଐତିହ୍ୟ ବିଶେଷଜ୍ଞମାନେ ଅଛନ୍ତି, ସେମାନଙ୍କ ପରାମର୍ଶକ୍ରମେ କାମ ହେବାକଥା। କାରଣ ଅଭିଜ୍ଞ ଆଇଟି ଇଞ୍ଜିନିୟରମାନେ, ଐତିହ୍ୟ ବିଶାରଦମାନେ କହି ସାରିଲେଣି, ମନ୍ଦିର ଚତୁଃପାର୍ଶ୍ବରେ ଯେଉଁ କାମ ଚାଲିଛି, ତଦ୍ବାରା ଶ୍ରୀମନ୍ଦିର ଉପରେ ନିଶ୍ଚିତ ପ୍ରଭାବ ପଡ଼ିବ, ଶ୍ରୀମନ୍ଦିର କ୍ଷତିଗ୍ରସ୍ତ ହେବ। ଯଦି ଏହି ମତ ଠିକ୍‌, ତେବେ କାମ ହେବା ଅନୁଚିତ୍‌।

ଶଙ୍କରଚାର୍ଯ୍ୟ କହିଛନ୍ତି, ଶ୍ରୀମନ୍ଦିର ଚାରିପଟେ ଏଭଳି କୋଠା ଠିଆ କରାନଯାଉ, ଯଦ୍ବାରା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ଲୁଚିଯିବ। ଏଣୁ ଶୁକ୍ର ନୀତିର ଅନୁକରଣ ପୂର୍ବକ କାମ ହେବା ଦରକାର। ଶଙ୍କରାଚାର୍ଯ୍ୟ କହିଛନ୍ତି, ‘ ମୁଁ ଯେଉଁ ସମୟରେ ଶ୍ରୀକ୍ଷେତ୍ରରେ ନାହିଁ, ସେ ସମୟରେ ପ୍ରଶାସନ କାମ ଆରମ୍ଭ କରିଛନ୍ତି। ମୋର ମତ ବି ଲୋଡ଼ିନାହାନ୍ତି। ଏହା ଅପରାଣାମଦର୍ଶିତାର ପରିଚୟ। ଜାଣିଛନ୍ତି, ଶଙ୍କରାଚାର୍ଯ୍ୟ କୌଣସି ପରାମର୍ଶ ଦେବାପୂର୍ବରୁ ଅଭିଜ୍ଞ ଆଇଟି, ଇଂଜିନିୟରମାନଙ୍କ ମତ ନେଇ କହିବେ। କାଳେ କାମ ଅଟକିଯିବ, ସେହି ଭୟରେ ମୋ ଅନୁପସ୍ଥିତିରେ କାମ କରାଯାଇଛି। ଏଣୁ ମୁଁ ସ୍ପଷ୍ଟ କହୁଛି କି ଯାହା ବି କାମ ହେଉଛି, ତାହା ଶ୍ରୀମନ୍ଦିର ଗଠନ ଶୈଳୀରେ କୌଣସି ପରିସ୍ଥିତିରେ ପ୍ରଭାବ ନପକାଉ। ଶ୍ରୀମନ୍ଦିର ଲୁଚିଯିବା ଭଳି କାମ ନ ହେଉ। ଧାର୍ମିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ କେହି ହସ୍ତକ୍ଷେପ କରିବା ଅନୁଚିତ୍‌। ଯଦି ଏଭଳି କିଛି କାମ ହୁଏ, ଆତଙ୍କବାଦୀ ପଶିବାର ଆଶଙ୍କା ରହିଛି। କାରଣ ପୂର୍ବରୁ ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରହିଛି।’ ଏହାହେଲେ, ଶ୍ରୀମନ୍ଦିର ବିପଦ ଭିତରକୁ ଚାଲିଯିବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ଅନ୍ୟପଟେ ଶଙ୍କରାଚାର୍ଯ୍ୟଙ୍କ ଏଭଳି ମନ୍ତବ୍ୟ ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି। ଆଜି ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟ ଅଧିକାରୀମାନେ ରାତିରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆବଶ୍ୟକ ପରାମର୍ଶ ଲୋଡ଼ିଛନ୍ତି। ଏହି ଅବସରରେ ଶଙ୍କରାଚାର୍ଯ୍ୟ ପୂର୍ବ କଥାକୁ ଦୋହରାଇ କହିଛନ୍ତି, ସମନ୍ବୟ ଓ ଆଧ୍ୟାତ୍ମିକତାକୁ ସୁରକ୍ଷିତ ରଖି ଶ୍ରୀମନ୍ଦିରର ବିକାଶ କରାଯାଉ। ଏଭଳି କାମ କରାନଯାଉ ଯାହା ଆଗାମୀ ଦିନରେ ବିସ୍ଫୋରକ ରୂପ ନେବ। ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୋତେ ବିଧି ମୁତାବକ ନିମନ୍ତ୍ରଣ କରାଯାଇନଥିଲା। ସସମ୍ମାନ ନିମନ୍ତ୍ରଣ ବିନା ମୁଁ କେଉଁଠିକୁ ଯାଏନାହିଁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ମୋର ପରାମର୍ଶ ନେବାର ଥିଲା। ବିକାଶ ଆଳରେ ରାଜ୍ୟ ସରକାର ଏଠି ଭୋଟ ବ୍ୟାଙ୍କ ରାଜନୀତି ନ କରନ୍ତୁ ବୋଲି ଶଙ୍କରାଚାର୍ଯ୍ୟ ଅଧିକାରୀମାନଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର