ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପୁଣି ବର୍ଷିଲେ ଶଙ୍କରାଚାର୍ଯ୍ୟ

ମନ୍ଦିର ସରକାରଙ୍କ ଅଧୀନରେ ରହିବା ଅନୁଚିତ: ସୁବ୍ରମଣ୍ୟମ
ଜଗଦ୍‌ଗୁରୁଙ୍କ ମତକୁ ସମର୍ଥନ କରୁଛି: ବିଜୟ
ଆଇନ ଭିତରେ କାମ ହେବା ଦରକାର: ମୃଣାଳିନୀ

ପୁରୀ :‘କୌଣସି ପରିସ୍ଥିତିରେ ସରକାର ମୋତେ ଚାପ ପକାଇବାକୁ ଚେଷ୍ଟା କରନ୍ତୁନାହିଁ। ଯାହା ଭୁଲ୍‌, ତାହା ଭୁଲ୍‌। ଭୁଲ୍‌ ପଦକ୍ଷେପକୁ କେବେ ବି ସହ୍ୟ କରିବିନି।’

ବିବାଦୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ପୁରୀ ଗୋବର୍ଦ୍ଧନ ପୀଠର ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଆଜି ଏଭଳି ଢଙ୍ଗରେ ସରକାରଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ଏଭଳି କଠୋର ଆଭିମୁଖ୍ୟ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଓ ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ମାମଲା ଦାୟର କରିଥିବା ମୃଣାଳିନୀ ପାଢ଼ୀ ପ୍ରମୁଖ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଏହି ପ୍ରକଳ୍ପ ସଂପର୍କରେ ଆଲୋଚନା କରିଛନ୍ତି। ଏଥିସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗଟି ଆଜି ନାଟକୀୟ ମୋଡ଼ ନେଇଛି।

ଗତ କିଛିଦିନ ଧରି ବିବାଦୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସମସ୍ତଙ୍କ ନଜର ପୁରୀ ଗୋବର୍ଦ୍ଧନ ପୀଠ ଉପରେ ରହିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
ମାମଲା ହାଇକୋର୍ଟଙ୍କ ବିଚାରାଧୀନ ଥିବାବେଳେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଶ୍ରୀମନ୍ଦିରର ସୁରକ୍ଷା ଓ ଏହାର ଆଧ୍ୟାତ୍ମିକ ବାତାବରଣ ବଜାୟ ରଖିବା ଉପରେ ଜୋର୍‌ ଦେଇ ବେଶ୍‌ ସକ୍ରିୟ ହୋଇ ଉଠିଛନ୍ତି। ପ୍ରଥମେ ଜଗଦ୍‌ଗୁରୁଙ୍କୁ ଭେଟି ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା ଆଲୋଚନା କରିଥିଲେ। ତା’ ପରଦିନ ଜଗଦ୍‌ଗୁରୁ ବିଭିନ୍ନ ରାଜନୈତିକ ଦଳର ନେତା, ସଂସ୍କୃତି ଗବେଷକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଶ୍ରୀକ୍ଷେତ୍ର ତପୋଭୂମି, ତାକୁ ଭୋଗ ଭୂମି କରାନଯାଉ ବୋଲି ସ୍ପଷ୍ଟ ଭାବେ କହିଥିଲେ। ଏଭଳି ସ୍ଥିତିରେ ଆଜିର ଆଲୋଚନାକୁ ବିଭିନ୍ନ ମହଲ ଅତି ଗମ୍ଭୀରତାର ନେଉଛନ୍ତି।

ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଆଜି କହିଛନ୍ତି, ଯେଉଁ ଧାର୍ମିକ, ଅଧ୍ୟାତ୍ମିକ ଅନୁଷ୍ଠାନ ରହିଛନ୍ତି, ସେମାନେ ପ୍ରାମାଣିକ, ଧାର୍ମାଚାରିକ ନେତୃତ୍ବରେ ଚାଲନ୍ତୁ। ସରକାର ଏଥିରେ ସହଭାଗିତାର ପରିଚୟ ଦିଅନ୍ତୁ, ଅଯଥା ହସ୍ତକ୍ଷେପ ନ କରନ୍ତୁ। କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ କ୍ଷେତ୍ରରେ ସରକାର ଦମନନୀତି ଅବଲମ୍ବନ କରନ୍ତୁ। ମଠ, ମନ୍ଦିର ହେଉଛି ଧାର୍ମିକ, ଆଧ୍ୟାତ୍ମିକ କ୍ଷେତ୍ର। ଏହା ପ୍ରାମାଣିତ ଆଚାର୍ଯ୍ୟଙ୍କ ଦ୍ବାରା ପରିଚାଳିତ ହେଉ। ତା’ହେଲେ ସେମାନେ ମଠ, ମନ୍ଦିର ଅସ୍ତିତ୍ବର ଠିକ୍‌ ଦେଖାରଖା କରିପାରିବେ।

ଅନ୍ୟପକ୍ଷରେ ବରିଷ୍ଠ ବିଜେପି ନେତା ଶ୍ରୀ ସ୍ବାମୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ସମ୍ପର୍କରେ ମୁଁ ଅବଗତ। ଏହା ଉପରେ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବି। ତାଙ୍କ ବାପା ବିଜୁ ପଟ୍ଟନାୟକ ମୋର ଘନିଷ୍ଠ ବନ୍ଧୁ ଥିଲେ। ନବୀନ ପଟ୍ଟନାୟକ ବି ଭଲ ମଣିଷ। ଏଣୁ ଶ୍ରୀମନ୍ଦିରର ସୁରକ୍ଷା ସହ ଧାର୍ମିକ, ଆଧ୍ୟାତ୍ମିକ କ୍ଷେତ୍ରର ରକ୍ଷା ପାଇଁ ତାଙ୍କ ପାଖରେ ନିବେଦନ ରଖିବି। ମନ୍ଦିରର ରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ। ମୁଁ ବି ଅନେକ ମନ୍ଦିରର ସୁରକ୍ଷା କରିଛି, ସରକାରୀ ନିୟନ୍ତ୍ରଣରୁ ମନ୍ଦିରକୁ ମୁକ୍ତ କରିଛି। ଶ୍ରୀମନ୍ଦିର କୌଣସି ସ୍ଥିତିରେ ସରକାରଙ୍କ ଅଧୀନରେ ରହିବା କଥା ନୁହେଁ। ଯଦି ଜରୁରୀକାଳୀନ ପରିସ୍ଥିତି ଉପୁଜୁଛି, ସେଠି ଅଳ୍ପ କିଛିଦିନ ପାଇଁ ସରକାର ହସ୍ତକ୍ଷେପ କରିପାରନ୍ତି। ଶ୍ରୀ ସ୍ବାମୀ କହିଛନ୍ତି, ଆଜି କେରଳର ରାଣୀଙ୍କ ସହ ମୁଁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବାକୁ ଆସିଥିଲି। କେରଳରେ ଆୟୋଜିତ ହେଉଥିବା ଏକ ସ୍ବତନ୍ତ୍ର ଧାର୍ମିକ କାର୍ଯ୍ୟକ୍ରମ ଯୋଗଦେବାକୁ ଜଗଦ୍‌ଗୁରୁ ଶଙ୍କରଚାର୍ଯ୍ୟଙ୍କୁ ନିବେଦନ କରିଛି। ଏହାସହ ରାଜନୈତିକ ସ୍ଥିତି, ସୀମା ବିବାଦ ଆଦି ସମ୍ପର୍କରେ ଆଲୋଚନା କରିଛି।

ସେପଟେ ଶୁକ୍ରବାର ସନ୍ଧ୍ୟାରେ ବରିଷ୍ଠ ବିଜେପି ନେତା ଶ୍ରୀ ମହାପାତ୍ର ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି, ଗୁଜୁରାଟ ଘଟଣାରେ ସିବିଆଇ ପ୍ରତ୍ନତତ୍ତ୍ବ ବିଭାଗ ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ନେଇଥିଲା, ସେହିଭଳି ଶ୍ରୀମନ୍ଦିର କ୍ଷେତ୍ରରେ ସିବିଆଇ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ମୁଁ କିଛିଦିନ ତଳେ ଦାବି କରିଥିଲି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯେଉଁଭଳି ବେଆଇନ୍‌ କାମ ଚାଲିଛି, ସେଥିପାଇଁ ପ୍ରତ୍ନତତ୍ତ୍ବ ବିଭାଗ ନିଶ୍ଚିତ ଭାବେ ପ୍ରଥମ ଦୋଷୀ ଓ ସରକାର ଅପରାଧୀ। ପୁରୀର ଐତିହ୍ୟ ଯେପରି ଅକ୍ଷୁଣ୍ଣ ରହିବ, ସେ ଉପରେ ଜଗଦ୍‌ଗୁରୁଙ୍କ ସହ ଆଜି ଆଲୋଚନା କରିଛି। ଆଗାମୀଦିନରେ ବି ଏ ସଂକ୍ରାନ୍ତରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା ଜାରି ରହିବ। ଆଲୋଚନା ବେଳେ ଜଗଦ୍‌ଗୁରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନାପସନ୍ଦ କରିଛନ୍ତି। ତାଙ୍କ ମତକୁ ମୁଁ ବ୍ୟକ୍ତିଗତ ସମର୍ଥନ ଜଣାଉଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଆରମ୍ଭରୁ ଭୁଲ୍‌ ହୋଇ ଆସୁଛି, ଏହା ବନ୍ଦ ହେବା ଦରକାର ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେହିଭଳି ଆଇନଜୀବୀ ମୃଣାଳିନୀ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ନିର୍ମାଣ କାମ ପାଇଁ ନିଶ୍ଚିତ ଅନୁମତି ଦରକାର। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ନିଷିଦ୍ଧାଞ୍ଚଳରେ କୌଣସି ନିର୍ମାଣ ହୋଇପାରିବନି। ଏହାର ନିର୍ଦ୍ଦିଷ୍ଟ ନିୟମାବଳୀ ରହିଛି। ଏହାକୁ ଆଖି ଆଗରେ ରଖି ବୋଧହୁଏ ସରକାର ନିଷିଦ୍ଧାଞ୍ଚଳରୁ ନିୟନ୍ତ୍ରିତ ଅଞ୍ଚଳକୁ ପ୍ରକଳ୍ପ ସ୍ଥାନାନ୍ତର ଯୋଜନା କରୁଛନ୍ତି। ତଥାପି ସରକାର ଯାହା ବି କରୁଛନ୍ତି ଆମ୍‌ସାର ଆଇନ ଭିତରେ ରହି କାମ କରନ୍ତୁ। ଆଇନକୁ ମାନି କାମ ହେବା ଦରକାର ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି।

ସମ୍ବନ୍ଧିତ ଖବର