ପୁରୀ : ଶ୍ରୀମନ୍ଦିର ତପୋଭୂମି, ଏହାକୁ ଭୋଗଭୂମି କରାନଯାଉ। ଶ୍ରୀମନ୍ଦିରର ଯାହା ବି ବିକାଶ କାମ ହେଉଛି, ଶୁଦ୍ଧତାପୂର୍ବକ ହେଉ। ପ୍ରଶାସନ ଓ ଏଏସ୍ଆଇର ସହମତି ଭିତ୍ତିରେ ହେଉ। ଏଥିପାଇଁ ମିଳିତ ବୈଠକ ଡକାଯାଉ। ପ୍ରକଳ୍ପକୁ ନେଇ କାହାରି ଭିତରେ ମତାନ୍ତର ଓ ମନାନ୍ତର ନ ରହୁ। ସୋମବାର ଦିନ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ଉପସ୍ଥିତ ଅଧିକାରୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଉଗ୍ରରୂପ ନେଇଥିବା ବେଳେ ଗତକାଲି ଏହି ପ୍ରକଳ୍ପକୁ ନେଇ ବର୍ଷିଥିଲେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ। ଶ୍ରୀମନ୍ଦିର ତପୋଭୂମି ହୋଇଥିବା ବେଳେ ଏହା ଭୋଗଭୂମି ନ ହେଉ ବୋଲି କହିଥିଲେ। ତାଙ୍କ ଅନୁପସ୍ଥିତିରେ ଓ ଅଜ୍ଞତାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବିକାଶ ହେଉଛି ବୋଲି କହିଥିଲେ। ଗତକାଲିର ଏହି ମନ୍ତବ୍ୟ ପରେ ସୋମବାର ଦିନ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟ ଅଧିକାରୀମାନେ ରାତିରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ପରାମର୍ଶ ଲୋଡ଼ିଛନ୍ତି।
ଆଲୋଚନା ପରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ଆଜି ଗଜପତି ମହାରାଜ ମୋତେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନକ୍ସା ଦେଖାଇଥିଲେ। କେଉଁଭଳି ବିକାଶ କାର୍ଯ୍ୟ ହେଉଛି, ସେ ସମ୍ପର୍କରେ ଅବଗତ କରାଇଥିଲେ। ‘ତପୋଭୂମି, ଭୋଗଭୂମି ନ ହେଉ’ ବୋଲି ଗତକାଲିର କଥାକୁ ପୁଣିଥରେ ଦୋହରାଇ ଶଙ୍କରାଚାର୍ଯ୍ୟ କହିଛନ୍ତି, ଆଜି ଶ୍ରୀଜିଉ ଓ ଶ୍ରୀମନ୍ଦିର ପାଇଁ ଯାହା ହେଉଛି ତାହା ଶୁଦ୍ଧ ମନରେ ହେଉ। ଆଜି ପ୍ରଶାସନ ଗୋଟିଏ କଥା କହୁଥିବା ବେଳେ ପ୍ରତ୍ନତତ୍ତ୍ବ ବିଭାଗ ଆଉ ଗୋଟିଏ କଥା କହୁଛନ୍ତି। ଏଣୁ ମୁଁ ଦୁଇପକ୍ଷଙ୍କୁ ଡାକି ଆଲୋଚନା ପାଇଁ ପରାମର୍ଶ ଦେଇଛି। ଦୁଇପକ୍ଷ ବସି କ’ଣ ହେବା ଦରକାର ଓ ନ ହେବା ଦରକାର ସେ ଉପରେ ନିଷ୍ପତ୍ତି ନେବା ଦରକାର।ଏଏସ୍ଆଇଙ୍କ କଥାକୁ ଗୁରୁତ୍ବର ସହ ନିଅଯାଉ। ‘ଶୁକ୍ର ନୀତି’ରେ ଶ୍ରୀମନ୍ଦିର ବିକାଶ କିଭଳି ହେବ ଉଲ୍ଲେଖ ରହିଥିବା ବେଳେ ପ୍ରଶାସନ, ଏଏସ୍ଆଇ ଏହାକୁ ଅନୁସରଣ କରନ୍ତୁ। ସମସ୍ତେ ବିକାଶର ପକ୍ଷଧର ନ ହୋଇ, ତପକୁ ଦୃଷ୍ଟିରେ ରଖି କାମ କରନ୍ତୁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/sankaracharya-addd.jpg)