ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ଶୁଣାଣିରେ ପୂର୍ଣ୍ଣ‌ଚ୍ଛେଦ

ମୂଳ ଜନସ୍ବାର୍ଥ ମାମଲା ଓ ପକ୍ଷଭୁକ୍ତ ଆବେଦନ ହାଇକୋର୍ଟରେ ଖାରଜ

କଟକ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ପୁରୀ ଶ୍ରୀମନ୍ଦିର ଚାରିପାଖେ ଚାଲିଥିବା ଖନନ ଓ ନିର୍ମାଣକୁ ବେଆଇନ ଦର୍ଶାଇ ଦାୟର ମୂଳ ଜନସ୍ବାର୍ଥ ମାମଲା ଓ ପକ୍ଷଭୁକ୍ତ ଆବେଦନ (ଇଣ୍ଡରଭେନସନ୍ ପିଟିସନ୍‌)କୁ ହାଇକୋର୍ଟ ଖାରଜ କରିଛନ୍ତି। ଏହି ମାମଲାରେ ଜୁନ୍ ୩ରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବା ସହିତ ହାଇକୋର୍ଟଙ୍କ ମେ ୯ର ନିର୍ଦ୍ଦେଶ ବିରୋଧରେ ଦାୟର ଏସ୍‌ଏଲ୍‌ପିକୁ ଖାରଜ କରିଥିଲେ। ହାଇକୋର୍ଟରେ ଦାୟର ଜନସ୍ବାର୍ଥ ମାମଲା ଜନତାଙ୍କ ବୃହତ୍ତର ସ୍ବାର୍ଥର ବିରୋଧୀ ବୋଲି ସୁପ୍ରିମକୋର୍ଟ କହିଥିଲେ। ଏଥି‌ସହିତ ସୁପ୍ରିମକୋର୍ଟରେ ଏସ୍‌ଏଲ୍‌ପି ଦାୟର କରିଥିବା ଦୁଇ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା କରିଥିଲେ। ସୁପ୍ରିମକୋର୍ଟ ଏହି ପ୍ରସଂଗରେ ଶୁଣାଣି କରି ରାୟ ପ୍ରକାଶ କରି ସାରିଥିବାରୁ ହାଇକୋର୍ଟରେ ଆଉ ଏ ସଂପର୍କିତ ମାମଲାର ଶୁଣାଣିର ଆବଶ୍ୟକତା ନାହିଁ ବୋଲି ଆଜି ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।

ଖଣ୍ଡପୀଠ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଂଗକୁ ନେଇ ପ୍ରଥମେ ଦାୟର କରାଯାଇଥିବା ଦିଲ୍ଲୀପ କୁମାର ବରାଳଙ୍କ ଜନସ୍ବାର୍ଥ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଏହି ମାମଲାରେ ପକ୍ଷଭୁକ୍ତ ହେବାପାଇଁ ଅର୍ଦ୍ଧେନ୍ଦୁ ଶେଖର ଦାସ ଓ ସୁମନ୍ତ କୁମାର ଘଡେଇଙ୍କ ଇଣ୍ଟରଭେନ୍‌ସନ୍ ପିଟିସନ୍‌କୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି। ଏଥିସହିତ, ନ୍ୟାସନାଲ୍‌ ମନୁମେଣ୍ଟ ଅଥରିଟିର ଏନ୍‌ଓସି ସଂପର୍କିତ ଚିଠିକୁ ବିରୋଧ କରି ସୁବ୍ରତ ତ୍ରିପାଠୀଙ୍କ ତରଫରୁ ଦାୟର ମାମଲାର ଶୁଣାଣିରେ ମଧ୍ୟ ଖଣ୍ଡପୀଠ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ନିର୍ମାଣ କାର୍ଯ୍ୟ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) କୌଣସି ଅନୁମତି ଦେଇ ନାହିଁ ବୋଲି ଦର୍ଶାଇ ଅବସରପ୍ରାପ୍ତ ଆଏଏସ୍ ସୁଦର୍ଶନ ନାୟକ ଓ ସାହିତ୍ୟିକ ଭୁବନାନନ୍ଦ ମହାନ୍ତିଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିରେ ମଧ୍ୟ ହାଇକୋର୍ଟ ଆଜି ଅନ୍ତ ଘଟାଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଏହି ପ୍ରସଂଗରେ ଶୁଣାଣି କରିବାକୁ ହାଇକୋର୍ଟ ମନା କରିବା ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂପର୍କିତ ସମସ୍ତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ହାଇକୋର୍ଟଙ୍କ ୨୦୨୨ ମେ ୯ର ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ‌େର ଏସ୍‌ଏଲ୍‌ପି ଦାଖଲ ହୋଇଥିଲା। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣରେ ତୁରନ୍ତ ରୋକ ଲଗାଇବା ପାଇଁ ଅର୍ଦ୍ଧେନ୍ଦୁ ଶେଖର ଦାସ ଓ ସୁମନ୍ତ କୁମାର ଘଡେଇଙ୍କ ପକ୍ଷରୁ ଆଗତ ଦୁଇ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ।

ସମ୍ବନ୍ଧିତ ଖବର