ଓଡ଼ିଶାଗସ୍ତରେ ଥାଇ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ସରକାର ତାଙ୍କ ଭୁଲ୍ ବୁଝି ପାରିଛନ୍ତି କହିଲେ ଅପରାଜିତା
ହାଇକୋର୍ଟଙ୍କ ରାୟ ନଆସିବା ପର୍ଯ୍ୟନ୍ତ କାମ ବନ୍ଦ ରହୁ: ଏ.ବି ତ୍ରିପାଠୀ
ଭୁବନେଶ୍ବର : ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଦିନକୁ ଦିନ ବିବାଦ ବଢ଼ୁଥିବାବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ପ୍ରସଙ୍ଗରେ ପୂରା ନିରବ ଥିଲେ। ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ବାରମ୍ବାର ରାଜ୍ୟ ସରକାରଙ୍କୁ ଘେରୁଥିବାବେଳେ ଧର୍ମେନ୍ଦ୍ର ମୁହଁ ଖୋଲୁନଥିଲେ। ଧର୍ମେନ୍ଦ୍ରଙ୍କ ନିରବତା ଯୋଗୁଁ ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗରେ ବିଜେପିର ଭୂମିକା କ’ଣ ହେବ ସେନେଇ ଗୋଟିଏ ମହଲ ପ୍ରଶ୍ନ ଉଠାଉଥିଲେ। ହେଲେ ଆଜି ଧର୍ମେନ୍ଦ୍ର ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବାକୁ ଯାଇ ମାପିଚୁପି କହିଛନ୍ତି ଯେ, ନିୟମକାନୁନ ପରିଧିରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟୀକରଣ ହେଉ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସଂସ୍କୃତି ସମ୍ପନ୍ନ ରାଜ୍ୟ ଓଡ଼ିଶାରେ ମଠ, ମନ୍ଦିରର ଐତିହ୍ୟ ଓ ପରମ୍ପରା ଦୃଷ୍ଟିକୋଣରୁ ବିଶେଷ ମହତ୍ୱ ରହିଛି। ଏ ସବୁର ସୁରକ୍ଷା ପାଇଁ ଭାରତ ସରକାରଙ୍କ ବ୍ୟବସ୍ଥିତ ନିୟମ ରହିଛି। ରାଜ୍ୟ ସରକାରମାନେ ଏହାକୁ ପାଳନ କରିବା ଉଚିତ୍। ଶ୍ରୀମନ୍ଦିରର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟୀକରଣ ନେଇ କାହାର ଆପତ୍ତି ନାହିଁ। ମାତ୍ର ବିଗତ କିଛି ଦିନ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆସୁଥିବା ଖବର ଚିନ୍ତାଜନକ।

ଶ୍ରୀମନ୍ଦିର ପାର୍ଶ୍ୱବର୍ତୀ ଅଞ୍ଚଳରୁ ଯେଉଁଭଳି ହଜାର ହଜାର ବର୍ଷ ତଳର ପୁରାତନ ମୂର୍ତି ଓ ଅନ୍ୟାନ୍ୟ କୀର୍ତିରାଜି ମିଳୁଛି, ସେ ସବୁ ଅଣଦେଖା କରି ପରିକ୍ରମା ଯୋଜନାରେ ଆଧୁନିକୀକରଣ କହିବା ଉଚିତ୍ ନୁହେଁ।
ସେହିପରି ୧୦୦ ମିଟର ନିଷିଦ୍ଧାଞ୍ଚଳ ବାହାରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ହେବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ଅପରାଜିତା ଟୁଇଟ୍ କରିଛନ୍ତି ଯେ, ଶେଷରେ ସରକାର ତାଙ୍କର ଭୁଲ ବୁଝି ପାରିଛନ୍ତି। ତ୍ରୁଟି ସୁଧାରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଶା କରୁଛି ଯେ, ଆମସାର୍ ଆକ୍ଟ ୧୯୫୮ ଠିକ୍ ଭାବେ ପାଳନ ହେବ। ଭବିଷ୍ୟତରେ ରାଜ୍ୟ ସରକାର ଏଏସ୍ଆଇ ସଂରକ୍ଷିତ ୮୦ଟି କୀର୍ତ୍ତିରାଜି କ୍ଷେତ୍ରରେ ଅଧିକ ଯତ୍ନବାନ େହବେ। ଶ୍ରୀମନ୍ଦିରର ୨୦୦ମିଟର ଭିତରେ ଆସୁଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର କାର୍ଯ୍ୟାଳୟର ବିଲଡିଂ ପ୍ଲାନ୍ରେ ସଂଶୋଧନ କରିବାକୁ ଏନ୍ଏମ୍ଏ କହିଛି। ନିୟମ ପାଳନ ହେବ। ଆମ ଜଗନ୍ନାଥ ମନ୍ଦିରର ଗଠନମୂଳକ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ଅପରାଜିତା ଟୁଇଟ୍ କରିଛନ୍ତି।

ଅପରପକ୍ଷେ ଗତ ୧୧ତାରିଖରେ ଇନଟାକ୍ର ଓଡ଼ିଶା ଚାପ୍ଟରର ଆବାହକ ଏ.ବି ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟ ପ୍ରକାଶ ନପାଇବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାମ ବନ୍ଦ ରଖିବାକୁ ଅନୁରୋଧ କରିଛନ୍ତି। ଶ୍ରୀ ତ୍ରିପାଠୀ ଲେଖିଛନ୍ତି ଯେ, ହାଇକୋର୍ଟ ମାମଲାର ଶୁଣାଣି ଚାଲିଥିବାବେଳେ କାମ ବନ୍ଦ କଲେ ପ୍ରକଳ୍ପ ଉପରେ କିଛି ପ୍ରଭାବ ପଡ଼ିବନି। ଯଦି କିଛି ନକରାତ୍ମକ ରାୟ ଆସେ ତେବେ ମୌଳିକ ସୁବିଧା ଯୋଗାଇବା ପାଇଁ ହେଉଥିବା କାମ ହୋଇପାରିବ। ଏହା ଉପରେ କୌଣସି ପ୍ରତିବନ୍ଧକ ଲାଗିବନି। ଯଦି ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଆସିବ ତେବେ ସମସ୍ତଙ୍କ ପାଇଁ ଏହା ସବୁଜ ସଙ୍କେତ ହେବ। ହାଇକୋର୍ଟଙ୍କ ରହିତାଦେଶ ନଥିବାରୁ କାମ ଜାରି ରଖିବାକୁ ଆପଣଙ୍କୁ ପରାମର୍ଶ ଦିଆଯାଉଥିବ। ହେଲେ ଅାପଣ ଜଗନ୍ନାଥଙ୍କର ଜଣେ ପରମଭକ୍ତ ଏବଂ ସର୍ବୋଚ୍ଚ ନିଷ୍ପତ୍ତି ନେବା କର୍ତ୍ତୃପକ୍ଷ ହୋଇଥିବାରୁ ଏନେଇ ଉଚିତ୍ ପଦକ୍ଷେପ େନବେ। ଆପଣଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ୁଛୁ।