ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପୁଣି ଗର୍ଜିଲେ ଶଙ୍କରାଚାର୍ଯ୍ୟ: ‘ତୀର୍ଥସ୍ଥଳୀ ସୁରା, ସୁନ୍ଦରୀ କେନ୍ଦ୍ର ନ ହେଉ’

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଗୁରୁତ୍ବର ସହ ବିଚାର କରନ୍ତୁ
ଲୋକମତ କେବେ ବି ବିପରୀତ ହୋଇପାରେ

ପୁରୀ : ପୁରୀରେ ବିକାଶ ନାମରେ ଯେଉଁ ବୋବାଲ୍‌ (ମଉଜମସ୍ତି) ଚାଲିଛି, ତଦ୍ବାରା ଏହି ପବିତ୍ର ଭୂମିର ଅସ୍ତିତ୍ବ ଓ ଆଦର୍ଶର ବିଲୋପର ମାର୍ଗ ଧୀରେ ଧୀରେ ପ୍ରଶସ୍ତ ହେଉଛି। ଶାସନତନ୍ତ୍ର ତୀର୍ଥସ୍ଥଳୀକୁ ଭୋଗସ୍ଥଳୀ ନ କରନ୍ତୁ। ଏହାକୁ ସୁରା, ସୁନ୍ଦରୀଙ୍କ କେନ୍ଦ୍ର ନ କରନ୍ତୁ। ମୁଁ ବିକାଶର ପକ୍ଷରେ ରହିଛି। କିନ୍ତୁ ବିକାଶ ନାମରେ ତୀର୍ଥସ୍ଥଳୀର ଆଦର୍ଶ ଓ ଅସ୍ତିତ୍ବ ବିଲୁପ୍ତ କରିଦେବା ପକ୍ଷରେ ଆଦୌ ନାହିଁ।

ବିବାଦୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଆଜି ପୁଣି ଥରେ ଏଭଳି ଗର୍ଜିଛନ୍ତି ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ। ସେ କହିଛନ୍ତି, ଶାସନତନ୍ତ୍ର ପରମ୍ପରାପ୍ରାପ୍ତ ମଠଗୁଡ଼ିକର ବିକାଶ ତଥା ମାର୍ଗ ପ୍ରଶସ୍ତ ନାମରେ ଏହାକୁ ଭାଙ୍ଗିଦେଲେ। ଦେବାଦେବୀଙ୍କ ସ୍ଥାନକୁ ବିଲୁପ୍ତ କରି ଦିଆଗଲା। ଏହି ଅଭିଯାନ ଆଜି ବି ଜାରି ରହିଛି। ଏମିତି ଚାଲିଲେ ସାରା ଓଡ଼ିଶା ସଂକଟ ଭିତରକୁ ଚାଲିଯିବ। ନକରାତ୍ମକ ଘଟଣା ତଥା ଆସୁରିକ ଶକ୍ତି ବଢ଼ି ଚାଲିବ। ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ବର ସହ ବିଚାର କରିବା ଦରକାର। ଶାସନତନ୍ତ୍ର ଏଭଳି ବିଲୋପରୁ କ୍ଷାନ୍ତ ରହିବା ଦରକାର।

ଶଙ୍କରାଚାର୍ଯ୍ୟଙ୍କର ଏଭଳି ଆଭିମୁଖ୍ୟ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗଟି ନୂଆ ମୋଡ ନେଇଛି। କାରଣ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗତ ୩ ମାସ ଧରି ବାଦବିବାଦ ଲାଗି ରହିଛି। ପ୍ରତ୍ନତତ୍ତ୍ବ ବିଭାଗର ବିନା ଅନୁମୋଦନରେ ଶ୍ରୀମନ୍ଦିର ୧୦୦ ମିଟର ନିଷିଦ୍ଧାଞ୍ଚଳରେ ହେଉଥିବା ଏହି ପ୍ରକଳ୍ପକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିବା ପରେ ରାଜ୍ୟବ୍ୟାପୀ ତମ୍ବିତୋଫାନ ଚାଲିଛି।

ଦୁଇଦିନ ତଳେ ଗଜପତି ମହାରାଜା ଏହା ଉପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆବଶ୍ୟକ ପରାମର୍ଶ ଲୋଡ଼ିଥିଲେ। ଆଲୋଚନା ପରେ ଶଙ୍କରାଚାର୍ଯ୍ୟ ପରାମର୍ଶଦେବା ଛଳରେ କହିଥିଲେ ଯେ ଶ୍ରୀମନ୍ଦିର ତପୋଭୂମି ଅଟେ, ଏହାକୁ ଭୋଗଭୂମି ନ କରାଯାଉ। ତୀର୍ଥକ୍ଷେତ୍ର ପର୍ଯ୍ୟଟନସ୍ଥଳୀ ନ ହେଉ ବୋଲି ଜଗଦଗୁରୁ ମତ ରଖିଥିଲେ।
ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଥିବା ବେଳେ ମଙ୍ଗଳବାର ଘଟଣାଟି ଗମ୍ଭୀର ମୋଡ ନେଇଥିଲା। ସ୍ବୟଂ ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଗୋବର୍ଦ୍ଧନ ପୀଠରେ ଗବେଷକ, ରାଜନେତା, ବିଭିନ୍ନ ସଂଗଠକଙ୍କୁ ନେଇ ଏକ ମିଳିତ ବୈଠକ ବସିଲା। ଏହି ବୈଠକରେ ବି ଶଙ୍କରାଚାର୍ଯ୍ୟ ନିଜ ମତ ରଖିଥିଲେ। ୨୪ ଘଣ୍ଟା ପୂରିନି, ଆଜି ଶଙ୍କରାଚାର୍ଯ୍ୟ ପୁଣି କହିଛନ୍ତି ଯେ ଶାସନତନ୍ତ୍ର ‌ଏହା କେବେ ନ ଭାବୁ ଯେ ‌ସେମାନଙ୍କ ସପକ୍ଷରେ ଲୋକମତ ରହିଛି। ଲୋକମତ କେବେ ବି ବିପରୀତ ହୋଇପାରେ। ଓଡ଼ିଶାର ଜନତା ଆସ୍ଥା ପୂର୍ବକ ଯେଉଁ ରାଜନୈତିକ ଦଳକୁ ବର୍ଷ ବର୍ଷ ଧରି ଶାସନ କରିବାର କ୍ଷମତା ଦେଇ ଆସିଛନ୍ତି, ସେମାନେ ବିକାଶ ନାମରେ ଓଡ଼ିଶାର ଧାର୍ମିକ ରାଜଧାନୀ ପୁରୀର ଆଦର୍ଶକୁ ବିକୃତ ଓ ବିଲୁପ୍ତ କରିବାକୁ ନ ଦିଅନ୍ତୁ। ଓଡ଼ିଶାର ଜନତା ବୁଝିବା ଦରକାର କି ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶ୍ବର ଠାକୁର। ଏଠାରେ ବିଧିବଦ୍ଧ ଶଙ୍କରଚାର୍ଯ୍ୟଙ୍କ କରକମଳରେ ମହାପ୍ରଭୁଙ୍କ ଦାରୁବ୍ରହ୍ମର ପୁନଃପ୍ରତିଷ୍ଠା କରାଯାଇଛି।

ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି ଯେ ଯେଉଁ ବିଗ୍ରହ ପ୍ରତିଷ୍ଠା ହେଉଛି, ବିଧିବଦ୍ଧ ଆରାଧନା ନ ହେଲେ, ସେଥିରୁ ଦେବତତ୍ତ୍ବ ବିଲୁପ୍ତ ହୋଇଯାଏ। ବିକାଶ ନାମରେ ମଠକୁ ଭାଙ୍ଗିଦେବା ଅନୁଚିତ। ମାର୍ଗପ୍ରଶସ୍ତ ନାମରେ ଏଭଳି ପ୍ରଦର୍ଶନୀସ୍ଥଳ, ବିକ୍ରି କେନ୍ଦ୍ର କରିଦେବା ଅନୁଚିତ। ସମୁଦ୍ର ତଟ ତପୋସ୍ଥଳୀ ଥିଲା। ତାହା ଏବେ ସୁରା, ସୁନ୍ଦରୀ କେନ୍ଦ୍ର ‌ପାଲଟିଗଲାଣି। ଶ୍ରୀମନ୍ଦିରରେ ଏଭଳି ଅପଚେଷ୍ଟା ଆଦୌ ଗ୍ରହଣୀୟ ନୁହେଁ। ଏହାଦ୍ବାରା ଦେବାଦେବୀ କୋପ କରିବେ ଓ ସାରା ଓଡ଼ିଶା ସଂକଟ ଭିତରକୁ ଚାଲିଯିବ ବୋଲି ଶଙ୍କରାଚାର୍ଯ୍ୟ ସତର୍କ କରାଇ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ଶାସନତନ୍ତ୍ର କୌଣସି ପରିସ୍ଥିତିରେ ଏଭଳି ଉନ୍ମାଦନାର ପରିଚୟ ଦିଅନ୍ତୁନି। ବ୍ୟକ୍ତିଗତ କାହାକୁ କିଛି ସମାଲୋଚନା କରିବା ଦରକାର ନାହିଁ। ଶ୍ରୀମନ୍ଦିରର ମାର୍ଗ ପ୍ରଶସ୍ତ ନାମରେ ଯେଉଁ କାମ ଚାଲିଛି, ତାହା ଅନୁଚିତ। ଶାସନତନ୍ତ୍ର ତାର ଯୋଜନାକୁ ବନ୍ଦ କରୁ। ଭବିଷ୍ୟତରେ ଯେଭଳି ଏଭଳି ଦୁଃସାହସ ପଦକ୍ଷେପ ନିଆନଯିବ, ସେ ଦିଗକୁ ଦୃଷ୍ଟି ଦେବା ଜରୁରୀ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର