ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ଚାଲିଛି ଇଲେକ୍ଟ୍ରିକାଲ୍‌ ରୁମ୍‌ ନିର୍ମାଣ, ଲୁଚିଯିବ ମେଘନାଦ ପାଚେରି

ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ରଶାସନିକ କୋଠା ଭିତରେ ଲୁଚିଗଲାଣି ମନ୍ଦିର
ବିକାଶ କଥା ଚିନ୍ତା କରନ୍ତୁ: ଭୋଇ ସର୍ଦ୍ଦାର

ପୁରୀ : ବିବାଦୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟବ୍ୟାପୀ ତୁମ୍ବିତୋଫାନ ଚାଲିଥି‌ଲେ ବି ଅଟକି ନାହିଁ ନିର୍ମାଣ କାର୍ଯ୍ୟ। ହାଇକୋର୍ଟଙ୍କୁ ପ୍ରତ୍ନତତ୍ତ୍ବ ବିଭାଗ ଏହି ପ୍ରକଳ୍ପ କାମ ବେଆଇନ୍‌ ବୋଲି ଦର୍ଶାଇ ସାରିଲାଣି। ପ୍ରତ୍ନତତ୍ତ୍ବ ବିଭାଗ ଓ ଏନ୍ଏମ୍‌ଏ ବି ଏହି ପ୍ରକଳ୍ପ ପାଇଁ କୌଣସି ଅନୁମତି ଦେଇନଥିବା ସୂଚନା ଅଧିକାର ବଳରେ ସ୍ପଷ୍ଟ କରି ସାରିଲେଣି। ଏହା ସତ୍ତ୍ବେ ଶ୍ରୀମନ୍ଦିର ପ୍ରଶାସନ ଓ ଠିକା ସଂସ୍ଥା ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ସେପଟେ ପଶ୍ଚିମଦ୍ବାର କୋଣରେ ଯେଉଁ ଇଲେକ୍ଟ୍ରିକାଲ୍‌ ରୁମ ନିର୍ମାଣ ଚାଲିଛି, ତାର ଅଢ଼ୁଆଳରେ ଏବେ ଶ୍ରୀମନ୍ଦିର ଓ ମେଘନାଦ ପାଚେରିର ସୌନ୍ଦର୍ଯ୍ୟ ଲୁଚିଯିବାକୁ ବସିଲାଣି। ଯେଉଁ ଘର ସବୁ ନିର୍ମାଣ କରାଯାଇଛି, ତା’ଠାରୁ ଇଲେକ୍ଟ୍ରିକାଲ୍‌ ରୁମ୍‌ ଢ଼େର ଅଧିକ ଉଚ୍ଚା ହୋଇଥିବାରୁ ଏଭଳି ସମ୍ବେଦନଶୀଳ ପରିସ୍ଥିତି ଦେଖାଦେଇଛି। ଯାହାକୁ ଭକ୍ତ, ଶ୍ରୀଜଗନ୍ନାଥପ୍ରେମୀ, ସଂଗଠକମାନେ ବିରୋଧ କରିବା ଆରମ୍ଭ କରିଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଆଇନ୍‌ ବୋଲି ଆରମ୍ଭରୁ ଅଭି ଯୋଗ ହୋଇ ଆସୁଛି। କିନ୍ତୁ ଏନ୍ଏମ୍‌ଏ ଏନ୍‌ଓସି ଆଳରେ ଓବିସିସି ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଜରିଆରେ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଇତିମଧ୍ୟରେ ପଶ୍ଚିମଦ୍ବାର ଓ ଦକ୍ଷିଣଦ୍ବାରରେ ଏକାଧିକ ଘର ନିର୍ମାଣ ପରେ ଏବେ ପଶ୍ଚିମ-ଉତ୍ତର ଦ୍ବାର କୋଣ ଓ ଉତ୍ତର ଦ୍ବାରରେ ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରହିଛି। ପଶ୍ଚିମ-ଉତ୍ତରଦ୍ବାର କୋଣରେ ଇଲେକ୍ଟ୍ରିକାଲ୍‌ ରୁମ୍‌ ନିର୍ମାଣ ଚାଲିଥିବା ବେଳେ ହାଇକୋର୍ଟଙ୍କୁ ଶୁଣାଣି ପୂର୍ବରୁ ତରବରିଆ ଭାବେ ଏହାକୁ ଶେଷ କରିବାକୁ ଯୋଜନା କରାଯାଉଥିବା ଅଭିଯୋଗ ହୋଇଛି। ୫୨୦୦ ବର୍ଗଫୁଟ ଜାଗାରେ ନିର୍ମାଣ ହେଉଥିବା ଏହି ଇଲେକ୍ଟ୍ରିକାଲ୍‌ ରୁମର ମୂଳଦୁଆ ପ୍ରାୟ ୩ ମିଟର ତଳୁ ଉଠିଥିବାବେଳେ ୫୭ଟି ପିଲାର୍‌ ରହିଛି। ପ୍ରାୟ ୫୦/୬୦ ଫୁଟ ଓସାର ଓ ପ୍ରାୟ ୧୮ ଫୁଟ ଲମ୍ବରେ ନିର୍ମାଣ ହେଉଥିବା ଏହି ଇଲେକ୍ଟ୍ରିକାଲ୍‌ ରୁମର ଉଚ୍ଚତା ପଶ୍ଚିମଦ୍ବାର ଓ ଦକ୍ଷିଣ ଦ୍ବାରରେ ନିର୍ମାଣ ସରିଥିବା ଘରଠାରୁ ପ୍ରାୟ ୫ ଫୁଟ ଅଧିକ ଉଚ୍ଚ ହେବ। ମୋଟା‌ମୋଟି ଇଲେକ୍ଟ୍ରିକାଲ୍‌ ରୁମ୍‌ ଉଚ୍ଚତା ଦେଖିଲେ ୨୦ ଫୁଟ ହେବ। ଯାହା ଏବେ ଶ୍ରୀମନ୍ଦିର, ମେଘନାଦ ପାଚେରି ସୌନ୍ଦର୍ଯ୍ୟକୁ ଅଢ଼ୁଆଳ କରିବାରେ ଲାଗିଛି।

ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଏନ୍ଏମ୍‌ଏ, ପ୍ରତ୍ନତତ୍ତ୍ବ ବିଭାଗ ଏହି କାମ ପାଇଁ ଅନୁମତି ଦେଇନଥିବା କହିବା ପରେ କିଛି ସନ୍ଦେହ ର ପ୍ରଶ୍ନ ହିଁ ଉଠୁନି। ଏଠି ସ୍ପଷ୍ଟ ହେଉଛି କି ସବୁ ଆଇନକୁ ଜଳାଞ୍ଜଳି ଦେଇ ଏନ୍ଏମ୍‌ଏର ମିଛ ଏନ୍‌ଓସି ଦେଖାଇ, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଠିକା ସଂସ୍ଥା ଏହି ନିର୍ମାଣ କାର୍ଯ୍ୟକୁ ଜୋର ଜବରଦସ୍ତ କରୁଛନ୍ତି। ସେପଟେ ଏହା ପଛରେ ଶ୍ରୀମନ୍ଦିର, ମେଘନାଦ ପାଚେରି ଲୁଚିଯିବା ଆହୁରି ସାଂଘାତିକ କଥା। ଗୁଜୁରାଟ ଭଳି ସିବିଆଇ ଏ ଦିଗରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉ। ସାମାଜିକ କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି, କାମ ‌ବେଆଇନ୍‌ ଜାଣି ବି ନିର୍ମାଣ ଜାରି ରହିବାଠାରୁ ଦୁର୍ଭାଗ୍ୟଜନକ କଥା ଅନ୍ୟ କିଛି ନାହିଁ। ସେପଟେ ଶ୍ରୀମନ୍ଦିର, ମେଘନାଦ ପାଚେରି ସୌନ୍ଦର୍ଯ୍ୟ ଲୁଚାଇବାର ଅଧିକାର କାହାରି ନାହିଁ। ପ୍ରତ୍ନତତ୍ତ୍ବ ବିଭାଗ ଏ ଦିଗରେ ନିରବ ରହିବା, ଆଦୌ ଗ୍ରହଣୀୟ ନୁହେଁ। ଏ ଦିଗରେ ପ୍ରତ୍ନତତ୍ତ୍ବ ବିଭାଗ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଶ୍ରୀ ବରାଳ କହିଛନ୍ତି।

ସମ୍ବନ୍ଧିତ ଖବର