ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦରେ ଆସୁଛି ନୂଆ ତଥ୍ୟ: ଡିଜିଙ୍କଠାରୁ ଅନୁମତି ନେବାକୁ କହିଥିଲା ପ୍ରତ୍ନତତ୍ତ୍ବ ବିଭାଗ

ଅନୁଧ୍ୟାନ ପରେ ବିଭାଗର ୫ ଅଧିକାରୀଙ୍କ ଦସ୍ତଖତରେ ଯାଇଥିଲା ଚିଠି
ଶ୍ରୀମନ୍ଦିର କାର୍ଯ୍ୟାଳୟ ସହ କେବଳ ମଠ ମରାମତି ପାଇଁ ଏନ୍‌ଏମ୍‌ଏକୁ ଅନୁମତି ମାଗିବାକୁ କହିଥିଲେ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯାହା ବି କାମ ହେଉଛି, ସେଥିପାଇଁ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କଠାରୁ ଅନୁମତି ନିଅ। ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କୁ ‌ଛାଡ଼ିଦେଲେ, ଅନ୍ୟ କେହି ବି ଏଥିପାଇଁ ଅନୁମତି ଦେବାକୁ ପ୍ରାଧିକୃତ କର୍ତ୍ତୃପକ୍ଷ ନୁହଁନ୍ତି। ଯଦି ମରାମତି କାମ ଅଛି, ଏନ୍‌ଏମ୍‌ଏଠାରୁ ଅନୁମତି ନେଇପାରିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବର୍ଷକ ତଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଆବେଦନପତ୍ରର ଉତ୍ତରରେ ଏଭଳି ଜବାବ ରଖିଥିଲା ପ୍ରତ୍ନତତ୍ତ୍ବ ବିଭାଗ। ଜଣେ ନୁହେଁ, ୫ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ପ୍ରକଳ୍ପ କାର୍ଯ୍ୟର ପ୍ରାକ୍‌ ଅନୁଧ୍ୟାନ ପରେ ଏହି ଉତ୍ତର ରଖିଥିଲା ପ୍ରତ୍ନତତ୍ତ୍ବ ବିଭାଗ। ତଥାପି ଏହାକୁ ହେୟଜ୍ଞାନ କରି ନିର୍ମାଣ କାର୍ଯ୍ୟ କରାଯାଇଛି। ଯାହା ଆଜି ମୂଳ ବିବାଦର କାରଣ ହୋଇଛି। ସେପଟେ କେବଳ ମରାମତି କାମ କରିବାକୁ ଏନ୍‌ଏମ୍‌ଏକୁ କ୍ଷମତା ପ୍ରଦାନ କରାଯାଇଥିଲେ ବି କେଉଁ ପରିସ୍ଥିତିରେ ଏନ୍‌ଏମ୍‌ଏ ଶ୍ରୀମନ୍ଦିର ପ୍ରଶାସନକୁ ଅନ୍ୟ ପ୍ରକଳ୍ପ ପାଇଁ ଏନ୍‌ଓସି ପ୍ରଦାନ କଲା, ତାହା ସନ୍ଦେହ ଜାତ କରିଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରୂପରେଖ ଅନୁଯାୟୀ, ଶ୍ରୀମନ୍ଦିରର ୧୦୦ ମିଟର ନିଷିଦ୍ଧାଞ୍ଚଳର ଉତ୍ତର-ପୂର୍ବ କୋଣରେ ୪୮୫ ବର୍ଗମିଟର ଜାଗାରେ ୩.୨୦୮ ମିଟର ଉଚ୍ଚର ଏକ କ୍ଲୋକ୍‌ ରୁମ, ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ବାରରେ ୨୬.୭୧୦ ବର୍ଗମିଟର(ପ୍ରତି ଘର) ଜାଗାରେ ୩.୨୦୮ ମିଟର ଉଚ୍ଚର ତିନୋଟି ମିନି କ୍ଲୋକ୍‌ ରୁମ, ଦକ୍ଷିଣ-ପୂର୍ବଦ୍ବାର କୋଣରେ ତିନି ମହଲା(ପ୍ରତି ମହଲା ୨୬୩୮.୯୧୧ ବର୍ଗ ମିଟର ଜାଗା) ବିଶିଷ୍ଟ ୧୩.୮୦୦ ମିଟର ଉଚ୍ଚର ଶ୍ରୀଜଗନ୍ନାଥ ରିସେପ୍‌ସନ୍‌ ସେଣ୍ଟର, ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଦ୍ବାରରେ ୨୬.୭୧୦ ବର୍ଗମିଟର(ପ୍ରତି ଘର) ଜାଗାରେ ୩.୨୦୮ ମିଟର ଉଚ୍ଚର ତିନିଟି ସୂଚନା ଓ ଦାନ କିଓସ୍କୋ, ୧୯ ବର୍ଗମିଟର ଜାଗା(ପ୍ରତିଘର)ରେ ୩.୩୫୦ ମିଟର ଉଚ୍ଚର ତିନିଟି ସେଲଟର୍‌ ପାଭିଲିୟନ୍‌, ୬୫ ବର୍ଗ ମିଟର(ପ୍ରତି ଘର) ଜାଗାରେ ୩.୨୦୮ ମିଟର୍‌ ଉଚ୍ଚର ମହିଳା ଶୌଚାଳୟ, ୬୫ ବର୍ମ ମିଟର ଜାଗାରେ ୩.୨୦୮ ମିଟର ଉଚ୍ଚର ତିନିଟି ପୁରୁଷ ଶୌଚାଳୟ, ଉତ୍ତର ଓ ଦକ୍ଷିଣଦ୍ବାରରେ ୬୫ ବର୍ଗମିଟର(ପ୍ରତି ଘର) ଜାଗାରେ ୩.୨୦୮ ମିଟର ଉଚ୍ଚର ଦୁଇଟି ସେବାୟତ ଶୌଚାଳୟ, ପଶ୍ଚିମଦ୍ବାରରେ ୨୬.୭୧୦ ବର୍ଗମିଟର ଜାଗାରେ ୩.୨୦୮ ମିଟର ଉଚ୍ଚର ପୁଲିସ ସର୍ଭିସ୍‌ ସେଣ୍ଟର, ୨୫ ବର୍ଗ ମିଟର ଜାଗାରେ ଉତ୍ତରଦ୍ବାରରେ ଏକ ଏଟିଏମ୍‌ କିଓ‌ସ୍କୋ, ପଶ୍ଚିମଦ୍ବାରରେ ୩୩୫ ବର୍ଗମିଟର ଜାଗାରେ ଏକ ଇଲେକ୍ଟ୍ରିକାଲ୍‌ ରୁମ, ଉତ୍ତରଦ୍ବାରରେ ୨୬.୭୧୦ ବର୍ଗ ମିଟର ଜାଗାରେ ଏକ ଫାଷ୍ଟ୍‌ଏଡ୍‌ ସେଣ୍ଟର୍‌, ୬୧.୩୩୩ ବର୍ଗମିଟର ପେଭ୍‌ମେଣ୍ଟ ଏରିଆର ସ୍ଥାୟୀ ନିର୍ମାଣ କରାଯିବ। ସେହିଭଳି ଉତ୍ତର-ପୂର୍ବଦ୍ବାରରେ ରେଗୁଲେଟେଡ୍‌ ଅଞ୍ଚଳରେ ୪୧୨.୯୦୦ ବର୍ଗଫୁଟ ଜାଗାରେ ୧୪.୧୫୦ ମିଟର ଉଚ୍ଚର ଦୁଇ ମହଲା ବିଶିଷ୍ଟ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସ୍ଥାୟୀ ନିର୍ମାଣ କରାଯିବ। ସେହିଭଳି ପୂର୍ବଦ୍ବାରରେ ୫୧.୨୮୨ ବର୍ଗମିଟର ଜାଗାରେ ୬.୬୦୪ ମିଟର ଉଚ୍ଚର ବଡ଼ଛତା ମଠ ଓ ଛାଉଣି ମଠର ପୁନରୁଦ୍ଧାର କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ନତତ୍ତ୍ବ ବିଭାଗକୁ ଅବଗତ କରିଥିଲା।

ଏହାପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ୨୦୨୧ ମସିହା ମେ’ ମାସ ୨୮ ତାରିଖରେ ପ୍ରତ୍ନତତ୍ତ୍ବ ବିଭାଗର ଭୁବନେଶ୍ବର ମଣ୍ଡଳ ଡ୍ରାଫ୍ଟସମ୍ୟାନ୍‌-୨ ଧୀଲନ୍‌ ମିଶ୍ର, ସର୍ଭେୟର-୧ ପି. କେ. ରାଉତ, ସହକାରୀ ପ୍ରତ୍ନତତ୍ତ୍ବବିତ୍‌ ରାହୁଲ ଶ୍ରୀବାସ୍ତବ ଓ କୋଣାର୍କ ମ୍ୟୁଜିୟମ୍‌ ସହକାରୀ ଅଧୀକ୍ଷକ ପି. କେ. ନାୟକ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ନିର୍ମାଣ ହେବାକୁ ପ୍ରକଳ୍ପସ୍ଥଳର ଅନୁଧ୍ୟାନ କରିଥିଲେ। ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ ଏବଂ ବଡ଼ଛତା ମଠ ଓ ଛାଉଣି ମଠର ପୁନରୁଦ୍ଧାର କାମପାଇଁ ଶ୍ରୀମନ୍ଦିର ପ୍ରଶାସନ ଏନ୍‌ଏମ୍‌ଏକୁ ଅନୁମତି ମାଗିପାରନ୍ତି ବୋଲି ଅଧିକାରୀମାନେ ଚିଠି କରି ସ୍ପଷ୍ଟ କରିଥିଲେ। କିନ୍ତୁ ବାକି ସବୁ ପ୍ରକଳ୍ପ କାମ ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କୁ ଅନୁମତି ମାଗିବାକୁ କହିଥିଲେ। ଶେଷରେ ଜୁନ୍‌ ୨ ତାରିଖରେ ଭୁବନେଶ୍ବର ମଣ୍ଡଳ ସହକାରୀ ଅଧୀକ୍ଷକ ସି ଆର ଦାଶଙ୍କ ଦସ୍ତଖତକ୍ରମେ ଏହାକୁ ଡିଜିଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ବି ଅବଗତ କରାଯାଇଥିଲା। ଏହା‌ସ‌ତ୍ତ୍ବେ ଏନ୍‌ଏମ୍‌ଏର ଅନୁମତିପତ୍ର ଦେଖାଇ ନିର୍ମାଣ କାର୍ଯ୍ୟ ଜାରି ରଖିଛି ଜିଲ୍ଲା ପ୍ରଶାସନ ଓ ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌। ଏହି କାଗଜର ନକଲ ବି ପ୍ରତ୍ନତତ୍ତ୍ବ ବିଭାଗ ହାଇକୋର୍ଟଙ୍କ ନିକଟରେ ଦାଖଲ କରିଛି।

ସମ୍ବନ୍ଧିତ ଖବର